ରାୟଗଡା: ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟରେ ଦିବ୍ୟାଙ୍ଗଙ୍କୁ ଦୁର୍ବ୍ୟବହାର କରାଯାଉଛି। କୌଣସି କାମରେ ଗଲେ ଜାଣିଶୁଣି ଟାଳି ଦିଆଯାଉଛି। ରାୟଗଡ଼ା ଜିଲ୍ଲା ଦିବ୍ୟାଙ୍ଗ ସଂଘ ଏମିତି ସାଂଘାତିକ ଅଭିଯୋଗ କରିଛି। ସେହିପରି ପ୍ରତିବାଦ ଜଣାଇବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି।
ସଂଘର ଜିଲ୍ଲା ସଭାପତି ରାକେଶ ହିମିରିକାଙ୍କ କହିବା ହେଲା, ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଦିବ୍ୟାଙ୍ଗ ନିଜ ସମସ୍ୟା ନେଇ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟକୁ ଆସୁଛନ୍ତି। କିନ୍ତୁ ସେମାନଙ୍କୁ ଉଚିତ ସମ୍ମାନ ମିଳୁନି, ସବୁବେଳେ ଦୁର୍ବ୍ୟବହାର କରାଯାଉଛି। କୌଣସି କାମରେ ଆସିଲେ ଅଣଦେଖା କରିବା ସହ ଅନ୍ୟ କାର୍ଯ୍ୟାଳୟକୁ ଯିବାକୁ ବାଧ୍ୟ କରାଯାଉଛି। ଦୂରରୁ ଆସୁଥିବା ଦିବ୍ୟାଙ୍ଗ ଏଥିପାଇଁ କଷ୍ଟ ସ୍ବୀକାର କରିବା ସହ ଖର୍ଚ୍ଚାନ୍ତ ହେଉଛନ୍ତି। ଶେଷରେ ନିରାଶ ହୋଇ ଫେରୁଛନ୍ତି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁରେନ୍ଦ୍ର ଗମାଙ୍ଗ ଏ ନେଇ ଅବଗତ ରହିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନେଉନାହାନ୍ତି। ଏମିତି ସ୍ଥିତିରେ ଦିବ୍ୟାଙ୍ଗ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବା ବ୍ୟତୀତ କୌଣସି ବିକଳ୍ପ ନଥିବା ଶ୍ରୀ ହିମିରିକା କହିଛନ୍ତି। ଶତାଧିକ ସଂଖ୍ୟାରେ ଦିବ୍ୟାଙ୍ଗ ଆଜି କାର୍ଯ୍ୟାଳୟ ଘେରାଉ କରି ନାରା ଦେଇଥିଲେ।
ଘେରାଉ ଖବର ପାଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁରେନ୍ଦ୍ର ଗମାଙ୍ଗ ପହଞ୍ଚି ବୁଝାସୁଝା କରିଥିଲେ। କିନ୍ତୁ କ୍ଷମା ନମାଗିବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ଦିବ୍ୟାଙ୍ଗ କହିଥିଲେ। କୋଲନରା ବ୍ଲକ୍ ସଂଘ ଗଠନ ନିମନ୍ତେ ଏନ୍ଓସି ଆବଶ୍ୟକ ହେଉଥିବା ବେଳେ ବାରମ୍ବାର କାର୍ଯ୍ୟାଳୟକୁ ଆସିଲେ ହତାଦର କରି ଖାଲିହାତରେ ଫେରାଇ ଦିଆଯାଉଛି ବୋଲି ଅଭିଯୋଗ ହୋଇଥିଲା। ଶ୍ରୀ ଗାମାଙ୍ଗ ତୁରନ୍ତ ଏନ୍ଓସି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ଧାରଣା ପ୍ରତ୍ୟାହାର ହୋଇନଥିଲା। ଭିଡ଼ ଅଧିକ ରହିଥିବାରୁ ପୁଲିସ ପହଞ୍ଚି ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲା। ଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଗମାଙ୍ଗ କ୍ଷମା ମାଗିବା ସହ ଆଗକୁ ଏଭଳି ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। କୌଣସି କର୍ମଚାରୀ ଦୁର୍ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭରସା ଦେବାରୁ ଧାରଣା ପ୍ରତ୍ୟାହାର ହୋଇଥିଲା। ଆଜିର ଧାରଣରେ ସଂଘର ସଂପାଦକ ଜଳନ୍ଧର ବେଚଲି, ସନ୍ତୋଷ ମହାପାତ୍ର, ପ୍ରଫୁଲ୍ଲ ବିଡିକା, ସାବେଲ ଶବର, ଗାଡେ ଶବର, ପଦ୍ମ ମହାନନ୍ଦିଆ ପ୍ରମୁଖ ସାମିଲ ହୋଇଥିଲେ।