ବାଲେଶ୍ୱର: ବାଲେଶ୍ୱର ସହର ସ୍ଥିତ ପୁଲିସ ପରେଡ୍‌ ପଡ଼ିଆରେ ‘ଅଗ୍ନିପଥ’ ଯୋଜନା ଅନ୍ତର୍ଗତ ଚୟନ ପ୍ରକ୍ରିୟା ଜାରି ରହିଛି। ଭାରତୀୟ ସେନା ବାହିନୀ, କଟକ ସେନା ନିଯୁକ୍ତି କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନର ମିଳିତ ସୌଜନ୍ୟରେ ଅନୁଷ୍ଠିତ ହେଉଥିବା ଏହି ଚୟନ ପ୍ରକ୍ରିୟାରେ ଶାରୀରିକ ଫିଟନେସ୍ ପରୀକ୍ଷା ଏବଂ ମେଡିକାଲ ପରୀକ୍ଷା ୧ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରକ୍ରିୟାରେ କଟକ କେନ୍ଦ୍ରାଞ୍ଚଳ ରାଜସ୍ବ ବିଭାଜନ ଅଧୀନରେ ଆସୁଥିବା ପୁରୀ, ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ନୟାଗଡ଼ ଜିଲ୍ଲାରୁ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୨୫୦୦ ଯୁବପ୍ରତିଭା ଯୋଗ ଦେଇଛନ୍ତି।

Advertisment

publive-image

ଏହି ପରିପ୍ରେକ୍ଷୀରେ ଆଜି ସକାଳେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ରିଜର୍ଭ ପୁଲିସ ପରେଡ୍‌ ପଡ଼ିଆ ପରିଦର୍ଶନ କରି ଯୋଗ ଦେଇଥିବା ଯୁବକମାନଙ୍କୁ ଉତ୍ସାହିତ କରିଥିଲେ। ତତ୍‌ସହିତ ଅଂଶଗ୍ରହଣକାରୀଙ୍କ ନିମନ୍ତେ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ପତାକା ଦେଖାଇ ଦୌଡ଼ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ଅବସରରେ ଭାରତୀୟ ସେନା ବାହିନୀର ମେଜର ଜେନେରାଲ, ବ୍ରିଗେଡିଅର, କୋଲୋନେଲ ଏବଂ ସେନା ନିଯୁକ୍ତି କାର୍ଯ୍ୟାଳୟର ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି, ଚୟନ ପ୍ରକ୍ରିୟାକୁ ସଫଳ କରିବା ନିମନ୍ତେ ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ତତ୍ତ୍ୱାବଧାନରେ ଏବଂ ନୋଡାଲ ଅଫିସର ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ରଞ୍ଜନ କୁମାର ମିଶ୍ର ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ତଦାରଖରେ ବିଭିନ୍ନ ସେବା ଯୋଗାଇ ଦିଆଯାଉଛି। ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରାର୍ଥୀଙ୍କ ରାତି ରହଣି ପାଇଁ ବାଲେଶ୍ବର ବସ୍‌ଷ୍ଟାଣ୍ଡ ଭିତରେ ଥିବା ପ୍ରଥମମହଲା କୋଠାରେ ବ୍ୟବସ୍ଥା କରାଯାଇଛି।