‘୮ ଗାଁକୁ ପଞ୍ଚାୟତରେ ସାମିଲ କର’: ଘେରିଲେ ଅତିରିକ୍ତ ଜିଲ୍ଲାପାଙ୍କ ଅଫିସ୍‌

ରାଉରକେଲା: ମୌଳିକ ସେବାରୁ ବଞ୍ଚିତ ୮ ଗ୍ରାମବାସୀ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଓ ପଞ୍ଚାୟତରେ ସାମିଲ ହେବାକୁ ଦୀର୍ଘ ଦିନ ଧରି ଦାବି କରି ଆସୁଛନ୍ତି। ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାପାଳଙ୍କ ଠୁ ନେଇ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଏମାନଙ୍କୁ ପଞ୍ଚାୟତ କି ଆର୍‌ଏମ୍‌ସିରେ ସାମିଲ କରାଯାଇ ନାହିଁ। ଫଳରେ ବର୍ଷ ବର୍ଷ ଧରି ୮ ଗ୍ରାମର ଶତାଧିକ ପରିବାର ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି। ପ୍ରତିବାଦରେ ଆଜି ୮ ଗ୍ରାମର ଶତାଧିକ ଲୋକ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ କରିଥିଲେ। ସେମାନଙ୍କୁ ଲାଠିକଟା ବ୍ଲକ ଅନ୍ତର୍ଗତ ସୁଇଡିହି ପଞ୍ଚାୟତରେ ସାମିଲ କରିବାକୁ ଦାବି କରିଥିଲେ। ଯେ ପର୍ଯ୍ୟନ୍ତ ପଞ୍ଚାୟତ ସାମିଲ କରିବାକୁ ପ୍ରତିଶ୍ରୁତି ନ ମିଳିଛି-, ସେ ପର୍ଯ୍ୟନ୍ତ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍‌ରୁ ନ ହଟିବାକୁ ଜିଦ୍‌ ଧରିଥିଲେ।

ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜିତ ଗ୍ରାମବାସୀ ଆନ୍ଦୋଳନରୁ ହଟିଥିଲେ। ଅତିରିକ୍ତ ଜିଲ୍ଳାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ରରେ ଦର୍ଶାଇଛନ୍ତି, ୧୯୫୪ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପ୍ରତିଷ୍ଠା ସମୟରେ ବିସ୍ଥାପିତ ପରିବାରଙ୍କୁ ବାଙ୍କିଆ, ତୁମକେଲା, ‌ହମିରପୁର, ଲୁଆକେରା, ଟାଙ୍ଗରପାଲି, ରଙ୍ଗାଡ଼ି, ସୋନାପର୍ବତ ଓ ଝାରମୁଣ୍ଡାରେ ଥଇଥାନ କରାଯାଇଥିଲା। ସେବଠୁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ପଞ୍ଚାୟତରେ ସାମିଲ କରା ଯାଉ ନ ଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ‌ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏସବୁ ଗାଁରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଆଲୋକୀକରଣ ଓ ରାସ୍ତାଘାଟରେ ବିପର୍ଯ୍ୟସ୍ତ ହୋଇ ପଡିଛି।

ଝାରମୁଣ୍ଡା ଗ୍ରାମବାସୀ ୧୯୬୦ରୁ ନିକଟସ୍ଥ ସୋନାପର୍ବତ ଜଙ୍ଗଲ ଜମି ଉପରେ ଘର ଓ ଚାଷ କରି ୧୦୦ରୁ ଅଧିକ ପରିବାର ରହି ଆସୁଛନ୍ତି। ସରକାରଙ୍କ ଦ୍ବାରା ମିଳୁଥିବା ମୌଳିକ ସୁବିଧାରୁ ଗ୍ରାମବାସୀ ବଞ୍ଚିତ ହେଉଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୨୦୨୧ରେ ତତ୍କାଳୀନ ଜିଲ୍ଲାପାଳ ୮ ଗ୍ରାମ ପଞ୍ଚାୟତରେ ସାମିଲ କରିବାକୁ ପଞ୍ଚାୟତିରାଜ ବିଭାଗକୁ ଚିଠି ଲେଖିଥିଲେ। ଜିଲ୍ଲାପାଳଙ୍କ ଚିଠି ଉପରେ ଆଜି ପର୍ଯ୍ୟନ୍ତ ପଞ୍ଚାୟତରାଜ ବିଭାଗ କୌଣସି ପଦକ୍ଷେପ ନେଇ ନାହାନ୍ତି। ସରକାର ଏ ଦିଗରେ କୌଣସି ପଦକ୍ଷେପ ନ ‌ନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର