ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଅବକାରୀ ବିଭାଗ କର୍ମଚାରୀ ଜୋରଜବରଦସ୍ତ ଘରେ ପଶି ଜଙ୍ଗଲରୁ ସଂଗ୍ରହ କରି ରଖିଥିବା ମହୁଲ ନେଇଥିବାରୁ ଏହାର ପ୍ରତିବାଦରେ ଲୋକେ ଅବକାରୀ ଥାନାକୁ ଘେରାଉ କରିଥିଲେ।

Advertisment

ସୂଚନା ଅନୁଯାୟୀ ଆଜି ଅବକାରୀ ଥାନା ପକ୍ଷରୁ ସଲେଇକେନା ପଞ୍ଚାୟତ ଅନ୍ତର୍ଗତ ବାରହାଦେବତା ଗ୍ରାମର କଟେଇ ସାହିରେ ଚଢ଼ଉ କରାଯାଇଥିଲା। ଚଢ଼ଉ ନାଁରେ ଲୋକେ ବଣ ଜଙ୍ଗଲରୁ ସଂଗୃହ କରି ଘରେ ରଖିଥିବା ୧୩ ବସ୍ତା ମହୁଲକୁ ନେଇ ଯାଇଥିଲେ। ଗୌରୀ ପେଣ୍ଠେଇଙ୍କ ୮ ଓ କ୍ଷେତ୍ରବାସୀ ପେଣ୍ଠେଇଙ୍କ ୫ ବସ୍ତା ମହୁଲ ନେଇ ଆସିଥିଲେ। ଗରିବ ଲୋକେ ଖରାତରାରେ ମହୁଲ ସଂଗ୍ରହ କରି ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି। ମାତ୍ର ଅବକାରୀ କର୍ମଚାରୀମାନେ ଜୋରଜବରଦସ୍ତ ଘରେ ପଶି ମହୁଲ ନେଇଯିବାକୁ ଗ୍ରାମବାସୀ ସହଜରେ ଗ୍ରହଣ କରିପାରି ନଥିଲେ। ଖବର ପ୍ରଚାରିତ ହୋଇଯିବା ପରେ ୫୦ରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ତେଲକୋଇ ଅବକାରୀ ଥାନାକୁ ଆସି ଘେରାଉ କରିବା ସହିତ ପାଟିତୁଣ୍ଡ କରିଥିଲେ।

ସଲେଇକେନା ସରପଞ୍ଚ ପାଙ୍ଗେଲା ମୁଣ୍ଡାଙ୍କୁ ପଚାରିବାରୁ କେତେକ ମଦ ମାଫିଆଙ୍କ ପ୍ରରୋଚନାରେ ଅବକାରୀ ବିଭାଗ ପକ୍ଷରୁ ଲୋକଙ୍କୁ ହଇରାଣ ହରକତ କରାଯାଉଛି। ଗାଁ ଗାଁରେ ଭାଟି ମଦ ବିକିବା ସହିତ ପିଇବାକୁ ଅବକାରୀ କର୍ମଚାରୀ ଲୋକଙ୍କୁ କହୁଛନ୍ତି। ନହେଲେ ମିଛ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରୁଛନ୍ତି ବୋଲି ସେ କହିଛନ୍ତି।

ଏନେଇ ତେଲକୋଇ ଅବକାରୀ ଏସଆଇ ରମେଶ ମହାନ୍ତିଙ୍କୁ ପଚାରିବାରୁ ସେ କହିଥିଲେ ଯେ ବେଆଇନ ମଦ କାରବାର ଖବର ପାଇ ଚଢ଼ଉ କରାଯାଉଛି। ଆଜି ବାରହାଦେବତା ଗ୍ରାମରେ ଚଢ଼ଉ କରି ୨୮୦ କିଗ୍ରା ମହୁଲ ଓ ୧୦ ଲିଟର ମହୁଲି ମଦ ଜବତ କରାଯାଇଛି। ଏଥିରେ ସଂପୃକ୍ତ ସତ୍ୟ ପେଣ୍ଠେଇ(୨୪)ଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହିତ ବ୍ୟକ୍ତିଗତ ମୁଚାଳିକାରେ ଛାଡ଼ି ଦିଆଯାଇଛି। ଏହି ଘଟଣାକୁ ନେଇ ମହିଳାମାନେ ଅଫିସ ଘେରାଉ କରିଥିଲେ। ସେମାନଙ୍କୁ ବୁଝାସୁଝା କରି ପଠାଇ ଦିଆଯାଇଛି ବୋଲି ସେ କହିଛନ୍ତି।