ପାଣି ପାଇଁ ଗରା,ବାଲ୍ଟି ଧରି ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଶତାଧିକ ମହିଳା

ଚିତ୍ରଡା: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରବଳ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।ତେବେ ଏଭଳି ପରିସ୍ଥିତିରେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅଞ୍ଚଳରେ ଲୋକେ ପାଣି ପାଇଁ ଡହଳବିକଳ ହେଉଥିବାର ଅଭିଯୋଗ ହୋଇଛି ।ଏବଂ ପାଣି ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ଦୀର୍ଘ ୧୦ କିଲୋମିଟର ରୁ ଉର୍ଦ୍ଧ୍ବ ରାସ୍ତା କୁ ବାଲ୍ଟି,ଗରା ଧରି ଚାଲି ଚାଲି ଆସି ଚିତ୍ରଡା ସ୍ଥିତ ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚିବା ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ଶତାଧିକ ମହିଳା ।ଏହି ବ୍ଲକ ଅଧିନ ଭାଲିଆଡିହା ପଞ୍ଚାୟତ ରୁ ଆସିଛି ଏଭଳି ଅଭିଯୋଗ ।ଏବଂ ଏନେଇ ବିଡ଼ିଓ ଙ୍କୁ ସାକ୍ଷାତ କରି ମହିଳା ମାନେ ଅଭିଯୋଗ କରିବା ସହ ଏକ ଲିଖିତ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

ଅଭିଯୋଗ ଅନୁସାରେ ଉକ୍ତ ପଞ୍ଚାୟତ ର ନିଚୁଆପଦା ଗ୍ରାମର ଅଠର ନମ୍ବର ୱାର୍ଡରେ ଗତ ପନ୍ଦର ବର୍ଷରୁ ଉର୍ଧ୍ଵ ହେବ ଗ୍ରାମକୁ ଏଯାଏ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇନାହିଁ । ତେବେ ପ୍ରଶାସନକୁ ଗ୍ରାମବାସୀ ମାନେ ବାରମ୍ବାର ଅନୁରୋଧ କରିବା ପରେ ଗ୍ରାମରେ ଏକ ସରକାରୀ କୂଅ ଖୋଳା ଯାଇଥିଲା କିନ୍ତୁ ଉକ୍ତ କୂଅ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବାରୁ ଉକ୍ତ କୂଅର ପାଣି ବ୍ୟବହାର ଅନୁପଯୋଗୀ । ସେହିପରି ପରେ ପରେ ଗ୍ରାମରେ ଏକ ନଳକୂପ ବସାଯାଇଥିଲା କିନ୍ତୁ ବର୍ତ୍ତମାନ ଉକ୍ତ ନଳକୂପରୁ ଗୋଳିଆ ପାଣି ବାହାରୁଛି । ଫଳରେ ଲୋକେ ପିଇବା ପାଣି ପାଇଁ ନାହିଁନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏବାବଦରେ ଗ୍ରାମବାସୀ ମାନେ ବାରମ୍ବାର ପାନୀୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ କହିଲା ପରେ ମଧ୍ୟ କୌଣସି ସୁଫଳ ମିଳିଲାନାହିଁ ।

ବାଧ୍ୟ ହୋଇ ଶୁକ୍ରବାର ଗ୍ରାମର ମହିଳା ମାନେ ଗରା, ବାଲଟି ଧରି ପ୍ରାୟ ୧୦ କିଲୋମିଟର ରାସ୍ତା ଖରାରେ ଚାଲିଚାଲି ଆସି ବ୍ଲକ କାର୍ଯ୍ୟାଳୟ ଅଫିସ ଆଗରେ ଧାରଣା ଦେଇଛନ୍ତି ।ତେବେ ଏନେଇ ବିଡ଼ିଓ ଜୟକୃଷ୍ଣ ପାତ୍ର,ମହିଳା ମାନଙ୍କ ସହିତ ଆଲୋଚନା କରି ପ୍ରତିଶୃତି ଦେବା ପରେ ମହିଳା ମାନେ ଧାରଣା ରୁ ଉଠିଥିଲେ । ଆସନ୍ତାକାଲି ନଳକୂପର ମରାମତି କରାଯିବା ସହିତ ଆସନ୍ତା ତିନିରୁ ଚାରିଦିନ ଭିତରେ ଗ୍ରାମରେ ସମ୍ପୂର୍ଣଭାବେ ପିଇବା ପାଣି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବିଡ଼ିଓ ଶ୍ରୀ ପାତ୍ର ।

ସମ୍ବନ୍ଧିତ ଖବର