ସୁନ୍ଦରଗଡ଼ରେ ‘ସ୍ପିରୁଲିନାଯୁକ୍ତ ଚିକି’ ପ୍ରସ୍ତୁତି ୟୁନିଟକୁ ଉଦଘାଟନ କଲେ ମନ୍ତ୍ରୀ ଅରୁଣ ସାହୁ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଏବେ ପ୍ରସ୍ତୁତ କରାଯିବ ସ୍ପିରୁଲିନାଯୁକ୍ତ ଚିକି। ସଦର ବ୍ଲକ୍‌ ଅନ୍ତର୍ଗତ ରଙ୍ଗାଢ଼ିପାଠାରେ ଏଥିପାଇଁ ଏକ ଚିକି ପ୍ରସ୍ତୁତି ୟୁନିଟର ଶୁଭାରମ୍ଭ କରାଯାଇଛି।  ଶନିବାର ଦିନ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଏହାର ଉଦଘାଟନ କରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ସାନ ସାନ ପିଲାମାନଙ୍କ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ମାଣ୍ଡିଆ ଲଡୁ ମିକ୍ସ ସହିତ ସ୍ପିରୁଲିନା ଚିନି ଓ ଚିକି ବଣ୍ଟନ କରାଯାଉଛି। ୨୦୨୦ ଅଗଷ୍ଟ ୧୫ ତାରିଖରେ ଏହି ପୋଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏଥିପାଇଁ ଜିଲ୍ଲାରୁ ଉତ୍ପାଦିତ ମାଣ୍ଡିଆରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ମାଣ୍ଡିଆ ଲଡ଼ୁ ଲାଗି ମିକ୍ସ ପ୍ରସ୍ତୁତ କରାଯାଉଥିବା ବେଳେ ବର୍ତ୍ତମାନ ରାଜ୍ୟ ବାହାରୁ ସୁନ୍ଦରଗଡ଼ ଜିଲ୍ଲାକୁ ସ୍ପିରୁଲିନା ମିଶ୍ରିତ ଚିକି ଓ ଚିନି ଅଣାଯାଉଛି।

ଏବେ ସୁନ୍ଦରଗଡ଼ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଚିକି ପ୍ରସ୍ତୁତ କରାଯିବ। ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ର ରଙ୍ଗାଢ଼ିପାଠାରେ ଚିକି ୟୁନିଟ୍‌ ଆରମ୍ଭ କରାଯାଇଛି। ଏଠାରେ ପ୍ରସ୍ତୁତ ହେବାକୁ ଥିବା ଚିକି ସୁନ୍ଦରଗଡ଼ ଉପଖଣ୍ଡର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଯୋଗାଇ ଦିଆଯିବ।

ମନ୍ତ୍ରୀ ଡକ୍ଟର ସାହୁ ଚିକି ପ୍ରସ୍ତୁତି ୟୁନିଟ୍‌ ଉଦଘାଟନ କରିବା ପରେ ସେଠାରେ ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଜିଲ୍ଲାରେ ଚାଲିଥିବା ଏହି ସ୍ୱତନ୍ତ୍ର ପୋଷଣ କାର୍ଯ୍ୟକ୍ରମର ଅଗ୍ରଗତି ସହ ଶିଶୁଙ୍କ ପୁଷ୍ଟି ସାଧନରେ ସ୍ପିରୁଲିନା କିଭଳି ଉପକାରୀ ହୋଇପାରିଛି ସେ ସମ୍ପର୍କରେ ମନ୍ତ୍ରୀଙ୍କୁ ଜଣାଇଥିଲେ।

ସମ୍ବନ୍ଧିତ ଖବର