ବଲାଙ୍ଗୀର: ବିଦ୍ୟୁତ୍‌ ସମସ୍ୟା ପ୍ରତିବାଦରେ ଶୁକ୍ରବାର ସ୍ଥାନୀୟ ବିଦ୍ୟୁତ୍‌ ବିଭାଗ ଅଫିସ ଆଗରେ ବଲାଙ୍ଗୀର ୟୁଥ୍‌ ଏକ୍ସନ କମିଟି ପକ୍ଷରୁ ଧାରଣା ଦିଆଯାଇଥିଲା। ଏକ୍ସନ କମିଟି ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ସହରର ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନ କର୍ମକର୍ତ୍ତା ଏଥିରେ ସାମିଲ ହୋଇଥିଲେ। ପ୍ରଚଣ୍ଡ ରୌଦ୍ରତାପରେ ଅତିଷ୍ଠ ବଲାଙ୍ଗୀର ସହରରେ ମେଣ୍ଟେନାନ୍ସ ନାଁରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ୍‌, ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଓ ଦେୟ ଆଦାୟ ପାଇଁ ଯାଉଥିବା କର୍ମଚାରୀଙ୍କ ବ୍ୟବହାରକୁ ତୀବ୍ର ବିରୋଧ କରିଥିଲେ। ଏକ୍ସନ କମିଟିର ଅଭିଯୋଗ ହେଲା, ଓଡ଼ିଶା ବିଦ୍ୟୁତ୍‌ ବଳକା ରାଜ୍ୟ ଏବଂ ଅନ୍ୟ ରାଜ୍ୟଗୁଡ଼ିକୁ ବିଦ୍ୟୁତ୍‌ ବିକ୍ରି କରୁଥିବା ମନେହେଉଛି। ରାଜ୍ୟ ସରକାର ବିଗତ ୧୦ବର୍ଷ ମଧ୍ୟରେ ୨୦ ହଜାର କୋଟି ଟଙ୍କା ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ ହୋଇଥିବା ନେଇ କହୁଥିବା ବେଳେ ବିଦ୍ୟୁତ୍‌ ବିତରକ କମ୍ପାନି କହୁଛି ରାଜ୍ୟରେ ମାତ୍ର ୫୦୦ କୋଟି ଟଙ୍କାର ଭିତ୍ତିଭୂମି ରହିଛି। ଏଥିରୁ ୧୫ହଜାର କୋଟି ଟଙ୍କାର ଦୁର୍ନୀତିର ଗନ୍ଧ ବାରିହେଉଛି।

Advertisment

ଏହି ଦୁର୍ନୀତି ତଥା ନିଜର ଦୁର୍ବଳତାକୁ ଲୁଚାଇବାକୁ ଏହି ଅଘୋଷିତ ବିଦ୍ୟୁତ କାଟ ହେଉନାହିଁ ତ ବୋଲି ବକ୍ତାମାନେ ନିଜ ବକ୍ତବ୍ୟରେ ପ୍ରଶ୍ନ କରିଥିଲେ। ଏଭଳି ବିଦ୍ୟୁତ୍‌ କାଟ ତଥା ଜୋରଜବରଦସ୍ତ ବିଦ୍ୟୁତ ପାଉଣା ଆଦାୟ ଜାରି ରହିଲେ କମିଟି ରାଜରାସ୍ତାରେ ଆନ୍ଦୋଳନ କରିବା ସହ ଆଇନକୁ ନିଜ ହାତକୁ ନେବା ପାଇଁ ପଛେଇବ ନାହିଁ ବୋଲି ଚେତାବନୀ ଦେଇଛି। ଗଣଧାରଣାରେ ନାଗରିକ କମିଟି ସାଧାରଣ ସଂପାଦକ ମନୋରଞ୍ଜନ ସାହୁ, ଅଶୋକ ମିଶ୍ର, ଚକ୍ରପାଣି ଦାସ, ସୈନିକ ସଂଘ ସାଧାରଣ ସମ୍ପାଦକ ପ୍ରତାପ ରଥ, ସିଭିଲ ସୋସାଇଟି ସଭାପତି ନୀଳମଣି ମିଶ୍ର, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ମନୀଷ ମିଶ୍ର, ଅସିତ, ବିଜେପିର ବରିଷ୍ଠ ନେତା ପୀତାମ୍ବର ଖମାରୀ, ଗିରୀଶ ସିଂହଦେଓ, ବୁଲୁ ସିଂହଦେଓ, ଯୁବନେତା ବିନୋଦ କାଲସାଏ, ସନ୍ତୋଷ ସାହୁ, ରିଲୁ ରଥ, ଅପ୍ରମିତ ପରିଛା, ରବି ଖମାରୀ, ପ୍ରତାପ ତ୍ରିପାଠୀ, ସଞ୍ଜୟ ସାହୁ, ରାଜେନ୍ଦ୍ର ସେଠୀ, ସୁନୀଲ ମିଶ୍ର, ପ୍ରଦୀପ ସାହୁ, ରଶ୍ମିରେଖା ଦାନୀ, ବନଶ୍ରୀ ଆଚାର୍ଯ୍ୟ, ମାହେଶ୍ୱରୀ ସଂଗଠନ ସଭାପତି ଅଙ୍କୁଶ ପାଣ୍ଡିଆ, ଶୋଭନ ଅଗ୍ରୱାଲ, ସ୍ବେଚ୍ଛାସେବୀ ସଂଗଠନର ସମ୍ପାଦକ ଗୋବିନ୍ଦ ଶତପଥୀ, ରବୀନ୍ଦ୍ର ପ୍ରଧାନ, ପଶ୍ଚିମ ଓଡ଼ିଶା ଯୁବମଞ୍ଚର ବୀରେନ୍ଦ୍ର ପାଣ୍ଡେ, ସ୍ମାଇଲ ଫର୍ ଅଲ୍‌ର ସଂଜୀବ ସାହୁ, ସୁଧାଂଶୁ ମିଶ୍ର ପ୍ରମୁଖ ଉପସ୍ଥିତଥିଲେ। ଏକ୍ସନ କମିଟି ଉପସଭାପତି ମୁନା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।