ସମ୍ବଲପୁର: ଆସନ୍ତାକାଲିଠାରୁ ବିଭିନ୍ନ ଦାବି ନେଇ ଅମଲାମାନେ ଆନ୍ଦୋଳନକୁ ଓହ୍ଲାଇବେ। ଏଭଳି ସ୍ଥିତିରେ ଭିମ୍ସାର୍ କର୍ତ୍ତୃପକ୍ଷ ପରୀକ୍ଷା ପରିଚାଳନା ନେଇ ହାତଟେକି ଦେଇଛନ୍ତି। ଗତ ୨୫ ତାରିଖରୁ ଭିମ୍ସାର ଏମ୍ଡି/ଏମ୍ଏସ୍ ଏବଂ ଏମ୍ବିବିଏସ୍ ପରୀକ୍ଷା ଆରମ୍ଭ ହୋଇଛି। ଆସନ୍ତା ୧୬ ତାରିଖ ଏସବୁ ପରୀକ୍ଷା ସରିଥାନ୍ତା। ତେବେ, ପରୀକ୍ଷା ମଝିରୁ ଏହା ସ୍ଥଗିତ ରଖି ପରବର୍ତ୍ତୀ ସମୟରେ ଆୟୋଜନ କରିବା ପାଇଁ ଭିମ୍ସାର୍ର ଡିନ୍ ତଥା ଅଧ୍ୟକ୍ଷ ଆଜି ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ଚିଠି ଲେଖି ଅନୁରୋଧ କରିଛନ୍ତି।
ଅମଲାମାନେ ୧ ଜୁନ୍ରୁ ସମୂହ ଛୁଟିରେ ଯାଉଥିବାରୁ ଏବେ ଉପରୋକ୍ତ ୩ ପରୀକ୍ଷା ପରିଚାଳନା ସମ୍ଭବ ନୁହେଁ। ଅମଲମାନେ କାର୍ଯ୍ୟରେ ଯୋଗଦେବା ପରେ ପୁଣି ପରୀକ୍ଷା ଆୟୋଜନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ତେବେ, ଏହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏମ୍ଡି/ଏମ୍ଏସ୍ ପରୀକ୍ଷା ଅଧାରୁ ସ୍ଥଗିତ ରଖିବା ଯୋଗୁ ୨୦୦ ବିଶେଷଜ୍ଞ ଡାକ୍ତରଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଚାଲି ଯାଇଛି। ଆଜି ଡାକ୍ତର ଶାନନ୍ତୁ ଦାସ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଟ୍ବିଟ୍ କରିଛନ୍ତି। ଯଦି, ଆନ୍ଦୋଳନ ସମୟରେ ଡାକ୍ତରମାନେ ଜରୁରୀ କାମ କରୁଛନ୍ତି, ତାହେଲେ ଅନ୍ୟ କର୍ମଚାରୀମାନେ କାହିଁକି ସେଭଳି କରିବେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ପୁଣି, ଏସ୍ସିବି ଏବଂ ଏମ୍କେସିଜି କେମିତି ଏହି ସମୟରେ ପରୀକ୍ଷା ଆୟୋଜନ କରୁଛନ୍ତି ବୋଲି ପ୍ରଶ୍ନ କରିବା ଭିମ୍ସାର୍ କର୍ତ୍ତୃପକ୍ଷଙ୍କ ଅପାରଗତାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/37.jpg)