ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହରର ରାସ୍ତାକଡ଼ରେ ଥିବା ଉଠା ଦେକାନୀମାନଙ୍କୁ କୌଣସି ନୋଟିସ ନଦେଇ ରଥଯାତ୍ରା ସମୟରେ ଏନ୍ଏସି କର୍ତ୍ତୃପକ୍ଷ ସେମାନଙ୍କ ଠେଲାଗୁଡ଼ିକୁ ହଠାତ୍ ଉଠାଇ ନେଇଥିଲା। ଯାତ୍ରା ପରେ ସେମାନଙ୍କୁ ନିଜ ନିଜ ଠେଲା ଦିଆଯାଇ ନଥିବା ଓ ସମ୍ପୃକ୍ତ ସ୍ଥାନରେ ଦୋକାନ ଦେବାକୁ ମନା କରିବାକୁ ନେଇ ଉଠା ଦେକାନୀ ସଂଘ ଅସନ୍ତୋଷ ପ୍ରକାଶ କରିଛି। ଏହାକୁ ନେଇ ସୋମବାର ସଂଘ ଏନଏସି ଇଓ ଗୌରହରି ମାହୁନ୍ତଙ୍କୁ ଘେରାଉ କରିଥିଲା। କିଛି ସମୟ ଧରି ଯୁକ୍ତିତର୍କ ବି ହୋଇଥିଲା।
ଏହା ପରେ ଇଓ ସେମାନଙ୍କୁ ମାସକ ପାଇଁ ଦୋକାନ ଦେବାକୁ ଅନୁମତି ଥିଲେ ଓ ମାସେ ପରେ ଅନ୍ୟସ୍ଥାନରେ ଥଇଥାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଏ ସମ୍ପର୍କରେ ଇଓ ଶ୍ରୀ ମାହୁନ୍ତଙ୍କୁ ପଚାରିବାରୁ ସମସ୍ୟା ଯେପରି ନଉପୁଜେ ସେପରି ସ୍ଥାନରେ ମାସକ ପାଇଁ ଉଠା ଦୋକାନୀମାନଙ୍କୁ ବସିବା ପାଇଁ କହାଯାଇଛି ବୋଲି ସେ କହିଥିଲେ। ସଂଘ ସଭାପତି ଅନିଲ ମେହେରଙ୍କ କହିବା ଅନୁଯାୟୀ ମାସକ ମଧ୍ୟରେ ଥଇଥାନ ନକଲେ ପୁଣି ଆନ୍ଦୋଳନ କରାଯିବ।