ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ସ୍ବଳ୍ପବୃଷ୍ଟି ଚାଷୀକୁ ଦୁଶ୍ଚିନ୍ତା ମଧ୍ୟକୁ ଠେଲି ଦେଇଛି। ଜୁନ୍‌ ଯାଇ ଜୁଲାଇର ୧୦ ଦିନ ବିତିଲାଣି, ହେଲେ ବର୍ଷାର ନାଁ ଗନ୍ଧ ନାହିଁ। ୨୦୨୨ ଜୁଲାଇ ପ୍ରଥମ ୧୦ ଦିନର ବର୍ଷା ତୁଳନାରେ ଏ ବର୍ଷ ବହୁତ କମ୍‌। ୨୦୨୨ ଜୁଲାଇ ୧ରୁ ୧୦ ତାରିଖ ଭିତରେ ଜିଲ୍ଲାରେ ମୋଟ ୧୮୨୧.୦୨ ମିଲିମିଟର ବର୍ଷା ହୋଇଥିଲା। ଅର୍ଥାତ୍‌ ସେହି ସମୟରେ ବ୍ଲକ୍‌ବାରି ହାରାହାରି ୧୦୭.୧୨ ମିଲିମିଟର ବର୍ଷା ହୋଇଥିଲା। ୨୦୨୩ ଜୁଲାଇ ପ୍ରଥମ ଦଶ ଦିନରେ କିନ୍ତୁ ବର୍ଷା ପରିମାଣ ବହୁମାତ୍ରାରେ ହ୍ରାସ ପାଇଛି। ଚଳିତ ବର୍ଷ ଏହି ଅବଧିରେ ମୋଟ୍‌ ୧୫୯୪.୧୨ ମିଲିମିଟର ବର୍ଷା ହୋଇଥିବାବେଳେ ବର୍ଷା ହାର ୯୩.୭୭ ମିଲିମିଟର ରହିଛି। ଅର୍ଥାତ୍‌ ଗତ ବର୍ଷ ତୁଳନାରେ ଏଥର ୧୦ ତାରିଖ ସୁଦ୍ଧା ୨୨୬.୯ ମିଲିମିଟର କମ ବର୍ଷା ହୋଇଛି। ଫଳରେ ଜିଲ୍ଲାରେ ଚାଷ ଢେର ପଛେଇ ଯାଇଛି।

Advertisment

ପୂର୍ବ ବର୍ଷ ଜୁଲାଇ ମାସର ପ୍ରଥମ ଦିନରେ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ବର୍ଷା ହୋଇଥିଲା। ଏଥର କିନ୍ତୁ ତାହା ଦେଖିବାକୁ ମିଳିନି। କେବଳ ଗତ ୭ ତାରିଖରେ ସର୍ବାଧିକ ୫୫୦.୮୪ ମିଲିମିଟର ବର୍ଷା ହୋଇଥିଲା। ଏମିତିକି ଜୁଲାଇ ୩ରେ ଆଦୌ ବର୍ଷା ହୋଇନଥିଲା। ଆଜି (୧୦ ଜୁଲାଇ)ରେ ମଧ୍ୟ ସ୍ଥିତି ପ୍ରାୟ ସମାନ। ଆଜି କେବଳ ଲେଫ୍ରିପଡ଼ା ବ୍ଲକ(୧.୪), ଟାଙ୍ଗରପାଲି (୦.୩), ରାଜଗାଙ୍ଗପୁର(୧), ବିଶ୍ରା (୬.୧), ବଣାଇ (୩) ଓ ଗୁରୁଣ୍ଡିଆ (୧)ରେ ସାମାନ୍ୟ ବର୍ଷା ହୋଇଥିବାବେଳେ ଅବଶିଷ୍ଟ ୧୧ଟି ବ୍ଳକ୍ ବର୍ଷା ଶୂନ୍ୟ ରହିଛି। ବର୍ଷା ଅଭାବ ଯୋଗୁଁ ଚାଷ ମଧ୍ୟ ପ୍ରଭାବିତ ହୋଇଛି। ଜିଲ୍ଲା କୃଷି ଅଧିକାରୀଙ୍କ ସୂଚନା ଅନୁସାରେ, ଏଥର ଚାଷ ପ୍ରାୟ ୧୫ ଦିନ ବିଳମ୍ବ ହେଲାଣି। ଏବେ ଯାଏ ମାତ୍ର ୨୫% ଧାନବୁଣା ସରିଛି। ଉଲ୍ଲେଖଯୋଗ୍ୟ, ସାଧାରଣତଃ ଏହି ସମୟରେ ପାଖାପାଖି ୪୦%ରୁ ୪୫% ଧାନ ବୁଣା ଶେଷ ହେବା କଥା। ଗତବର୍ଷ ନିୟମିତ ବ୍ୟବଧାନରେ ବର୍ଷା ହୋଇଥିଲା। ଫଳରେ ବର୍ଷା ଚାଷକୁ ବହୁ ମାତ୍ରାରେ ସୁହାଇଥିଲା। ନିର୍ଦ୍ଧାରିତ ସମୟରେ ଧାନ ବୁଣା ଓ ରୁଆ ଆଦି କାର୍ଯ୍ୟ ହୋଇ ପାରିଥିଲା। ଏଥର କିନ୍ତୁ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ଜୁନ ୨୦ରୁ ଲଗାତାର ୧୦ ଦିନ ବର୍ଷା ହୋଇଥିଲା। ହେଲେ ଏହାପରେ ବର୍ଷା ଏକ ପ୍ରକାର ଉଭାନ ହୋଇଯାଇଥିବାରୁ ଚାଷ ଅନୁକୂଳ ହୋଇପାରିନି। ଏଯାଏ ୭୫% ଜମିରେ ଧାନ ବୁଣା ସମ୍ଭବ ହୋଇପାରି ନାହିଁ।