ବାରିପଦା : ଆଷାଢ଼ ସରି ଶ୍ରାବଣ ହେଲାଣି। ସାଧାରଣତଃ ଏହି ସମୟରେ ବିଲରେ ପାଣି ଲହଡ଼ି ମାରିଥାଏ। ରୁଆପୋତା କାମ ଜୋର୍ ଧରେ। ହେଲେ ଏଥର ବର୍ଷାଭାବରୁ ରୁଆପୋତା ବଦଳରେ ଜମିରେ ଗୋରୁ ଚରୁଛନ୍ତି। ଗତବର୍ଷ ଏହି ସମୟରେ ମୟୂରଭଞ୍ଜ ଜିଲ୍ଲାରେ ୨୧୨ ମିମି ବର୍ଷା ହୋଇଥିଲା। ଯାହାକି ଆବଶ୍ୟକତାଠାରୁ ଥିଲା ଅଧିକ। ଚାଷ କାମ ବି ସୁରୁଖୁରୁରେ ଚାଲିଥିଲା। ହେଲେ ଚଳିତବର୍ଷ ଶ୍ରାବଣ ମାସ ଆରମ୍ଭ ହେବାକୁ ବସିଥିଲେ ମଧ୍ୟ ବର୍ଷାର ଦେଖାନାହିଁ। ପ୍ରାକ୍ ମୌସୁମୀ ସମୟରେ ଚାଷକାମ ପାଇଁ ଅତି କମ୍ରେ ୧୬୫ ମିଲିମିଟର ବର୍ଷାର ଆବଶ୍ୟକତା ରହିଥିବା ବେଳେ ଜିଲ୍ଲାରେ ଏଯାବତ ୭୫ ମିଲିମିଟର ବର୍ଷା ହୋଇଛି। ଫଳରେ ଧାନବୁଣା ସରିନି କି ତଳିପକା କାମ ଶେଷ ହୋଇ ପାରିନାହିଁ। ଯାହା କିଛି ତଳି ପଡ଼ିଥିଲା, ସେସବୁ ରୁଆପୋତା ପାଇଁ ଉପଯୋଗୀ ଥିଲେ ମଧ୍ୟ ନିଅଣ୍ଟିଆ ବର୍ଷାରୁ ତାହା କାମରେ ଲାଗିପାରୁନି। ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଏଥର ଚାଷକାମ ଖାଲି ପ୍ରଭାବିତ ହୋଇନି, ପଛେଇ ମଧ୍ୟ ଯାଇଛି।
ଚଳିତବର୍ଷ ମୟୂରଭଞ୍ଜରେ ୪ ଲକ୍ଷ ୩୭ ହଜାର ହେକ୍ଟର ଜମିରେ ଖରିଫ୍ ଚାଷ ପାଇଁ ଲକ୍ଷ୍ୟ ରଖିଛି କୃଷି ବିଭାଗ। ୨ ଲକ୍ଷ ୮୩ ହଜାର ହେକ୍ଟର ଜମିରେ ଧାନ, ୧ ଲକ୍ଷ ୫୪ ହଜାର ହେକ୍ଟର ଜମିରେ ଅଣଧାନ ଯଥା ପନିପରିବା, ଡାଲିଜାତୀୟ, ତୈଳଜାତୀୟ, ତନ୍ତୁ, ମକା, ମାଣ୍ଡିଆ ସହ ଅନ୍ୟାନ୍ୟ ଚାଷ ହେବ। ତେବେ ନିଅଣ୍ଟିଆ ବର୍ଷା ପାଇଁ ଲକ୍ଷ୍ୟ ପୂରଣ ହେଲା ଭଳି ଲାଗୁନି। ଜୁନ୍ ପ୍ରଥମ ସପ୍ତାହରେ ୯୩ ମିମି, ଦ୍ବିତୀୟ ସପ୍ତାହରେ ୫୯ ମିମି, ତୃତୀୟ ସପ୍ତାହରେ ୮୨ ମିମି ବର୍ଷା ହୋଇଥିବା ବେଳେ ଚତୁର୍ଥ ସପ୍ତାହରେ ମାତ୍ର ୪ ମିଲିମିଟର ବର୍ଷା ହୋଇଛି। ସେହିପରି ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ମାତ୍ର ୭୫ ମିଲିମିଟର ବର୍ଷା ହୋଇଛି, ଯାହାକି ଆବଶ୍ୟକତାଠାରୁ ଢେର କମ୍। ଉପରମୁଣ୍ଡରେ ବର୍ଷା ନଥିବାରୁ କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଜଳସେଚନ ପ୍ରକଳ୍ପ କୌଣସି କାମରେ ଲାଗୁନି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ସାହୁଙ୍କ କହିବା ମୁତାବକ, ବ୍ୟସ୍ତ ହେବାର କିଛି ନାହିଁ। ସପ୍ତାହ ମଧ୍ୟରେ ଭଲ ବର୍ଷା ହେବ ବୋଲି ଆଶା କରାଯାଉଛି। ପର୍ଯ୍ୟାପ୍ତ ବିହନ, ସାର ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରହିଛି।