ଖୋର୍ଦ୍ଧା: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ନିଷ୍ପତ୍ତିକ୍ରମେ ଆଜି ଖୋର୍ଦ୍ଧା ବ୍ଲକ ଶାଖା ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ(ବିଇଓ)ଙ୍କ କାର୍ଯ୍ୟକାଳୟ ସମ୍ମୁଖରେ ବିକ୍ଷୋଭ, ଧାରଣା ପ୍ରଦର୍ଶନ କରାଯାଇଛି। ଶୁକ୍ରବାର ପୂର୍ବାହ୍ଣରେ ଖୋର୍ଦ୍ଧା ବ୍ଲକର ପ୍ରାୟ ୭୦ରୁ ଊର୍ଦ୍ଧ୍ବ ଶିକ୍ଷକଶିକ୍ଷୟିତ୍ରୀ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣାରେ ବସିଥିଲେ। ସେଠାରେ ବ୍ଲକ ଶିକ୍ଷକ ସଂଘର ସଭାପତି ଯୁଧିଷ୍ଠିର ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭାର ଆୟୋଜନ ହୋଇଥିଲା। ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକଙ୍କ ଦାବିକୁ ବାରମ୍ବାର ଅଣଦେଖା କରୁଥିବା ନେଇ ଶିକ୍ଷକନେତାମାନେ ତୀବ୍ର ସମାଲୋଚନା କରିଥିଲେ। ଗଣଶିକ୍ଷା ବିଭାଗ ଅଧୀନରେ କାମକରୁଥିବା କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା, ଶିକ୍ଷାକର୍ମୀ ଓ ଶିକ୍ଷାସହାୟକଙ୍କ ଠିକା କାର୍ଯ୍ୟକାଳକୁ ଜାତୀୟ ଇଂକ୍ରିମେଣ୍ଟ ପ୍ରଦାନ କରି ମୂଳ ଦରମାରେ ଗଣନା କରିବା, କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା, ସମସ୍ତ
ବର୍ଗର ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟହାରରେ ବେତନ ଓନୂତନ ପେନ୍ସନ ପ୍ରଥା ଉଚ୍ଛେଦ କରିବା ଆଦି ଦାବି ସମ୍ପର୍କରେ ତଥ୍ୟ ରଖିଥିଲେ। ଏହି ବିକ୍ଷୋଭ
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଅମୀୟ କୁମାର ପରିଡ଼ା, ରାଜ୍ୟ ଉପସଭାପତି (ପିଷ୍ଟା) ଅଗାଧୁ ସେଠୀ, ସମ୍ପାଦକ (ପିଷ୍ଟା) ମୃତ୍ୟୁଞ୍ଜୟ ମହାପାତ୍ର, ନିଖିଳ ଉତ୍କଳ ମହାସଂଘର କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ବିଶ୍ବାଳ, ଏସ୍ କ୍ୟାଡର ସଭାପତି ପ୍ରସନ୍ନ କୁମାର ମହାପାତ୍ର, ଓଡ଼ିଶା କଳାକ୍ରୀଡ଼ା ସଂଘର ସଭାପତି ସତ୍ୟଜିତ ମହାନ୍ତି, ଜ୍ୟୋତିର୍ମୟୀ ନାୟକ, ଦିବ୍ୟସିଂହ ସୁବୁଦ୍ଧି, ରବିନାରାୟଣ ପଣ୍ଡା, ମନୋଜ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp