ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ ଶୁକ୍ରବାର ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯିବା ସହ ଧାରଣା ଦିଆଯାଇଛି। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ ଦଫା ସମ୍ବଳିତ ଦାବିପତ୍ର ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୪ଟି ବ୍ଲକ୍ରୁ ପ୍ରାୟ ୭୦୦ କର୍ମଚାରୀ ସାମିଲଥିଲେ। ସ୍ଥାନୀୟ ଯାଦବ ଭବନରୁ ଶତାଧିକ କର୍ମଚାରୀ ରାଲିରେ ବାହାରି ଜିଲ୍ଲାପାଳ ଅଫିସ ଆଗରେ ପହଞ୍ଚି ଧାରଣା ଦେଇଥିଲେ। ଜିଲ୍ଲା ସଂଘ ଉପଦେଷ୍ଟା ହେମନ୍ତ ପଣ୍ଡା ଏହି ରାଲିର ନେତୃତ୍ୱ ନେଇ ଧାରଣାସ୍ଥଳରେ ଆଉଟସୋର୍ସିଂ କର୍ମଚାରୀଙ୍କ ପ୍ରତି ହୋଇଆସୁଥିବା ଶୋଷଣର ବିକଳଚିତ୍ର ଉପସ୍ଥାପନ କରିବା ସହ ଏହି ଅମାନୁଷିକ ବ୍ୟବସ୍ଥାକୁ ତୁରନ୍ତ ଉଚ୍ଛେଦ କରାଯାଇ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ଦାବି କରିଥିଲେ।
ସେହିପରି ସମାନ କାମ ପାଇଁ ସମାନ ଦରମା ପ୍ରଦାନ, ବହିଷ୍କୃତ ସମସ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି, ମାତୃତ୍ୱକାଳୀନ ଛୁଟି ଆଦି ଦାବି କରାଯାଇଥିଲା। ସଭାପତି ରାଜେଶ ଝାଙ୍କର, ସମ୍ପାଦକ ଚଞ୍ଚଳ ମିଶ୍ର, ଦିଲୀପ ସାହୁ, ପୂର୍ଣ୍ଣବାସୀ ବଗର୍ତ୍ତି, ବବିତା ପୁରୋହିତ, ଅଭିଳାଷ ମିଶ୍ର ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ। ଧାରଣାସ୍ଥଳରେ ଅନିଲ ପଣ୍ଡା, ନିରୋଜ ମିଶ୍ର, ମନୋଜ ବେହେରା, ସତ୍ୟାନନ୍ଦ ସେଠ, ଆଶୁତୋଷ ବେହେରା, ଅଭିଳାଷ ମିଶ୍ର, ଲକ୍ଷ୍ମଣ ସାହୁ, ରଶ୍ମିରଂଜନ ହୋତା, ଜ୍ୟୋତି ପ୍ରକାଶ ବାବୁ, ଶୁକଦେବ ନାୟକ, ଖୁସିରାମ ସାହୁ, ବିକାଶ ସେଲମା, ରୋହିତାକ୍ଷ ପଣ୍ଡା, ମୋତିଲାଲ ରାଜପୁତ, ସଞ୍ଜୀବ ପ୍ରଧାନ, ରାମାନନ୍ଦ ବେହେରା, ଗୋବର୍ଦ୍ଧନ ବାଗ, ସଂଗ୍ରାମ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।