ପାଣି ପାଇଁ ପଞ୍ଚାୟତ ଘେରିଲେ ମହିଳା

ପଣ୍ତାପଡ଼ା: ଘଟଗାଁ ବ୍ଲକ୍‌ ପୁରୁମୁଣ୍ତା ପୁରୁମୁଣ୍ତା ଗ୍ରାମର ୨ ନଂମ୍ବର ୱାର୍ଡରେ ପାନୀୟଜଳ ସମସ୍ୟା ଲାଗିରହିଛି। ଏହାର ସମାଧାନ ପାଇଁ ପଦକ୍ଷେପ ନିଆଯାଉ ନଥିବାରୁ ଆଜି ଶତାଧିକ ମହିଳା ପଞ୍ଚାୟତ କାଯ୍ୟାଳୟ ଓ ‘ବସୁଧା’ ପ୍ରକଳ୍ପର ପମ୍ପ ହାଉସ୍‌ ଫାଟକରେ ତାଲା ପକାଇଛନ୍ତି। ଏହି ୱାର୍ଡରେ ୭୦ରୁ ଅଧିକା ପରିବାର ବାସ କରନ୍ତି। ଜଳସ୍ତର ହ୍ରାସ ପାଇଥିବାରୁ ଖରାଦିନେ ନଳକୂପରୁ ପାଣି ବାହାରୁ ନାହିଁ। ଅନ୍ୟପଟେ ବସୁଧା ଯୋଜନାରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ଲୋକଙ୍କ ଘରେ ପାଣି ପହଞ୍ଚୁ ନାହିଁ।

ଏନେଇ ସପ୍ତାହେ ତଳେ ଲୋକେ ପଞ୍ଚାୟତରେ ଜଣାଇଥିଲେ। କୌଣସି ପଦକ୍ଷେପ ନିଆନଯିବାରୁ ମହିଳାମାନେ ହାଣ୍ତି, ମାଠିଆ ଧରି ପଞ୍ଚାୟତ କା‌ର୍ଯ୍ୟାଳୟ ଘେରାଉ କରିଥିଲେ। ସରପଞ୍ଚ ସନ୍ତୋଷିନୀ ନାୟକ ଓ ପିଇଓ ନବଘନ ମାଝୀ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିଥିଲେ। ପଞ୍ଚାୟତକୁ ଅଡିଟ୍‌ କରିବାପାଇଁ ଆସିଥିବା କର୍ମଚାରୀମାନେ ବାହାରେ ଅଟକି ରହିଥିଲେ। ଶେଷରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ଓ ପାନୀୟଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ମହିଳାମାନେ ତାଲା ଖୋଲିଥିଲେ। ଏନେଇ ସରପଞ୍ଚ ସନ୍ତୋଷନୀ ନାୟକଙ୍କୁ ପଚାରିବାରୁ, ଅନେକ ପରିବାର ବସୁଧା ପ୍ରକଳ୍ପର ମୁଖ୍ୟ ପାଇପ୍‌ରୁ ନିଜ ନିଜ ଘରକୁ ପାଇପ୍‌ ସଂଯୋଗ କରି ପାଣି ନେଉଛନ୍ତି। ଯେଉଁଥିପାଇଁ ତଳମୁଣ୍ଡରେ ପହଞ୍ଚି ପାରୁନାହିଁ ବୋଲି ସେ କହିଛନ୍ତି। ବୀଣାପାଣି ନାୟକ, ରଞ୍ଜିତା ନାୟକ, ସୁକାନ୍ତି ନାୟକ, ଲକ୍ଷ୍ମୀ ନାୟକ, ସସ୍ମିତା ନାୟକ, ମିନତି ନାୟକ, ଦେବକୀ ନାୟକ, ବାସନ୍ତି ନାୟକ, ଚନ୍ଦ୍ରାବତୀ ନାୟକଙ୍କ ନେତୃତ୍ବରେ ଶତାଧିକ ମହିଳା ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ।

ସମ୍ବନ୍ଧିତ ଖବର