ବ୍ରହ୍ମପୁର: ବାରମ୍ବାର ବିଦ୍ୟୁତ ବିଭ୍ରାଟ, ବିଦ୍ୟୁତ କାଟକୁ ନେଇ ଅତିଷ୍ଠ ହୋଇ ପଡ଼ିଥିଲେ ବ୍ରହ୍ମପୁର ସହର ଗୋସାଇଁନୂଆଗାଁ ବାସିନ୍ଦା। ଗତକାଲି ପୁଣି ବିଳମ୍ବିତ ରାତି ପର୍ଯ୍ୟନ୍ତ ମରାମତି ଓ ତଦାରଖ ନାଁରେ ସାରା ଅଞ୍ଚଳ ଅନ୍ଧାର ରହିବାରୁ ପୁଞ୍ଜିଭୂତ ଅସନ୍ତୋଷ ଉଗ୍ରରୂପ ନେଇଥିଲା। ଶହ ଶହ ଲୋକ ରାଜରାସ୍ତାକୁ ଆସି ରାସ୍ତାର ବିଭିନ୍ନ ସ୍ଥାନରେ ଟାୟର୍ ଜାଳି ରାସ୍ତା ଅବରୋଧ କରି ଦେଇଥିଲେ। ରାତିସାରା ରାସ୍ତାରୋକରୁ ଉତ୍ତେଜନା ଲାଗି ରହିଥିବା ବେଳେ ଘଟଣାସ୍ଥଳକୁ ଆସିଥିବା ବିଦ୍ୟୁତ ଆବଣ୍ଟନକାରୀ କମ୍ପାନି ଟାଟାପାୱାର୍ର ଦୁଇ ବରିଷ୍ଠ ଅଧିକାରୀଙ୍କୁ ୮ଘଣ୍ଟା ଧରି ଅଟକ ରଖିଥିଲେ। ପୁଲିସ ଉପସ୍ଥିତିରେ ଟାଟାପାୱାର୍ ଅଧିକାରୀଙ୍କ ଠାରୁ ମୌଖିକ ପ୍ରତିଶ୍ରୁତି ମିଳିବା ପରେ ଏବଂ ଆଜି ସକାଳ ୮ ଟାରେ ବିଦ୍ୟୁତ ପୁନର୍ବାହାଲ ହେବା ପରେ ଅଟକ ଅଧିକାରୀଙ୍କୁ ମଧ୍ୟ ଲୋକେ ଛାଡ଼ିଥିଲେ। ସେପଟେ ଏଭଳି ସମସ୍ୟାକୁ ଏଡ଼ାଇବା ଲାଗି ଟାଟାପାୱାର୍ ପକ୍ଷରୁ ଉଦ୍ୟମ କରାଯାଉଛି। ଗୋସାଇଁନୂଆଗାଁ ଅଞ୍ଚଳ ନିମନ୍ତେ ଆଉ ଏକ ଫିଡର୍ ଜରିଆରେ ବିଦ୍ୟୁତ୍ ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଏହା ହେଲେ ଆଗାମୀ ଦିନରେ ଆଉ ଏଭଳି ବିଦ୍ୟୁତ୍ କାଟ ସମସ୍ୟା ରହିବ ନାହିଁ ବୋଲି କହିଛନ୍ତି ଟାଟା ପାୱାର୍ ପକ୍ଷରୁ ଏକ ପ୍ରେସ୍ବିଜ୍ଞପ୍ତିରେ କୁହାଯାଇଛି।
ସୂଚନାଯୋଗ୍ୟ, ଗତକାଲି ରାତି ୧୧ ଟାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଥିବା ବେଳେ ଆଜି ପୂର୍ବାହ୍ନ ୮ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରି ନଥିଲା। ଯାହାକୁ ନେଇ ବିଳମ୍ବିତ ରାତିରୁ ଗୋସାଇଁନୂଆଗାଁ ବାସିନ୍ଦା ଟାୟାର୍ ଜାଳି ରାସ୍ତାରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଘଟଣାସ୍ଥଳର ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିବା ଟାଟାପାୱାର୍ ଅପରେସନ୍ ମୁଖ୍ୟ ଧର୍ମାଧିକାରୀଙ୍କୁ ଉତ୍ତ୍ୟକ୍ତ ଲୋକମାନେ ଦୁର୍ବ୍ୟବହାର କରିଥିଲେ। ଏହାଛଡ଼ା ଅନ୍ୟତମ ଡିଓଏସ୍ ମୁଖ୍ୟ କମଳଦୀପ ମହାନଜନଙ୍କୁ ମଧ୍ୟ ଆକ୍ରମଣ କରିବା ନେଇ ଉତ୍ତ୍ୟକ୍ତ ଲୋକେ ଉଦ୍ୟମ କରୁଥିବା ବେଳେ କୌଶଳକ୍ରମେ ସେଠାରୁ ଖସି ରହିଥିଲେ। ବିକ୍ଷୋଭକାରୀ ବିଦ୍ୟୁତ ପୁନଃସଂଯୋଗ ନହେବା ଯାଏ ରାସ୍ତା ଉପରେ ବସି ରହିବା ସହ ଉପସ୍ଥିତ ଟାଟାପାୱାର୍ ଅପରେସନ୍ ମୁଖ୍ୟ ଧର୍ମାଧିକାରୀ, ଡିଓଏସ୍ ମୁଖ୍ୟ କମଳଦୀପ, ଅଧୀକ୍ଷଣଯନ୍ତ୍ରୀ ଏନ.