ରାଉରକେଲା: ରାଉରକେଲା ପ୍ରତି ରେଳବାଇର ଅବହେଳା ତାଲିକା ବେଶ୍ ଲମ୍ବା। ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ରାଉରକେଲାର ବିକାଶକୁ ବିଭାଗ ଏକପ୍ରକାର ଆଖି ବୁଜି ଦେଇଛି। ଏଯାଏ ରାଉରକେଲା ରେଳ ଷ୍ଟେସନ ନୂଆ ରୂପ ପାଇପାରି ନଥିବାବେଳେ ବନ୍ଦେ ଭାରତ୍ ଟ୍ରେନ୍ ଚଳାଚଳ ସମ୍ଭବ ହୋଇନି। ପୁଣି ରାଉରକେଲା ଦେଇ କିଛି ଗୁରୁତ୍ବପୂର୍ଣ୍ଣ ଟ୍ରେନ୍ ଚଳାଇବା ଦାବିକୁ ଅଣଦେଖା କରାଯାଉଛି। ବହୁ ପୁରୁଣା ରାଉରକେଲା ରେଳ ମଣ୍ଡଳ ଦାବି ସହରବାସୀଙ୍କ ପାଇଁ ସ୍ବପ୍ନ ହୋଇ ରହିଯାଇଛି। ଖଣିଜ ପଦାର୍ଥ ତଥା ଶିଳ୍ପ କାରଖାନାରେ ପରିପୂର୍ଣ୍ଣ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାକୁ ମିଶାଇ ରାଉରକେଲା ରେଳ ମଣ୍ଡଳ ଗଠନ ପାଇଁ ବହୁ ଦିନରୁ ଦାବି ହୋଇ ଆସୁଛି ଯାହା ବିଭିନ୍ନ ଦୃଷ୍ଟିକୋଣରୁ ନ୍ୟାୟସଂଗତ ମଧ୍ୟ।
ରାଜ୍ୟରେ ମୋଟ ୨୪୯୫ କିଲୋମିଟର ରେଳପଥ ରହିଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାର ଭାଗ ୩୩୭ କିଲୋମିଟର। ରେଳବାଇ କେବଳ ଏହି ଜିଲ୍ଲାରୁ ବାର୍ଷିକ ପ୍ରାୟ ୮ ଶହ କୋଟି ଟଙ୍କାର ରାଜସ୍ବ ପାଉଛି, ଯାହାକି ଚକ୍ରଧରପୁର ମଣ୍ଡଳର ମୋଟ ରାଜସ୍ବର ପ୍ରାୟ ୪୦ ପ୍ରତିଶତ। ଦକ୍ଷିଣ ପୂର୍ବ ରେଳବାଇ ଅଧୀନରେ ଥିବା ରାଉରକେଲା ଓ ଝାରସୁଗୁଡ଼ା ଏବଂ ପୂର୍ବତଟ ରେଳବାଇ ଅଧିନସ୍ଥ କେନ୍ଦୁଝରକୁ ମିଶାଇ ରାଉରକେଲାରେ ରେଳ ମଣ୍ଡଳ ସ୍ଥାପନ କରିବା ଏବଂ ତାକୁ ପୂର୍ବତଟ ରେଳବାଇ ଅଧୀନକୁ ଆଣିବାକୁ ଦାବି ଜୋର୍ ଧରିଥିଲା। ଏହି ତିନିଟି ଜିଲ୍ଲାରେ କୋଇଲା, ଲୁହାପଥର, ମାଙ୍ଗାନିଜ୍, କ୍ରୋମାଇଟ୍, କ୍ୱାର୍ଟଜାଇଟ୍, ବକ୍ସାଇଟ୍, ପିରୋଫାଇଲାଇଟ୍, ଚୂନ ପଥର ଆଦି ବିଭିନ୍ନ ଖଣି ରହିଛି। ଏତଦ୍ବ୍ୟତୀତ ବିଭିନ୍ନ ପ୍ରତିଷ୍ଠିତ ଶିଳ୍ପ କାରଖାନା ଯଥା ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି), ଓସିଏଲ୍ (ରାଜଗାଙ୍ଗପୁର), ଟାଟା ରିଫ୍ରାକ୍ଟୋରିଜ୍(ବେଲପାହାଡ଼), ଆଧୁନିକ ମେଟାଲିକ୍ (ଏବେକାର ଲିବର୍ଟି ହାଉସ୍), ଏଲ୍ ଆଣ୍ଡ୍ ଟି(କାଂଶବାହାଲ), ବେଦାନ୍ତ (ଝାରସୁଗୁଡ଼ା) ଆଦି ଅନେକ ବୃହତ୍ ଶିଳ୍ପ ସଂସ୍ଥା ରହିଛି। ଫଳରେ ମାଲ୍ ପରିବହନ ବାବଦ ରାଜସ୍ବର ସିଂହଭାଗ ଏହି ଅଞ୍ଚଳରୁ ଆସିଥାଏ। କିନ୍ତୁ ସେହି ଅନୁପାତରେ ସ୍ଥାନୀୟ ଅଞ୍ଚଳରେ ବ୍ୟୟ ହୁଏ ନାହିଁ। ରେଳବାଇ ତରଫରୁ ରାଉରକେଲା ଓ ଝାରସୁଗୁଡ଼ା ପ୍ରତି ଅବହେଳା ଏହି ଦାବିକୁ ବଳ ଦେଇଥିଲା।
