ସମ୍ବଲପୁରରେ ନାଗରିକତା ଆଇନ ବିରୋଧରେ ବିକ୍ଷୋଭ, ଆଇନ ପ୍ରତ୍ୟାହାର ଦାବିରେ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର

ସମ୍ବଲପୁର: ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆରସି)କୁ ବିରୋଧ କରି ଗୁରୁବାର ସମ୍ବଲପୁରରେ ବିକ୍ଷୋଭ କରାଯାଇଛି। ଭୀମ ଆର୍ମି ଓ ବିଭିନ୍ନ ମୁସଲମାନ୍‌ ସଂଗଠନ ପକ୍ଷରୁ ଏକ ପ୍ରତିବାଦ ରାଲି ଅନୁଷ୍ଠିତ ହୋଇଛି। ପ୍ରତିବାଦକାରୀମାନେ ଆଇନ ପ୍ରତ୍ୟାହାର ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ସ୍ମାରକ ପତ୍ର ସମ୍ବଲପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।

ପ୍ରତିବାଦ ରାଲି ସୁନାପାଲିଠାରୁ ବାହାରି ଭୁତାପଡ଼ା, ଜିଲ୍ଲା ସ୍କୁଲ, ଲକ୍ଷ୍ମୀ ଟକିଜ, ଗୋଲବଜାର, ପୀରବାବା ଛକ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ଥିଲା। ମାତ୍ର ସିଏଏର ସମର୍ଥନ କରୁଥିବା ବଜରଂଗ ଦଳ, ବିଶ୍ୱ ହିନ୍ଦୁ ପରିଷଦ ଭଳି ହିନ୍ଦୁବାଦୀ ସଂଗଠନ ଏହି ଶୋଭାଯାତ୍ରାକୁ ବିରୋଧ କରିବାକୁ ପ୍ରସ୍ତୁତି କରିଥିବାରୁ ସହର ପରିକ୍ରମା ପାଇଁ ଅନୁମତି ଦିଆଯାଇ ନଥିଲା। ଭୁତାପଡ଼ା ଛକ ଉପଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ପୁଲିସ୍‌ ଶୋଭାଯାତ୍ରାକୁ ଅଟକାଇଥିଲା। ସେଠାରେ ଛିଡ଼ା ହୋଇ ବିକ୍ଷୋଭକାରୀମାନେ ସିଏଏକୁ ବିରୋଧ କରି ବିଭିନ୍ନ ପ୍ରକାର ସ୍ଳୋଗାନ ଦେଇଥିଲେ ଓ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ।

ଭୂତାପଡ଼ାଠାରୁ ଏକ ୨୦ ଜଣିଆ ପ୍ରତିନିଧି ଦଳ ପୁଲିସ୍‌ ସୁରକ୍ଷା ମଧ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଶୁଭମ ସକ୍ସେନାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଶୋଭାଯାତ୍ରା ଆରମ୍ଭ ପୂର୍ବରୁ ଦିନ ୧୧ଟାରେ ସୁନାପାଲିରେ ଭୀମ ଆର୍ମିର ଲିଙ୍ଗେଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଗଠନର କର୍ମକର୍ତ୍ତାମାନେ ଉଦ୍‌ବୋଧନ ଦେଇ କହିଥିଲେ, ବର୍ତ୍ତମାନ ଦେଶରେ ଜିଡିପି ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ବେକାରି, ଦରବୃଦ୍ଧି ଭଳି ସମସ୍ୟା ବଢ଼ିଛି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ସିଏଏ ଓ ଏନଆରସି ଭଳି ଆଇନ ଆଣି ବିଭାଜନ ସୃଷ୍ଟି କରାଉଛନ୍ତି।

ସମ୍ବନ୍ଧିତ ଖବର