ଏନ.ପାଣ୍ଡା, ଏସ୍ଡିଓ ସରୋଜ ମିଶ୍ର ପ୍ରମୁଖ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଅଟକ ରଖି ରାସ୍ତା ଉପରେ ସକାଳ ପର୍ଯ୍ୟନ୍ତ ବସାଇ ରଖିଥିଲେ।
ରାତିତମାମ ଏଭଳି ଉତ୍ତେଜନା ପରିସ୍ଥିତି ଲାଗି ରହିଥିବା ବେଳେ ବହୁ ବିଳମ୍ବରେ ଗୋସାଇଁ ନୂଆଗାଁ ଥାନା ପୋଲିସ ସହ ଟାଉନ ଏସ୍ଡିପିଓ ପହଞ୍ଚିଥିଲେ। ରାସ୍ତାରୋକ ଯୋଗୁଁ ଟ୍ରାଫିକ୍ ସମସ୍ୟା ଉପୁଜିଥିବା ବେଳେ ବହୁ ଯାନବାହନ ଅଟକି ରହିଥିଲା। ସେପଟେ ଦୀର୍ଘ ଏକ ମାସ ହେଲା ଏହି ଅଞ୍ଚଳରେ ରାତିରେ ବିଦ୍ୟୁତ ସରବାରହ ଘଣ୍ଟା ଘଣ୍ଟା ବ୍ୟାହତ ହେଉଥିବା ନେଇ ପୂର୍ବରୁ ମଧ୍ୟ ସ୍ଥାନୀୟ ଅଞ୍ଚଳବାସିନ୍ଦା ରାସ୍ତାରୋକ କରିଥିଲେ। ସେହି ସମୟରେ ଆଉ ଅଘୋଷିତ ବିଦ୍ୟୁତ କାଟ ହେବ ନାହିଁ କହି ଟାଟାପାଓ୍ବାର୍ ଉଚ୍ଚ କର୍ତ୍ତୃପକ୍ଷ ରାସ୍ତାରୋକ ହଟାଇ ଦେଇଥିଲେ। କିନ୍ତୁ ଏ ସମସ୍ୟାର ସମାଧାନ ହେବା ବଦଳରେ ରୀତିମତ ବିଦ୍ୟୁତ କାଟ ଓ ବିଭ୍ରାଟ ଜାରି ରହିଥିଲା। ଆଜି ସକାଳେ ପୁଲିସ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ବିଦ୍ୟୁତ ସରାବାରହ ସ୍ବାଭାବିକ ହେବା ପରେ ରାସ୍ତାରୋକରୁ ହଟିବା ସହ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଟାଟାପାୱାର୍କୁ ତିନିଦିନ ମହଲତ ଦେଇଥିଲେ। ୧୬ ତାରିଖ ସୁଦ୍ଧା ସମସ୍ୟାରେ ସୁଧାର ନ ଆସିଲେ ଅଞ୍ଚଳବାସୀଙ୍କ ପକ୍ଷରୁ ପୁଣି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ।
ଟିପିଏସଓଡିଏଲ୍ର ସ୍ପଷ୍ଟୀକରଣ
ବ୍ରହ୍ମପୁର: ଟିପିଏସ୍ଓଡିଏଲ୍ ପକ୍ଷରୁ ଗୋସାଇଁନୂଆଗାଁ ଘଟଣା ପରେ ପ୍ରେସ୍ ବିବୃତ୍ତି ଜରିଆରେ କୁହାଯାଇଛି, ଏଭଳି ସମସ୍ୟା ନେଇ ଫିଡର୍ ଏବଂ ନେଟ୍ୱାର୍କ ଶକ୍ତିବୃଦ୍ଧି ଦିଗରେ ପଦକ୍ଷେପ ନିଆଯାଉଛି। ଏଥିସହ ୧.