ବିଗତ ଦିନରେ ରାଉରକେଲା ରେଳ ମଣ୍ଡଳ ଦାବିରେ ବ୍ୟାପକ ଆନ୍ଦୋଳନ ବି କରାଯାଇଥିଲା। ଏନେଇ ଖୋଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ରେଳମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ୨୦୧୮ ଫେବ୍ରୁଆରି ମାସରେ ରାଜ୍ୟରେ ତିନିଟି ନୂଆ ରେଳ ଡିଭିଜନ ସ୍ଥାପନ କରି ଓଡ଼ିଶାକୁ ଗୋଟିଏ ରେଳବାଇ ଜୋନ୍ କରିବାକୁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଥିଲେ। ଗତ ୨୦୨୨ ମାର୍ଚ୍ଚରେ ମଧ୍ୟ ମୁଖ୍ୟମନ୍ତ୍ରୀ ପତ୍ର ମାଧ୍ୟମରେ ଝାରସୁଗୁଡ଼ା-ବରସୁଆଁ-କିରିବୁରୁ ସେକ୍ସନ, ରାଉରକେଲା-ନୂଆଗାଁ ଓ ଝାରସୁଗୁଡ଼ା-ହେମଗିର ସେକ୍ସନକୁ ନେଇ ରାଉରକେଲା ନୂଆ ଡିଭିଜନ ସ୍ଥାପନ କରିବାକୁ ଦାବି ଦୋହରାଇଥିଲେ। ବିଜେଡି ସାଂସଦଙ୍କ ଏକ ପ୍ରତିନିଧି ଦଳ ରେଳମନ୍ତ୍ରୀଙ୍କୁ ଭେଟି ସମାନ ଦାବି କରିଥିଲେ। ଏହାପରଠାରୁ ଏକାଧିକବାର ମୁଖ୍ୟମନ୍ତ୍ରୀ, ସାଂସଦ ଦାବି ଉପସ୍ଥାପନ କରିଛନ୍ତି। କିନ୍ତୁ ରେଳ ବିଭାଗ ତଥା କେନ୍ଦ୍ର ସରକାର ଏହାକୁ ଅଣଦେଖା କରି ଚାଲିଛନ୍ତି। ଓଲଟା ରେଳ କର୍ତ୍ତୃପକ୍ଷ ସିଧାସଳଖ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିବା ଜନ ଅସନ୍ତୋଷ ବୃଦ୍ଧିର କାରଣ ପାଲଟିଛି। ରାଉରକେଲା କିମ୍ବା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ନୂତନ ରେଳ ଡିଭିଜନ ସ୍ଥାପନର କୌଣସି ଯୋଜନା ନ ଥିବା ପୂର୍ବତନ ରେଳମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ। ଏମିତିକି ଗତ ୨୦୨୨ ଜୁଲାଇ ୧୦ ତାରିଖରେ ରାଉରକେଲା ଗସ୍ତରେ ଆସିଥିବା ଭାରତୀୟ ରେଳବାଇ ବୋର୍ଡର ଅଧ୍ୟକ୍ଷ ବିନୟ କୁମାର ତ୍ରିପାଠୀ ମଧ୍ୟ ସମାନ ଯୁକ୍ତି ବାଢ଼ିଥିଲେ। ଏହି କାରଣରୁ ରାଉରକେଲା ରେଳ ମଣ୍ଡଳ ସ୍ବପ୍ନ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। କିନ୍ତୁ ଦାବି ହାସଲ ପାଇଁ ଆନ୍ଦୋଳନ ଯେଉଁ ଭଳି ତୀବ୍ର ହେବା କଥା ତାହା ନହୋଇ ଦିନକୁ ଦିନ ଶିଥିଳ ପଡ଼ିଯାଇଛି।