ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ବସାଯିବା ସ୍ଥାନରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ବସାଯାଇଥିବାରୁ ଏହାକୁ ନେଇ ବିରୋଧ ତେଜିବାରେ ଲାଗିଛି। ଏହାର ପ୍ରତିବାଦରେ ଗତ ମଙ୍ଗଳବାର ଧାରଣା ଦିଆଯାଇଥିବା ବେଳେ ବୁଧବାର ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ ପାଳନ କରାଯାଇଥିଲା। ବୁଧବାର ସକାଳୁ ହିନ୍ଦୁ ସମାଜର କର୍ମକର୍ତ୍ତାମାନଙ୍କ ସହ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ବିଭିନ୍ନ ଛକରେ ବସି ରାସ୍ତା ଅବରୋଧ କରିଥିଲେ। ହିନ୍ଦୁ ସମାଜ, ବ୍ରାହ୍ମଣ ଏକତା ମଞ୍ଚ, ବଜରଂଗ ଦଳ ଆଦି ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ସହର ସାରା ବୁଲି ପିକେଟିଂ କରିଥିଲେ। ସରକାରୀ ବେସରକାରୀ କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ କରାଯାଉଥିବା ବେଳେ ଯାନବାହନ ଚଳାଚଳ, ଦୋକାନବଜାର ବନ୍ଦ ରହିଥିଲା।

Advertisment

ପ୍ରସ୍ତାବିତ ସ୍ଥାନରେ ହିନ୍ଦୁ ସମାଜ କର୍ମକର୍ତ୍ତାମାନେ ରାସ୍ତା ଅବରୋଧ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପାଟଣାଗଡ଼ ଏସ୍‌ଡିପିଓଙ୍କ ତତ୍ତ୍ବାବଧାନରେ ପାଟଣାଗଡ଼, ଲରମ୍ଭା, ଲାଠୋର, ବେଲପଡ଼ା, ଖପ୍ରାଖୋଲ ପୁଲିସ ଅଧିକାରୀମାନଙ୍କ ନେତୃତ୍ବରେ ପୁଲିସ ମୁତୟନ କରାଯାଇଥିଲା। ଦ୍ବିପ୍ରହରରେ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା, ତହସିଲଦାର ଲକ୍ଷ୍ମଣ ମାଝୀ, ସହକାରୀ ଜିଲ୍ଲାପାଳ, ଅତିରିକ୍ତ ତହସିଲଦାର ଧୀରଜ ପାତ୍ର ପ୍ରମୁଖ ପହଞ୍ଚି ଆନ୍ଦୋଳନକରୀମାନଙ୍କ ସହ ଆଲୋଚନା କରିଥିଲେ। ବନ୍ଦ ପାଳନକୁ ସ୍ଥାନୀୟ କଂଗ୍ରେସ ନେତା ତଥା ପସିସି ସଭ୍ୟ ଅନିଲ ମେହେର, ବିଜେପି ନେତା ତଥା ପୂର୍ବ ବିଧାୟକ କନକବର୍ଦ୍ଧନ ସିଂହଦେଓ ସହ ତାଙ୍କ କର୍ମୀମାନେ ସମର୍ଥନ କରି ସାମିଲ ହୋଇଥିଲେ। ସେହିପରି ପଶ୍ଚିମାଞ୍ଚଳ ବଜରଙ୍ଗ ଦଳ ପ୍ରମୁଖ ସୌମ୍ୟରଂଜନ ମିଶ୍ର କର୍ମକର୍ତ୍ତାମାନଙ୍କୁ ନେଇ ସାମିଲ ହୋଇଥିଲେ। ସମ୍ପୃକ୍ତ ସ୍ଥାନରୁ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ହଟା ନଗଲେ ଆଗାମୀ ଦିନରେ ବିରାଟ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।