୨ ସର୍କିଟ କିଲୋମିଟର ନୂତନ ନେଟ୍ୱର୍କ ଏବଂ ୨୨ଟି ବିଜୁଳି ଖୁଣ୍ଟ ସ୍ଥାପନ କରାଯାଇଛି। ଫିଡର୍ ଏବଂ ନେଟ୍ୱାର୍କ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଦିଗରେ କାର୍ଯ୍ୟ ଚାଲିଛି। ଏହି ପ୍ରକଳ୍ପଟି ଅଞ୍ଚଳ ବାସିନ୍ଦାଙ୍କୁ ବିଦ୍ୟୁତ୍ ଯୋଗାଣର ନିର୍ଭରଯୋଗ୍ୟତା ଏବଂ ଦକ୍ଷତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ପ୍ରକଳ୍ପର ଏକ ଅଂଶ ଭାବରେ, ଟିପିଏସ୍ଓଡିଏଲ୍ ଆମ୍ବ ମାର୍କେଟରୁ ରୟାଲ୍ ଫାର୍ମାସି କଲେଜ ପର୍ଯ୍ୟନ୍ତ ଏକ ବିକଳ୍ପ ଲାଇନ୍ ତିଆରି କରୁଛି, ଯାହାକି ପ୍ରାୟ ୧.୨ କିଲୋମିଟର ଦୂରତା ଅତିକ୍ରମ କରିବ। ଏହି ପ୍ରକଳ୍ପରେ ୨୨ଟି ନୂତନ ବିଜୁଳି ଖୁଣ୍ଟ ସ୍ଥାପନ କରା ଯାଇଥିବା ବେଳେ ପାୱାର୍ ଟ୍ରାନ୍ସମିସନ୍ରେ ଉନ୍ନତି ଆଣିବା ପାଇଁ ଟିପିଏସ୍ଓଡିଏଲ୍ କଣ୍ଡକ୍ଟର ଆକାରକୁ ୮୦ ବର୍ଗ ମିମିରରୁ ୧୦୦ ବର୍ଗ ମିମିକୁ ଉନ୍ନୀତ କରୁଛି।
ଏହା ଗୋସାଇଁନୂଆଗାଁ ବାସିନ୍ଦାଙ୍କୁ ଉନ୍ନତ ନିରବଚ୍ଛିନ୍ନ ବିଦ୍ୟୁତ୍ ବିତରଣରେ ନିଶ୍ଚିତ ସହାୟକ ହେବ ଏବଂ ୧୬ ଜୁଲାଇ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଚଳିତ ବର୍ଷ ବିଳମ୍ବିତ ମୋସୁମୀ ହେତୁ ନୀଳକଣ୍ଠନଗର ପିଏସ୍ଏସ୍ ୧୧ କେଭି ଗୋସାଇଁ ନୂଆଗାଁ ଫିଡର୍ ଉପରେ ପ୍ରାୟ ୧୫୦ ଏ (୩ ମେଗାୱାଟ) ର କ୍ରମାଗତ ଏବଂ ବର୍ଦ୍ଧିତ ଭାର ସୃଷ୍ଟି କରିଛି। ଏହାଦ୍ୱାରା ଫିଡର୍ର ଓଭରଲୋଡିଂ ଏବଂ ଟ୍ରିପିଂ ବିଦ୍ୟୁତ୍ ଯୋଗାଣରେ ବାଧା ସୃଷ୍ଟି କରୁଛି। ଟିପିଏସ୍ଓଡିଏଲ୍ ପକ୍ଷରୁ ତୁରନ୍ତ ଅନ୍ୟ ଏକ ହାଲୁକା ଲୋଡ୍ ହୋଇଥିବା ୧୧ କେଭି ଏଚ୍ଆଇଜି ଫିଡରକୁ ଲୋଡ୍ ଡାଇଭର୍ସନ କରାଯାଇଛି ଯାହାକି ୧.୨ ସର୍କିଟ କିଲୋମିଟର ନୂତନ ଆନ୍ତଃସଂଯୋଗ ୧୧ କେଭି ଲାଇନ୍ ସ୍ଥାପନ ସହିତ ଜଡ଼ିତହେବ। କମ୍ପାନି ଦ୍ୱାରା ନିଆଯାଇଥିବା ଏହି ନୂତନ ପଦକ୍ଷେପଗୁଡ଼ିକ ଲାଇନ୍ରେ ଥିବା ଭାରକୁ କମାଇବ, ଫଳସ୍ୱରୂପ ବିଦ୍ୟୁତ୍ ବ୍ୟାଘାତ କମିବ ଏବଂ ବିଶ୍ୱସନୀୟତା ଉନ୍ନତ ହେବ। ବିଦ୍ୟୁତ୍ ଭିତ୍ତିଭୂମି ବୃଦ୍ଧି ତଥା ବ୍ରହ୍ମପୁର ସହରର ଗୋସାଇଁନୂଆଗାଁ ବାସିନ୍ଦାଙ୍କୁ ନିରନ୍ତର ବିଦ୍ୟୁତ୍ ଯୋଗାଣ ପାଇଁ ଟିପିଏସ୍ଓଡିଏଲ୍ କାର୍ଯ୍ୟକରୁଛି ବୋଲି କଂପାନି ପକ୍ଷରୁ ଏହି ପ୍ରେସ୍ ବିବୃତ୍ତିରେ କୁହାଯାଇଛି।