ଝାରସୁଗୁଡ଼ା: ରାଜ୍ୟ ସରକାର ଲକ୍‌ଡାଉନ୍‌ରୁ କୃଷକ, କୃଷିକାର୍ଯ୍ୟକୁ ସଂପୂର୍ଣ୍ଣ ମୁକ୍ତ କରିଛନ୍ତି। ଚାଷୀକୁ ଚାଷ କରିଯିବା ପାଇଁ ଯେଭଳି କୌଣସି ବାଧା ନହୁଏ ସେଥିପାଇଁ ନିଶ୍ଚିତ କରିବାକୁ କୃଷି ସଚିବ ପୁଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଏହି ନିର୍ଦ୍ଦେଶ ତୃଣମୂଳ ସ୍ତରରେ କୌଣସି ପ୍ରଭାବ ପକା‌ଇ ନାହିଁ ବ‌ୋଲି ଅଭିଯୋଗ କରିଛନ୍ତି ଝାରସୁଗୁଡ଼ାର ଚାଷୀ। ଏବେବି ଚାଷୀ ନିର୍ଭୟରେ ତାର ବିଲକୁ ଯାଉ ଯାଇ ପାରୁନାହିଁ। ଘରୁ ବାହାରିଲେ ପୁଲିସର ଭୟରେ ଚାଷୀ ବିଲକୁ ଯାଇ ପାରୁନଥିବା ବହୁ ଚାଷୀ ଅଭିଯୋଗ କରୁଛନ୍ତି।

Advertisment

ଲକ୍‌ଡାଉନ୍‌ ସମୟରେ ସରକାର ଚାଷୀକୁ ଚାଷ କରିଯିବାକୁ କେହି ବାଧା ଦେବେ ନାହିଁ ବୋଲି କହିଥିଲେ ମଧ୍ୟ ପୁଲିସ କିଭଳି ଚାଷୀକୁ ଚିହ୍ନିବ ବୋଲି ସ୍ଥାନୀୟ ଚାଷୀ ପ୍ରଶ୍ନ କରିଛନ୍ତି। ଚାଷ କାର୍ଯ୍ୟ ପାଇଁ ଟ୍ରାକ୍ଟର, ପାଣିପମ୍ପ ଉପରେ ଚାଷୀ ସଂପୂର୍ଣ୍ଣ ନିର୍ଭର କରୁଥିବା ବେଳେ ଏବେ ମାସେ ହେଲା ଲକ୍‌ଡାଉନ୍‌ ଯୋଗୁଁ ବହୁ କୃଷି ଯନ୍ତ୍ରପାତି ଅଚଳ ହୋଇ ପଡ଼ିଛି। ମରାମତି ପାଇଁ ଚାଷୀ ପାଖରେ କୌଣସି ମାଧ୍ୟମ ନାହିଁ। ଗାଁରେ ରହୁଥିବା ଚାଷୀ ଏହି ଯନ୍ତ୍ରପାତି ମରାମତି କରିବାକୁ ହେଲେ ସହରକୁ ଆସିବାକୁ ପଡ଼ିବ। ସହରରେ ସବୁ ଗ୍ୟାରେଜ ବନ୍ଦ ହୋଇ ରହିଛି।

କୃଷି ଯନ୍ତ୍ରପାତି ବିକ୍ରି କରୁଥିବା ଦୋକନ ମଧ୍ୟ ଖୋଲି ନାହିଁ ବା ଏହା ଖୋଲା ଯିବାର କୌଣସି ବ୍ୟବସ୍ଥା ହେବାର ସମ୍ଭାବନା ଦେଖାଯାଉନାହିଁ। ଏବେ ପ୍ରଚଣ୍ଡ ଖରା ଆରମ୍ଭ ହୋଇଥିବାରୁ ଡାଲୁଅ ଚାଷ ହେଉଥିବା ଜମି ଗୁଡ଼ିକରେ ପାଣିର ଆବାଶ୍ୟକତା ରହିଛି। ମାତ୍ର ଚାଷୀ ପାଣିପମ୍ପ ଚଳାଇବାକୁ ଆବଶ୍ୟକ ଥିବା ଡିଜେଲ ଟିକେ ମଧ୍ୟ କିଣି ପାରୁନାହିଁ। ବାଇକ ଚଳାଚଳ ସଂପୂର୍ଣ୍ଣ ନିଷେଧ ହୋଇଥିବାରୁ ଏବେ ଡିଜେଲ କିଣିବାକୁ ଗାଁରୁ ସହରକୁ ଚାଷୀ ଯାଇ ପାରୁନଥିବା ବହୁ ଚାଷୀ କହିଛନ୍ତି।

ପନିପରିବା ନେଇ ଯାଉଥିବା ଲୋକଙ୍କୁ ପୁଲିସ ଚାଷୀ ବୋଲି ଛାଡ଼ୁଥିବା ବେଳେ ଟ୍ରାକ୍ଟର ମରାମତି, ପମ୍ପ ମରାମତି, ପମ୍ପ ପାଇଁ ଡ଼ିଜେଲ କିଣିବାକୁ ଯାଉଥିବା ଚାଷୀ ପୁଲିସର ଶିକାର ହେଉଥିବା କୁହାଯାଉଛି। ଏଭଳି ସ୍ଥିତିରେ ଚାଷୀ କଷ୍ଟ କରି କରୁଥିବା ଚାଷ ତାର ଆଖି ଆଗରେ ନଷ୍ଟ ହେଉଥିବା ସତ୍ବେ କିଛି କରି ପାରୁନାହିଁ। ଗାଁ ଗାଁରେ ଏବେ ପାଣି ପମ୍ପ ଅଚଳ ହୋଇ ପଡ଼ିଛି। କୂଅଁରେ ଲାଗିଥିବା ପାଇପ ପାଣି ଭିତରକୁ ଚାଲି ଯାଇଥିବାରୁ ଏଠାରେ ପାଇପ୍‌ କିଣି ଲଗାଇବାକୁ ପଡ଼ିବ ତେବେ ଚାଷୀ ପାଇପ୍‌ କ୍ରୟ କରିବ କିପରି।

ଝାରସୁଗୁଡ଼ା ଜିଲ୍ଲାର ଜଣେ ବଡ଼ଚାଷୀ ଦିଲିପ ବଢ଼େଇ କହିଛନ୍ତି ଯେ, ଜିଲ୍ଲାପାଳ ଏହି ସମସ୍ୟା ଉପରେ ତୁରନ୍ତ ଦୃଷ୍ଟି ଦେବାର ଆବାଶ୍ୟକତା ରହିଛି। ଚାଷୀ ଯେପରି ନିର୍ଭୟରେ ଡ଼ିଜେଲ କିଣି ଯାଇ ପାରିବ ବା ତାର ଯନ୍ତ୍ରପାତି ମରାମତି କରି ପାରିବ ତାର ବ୍ୟବସ୍ଥା କରିବା ଉଚିତ। ପ୍ରଶାସନ ପକ୍ଷରୁ ଚାଷୀ ମାନଙ୍କୁ ପାସ୍‌ ଦିଆଯାଉ ନହେଲେ ଗାଁ କୁ ଯାଇ ମରାମତି କରିବା ପାଇଁ ମେକାନିକ୍‌ ମାନଙ୍କୁ ପାସ ଦେବାକୁ ଶ୍ରୀ ବଢ଼େଇ ଦାବି କରିଛନ୍ତି। ଜିଲ୍ଲାପାଳ ଯଦି ଏହି ସମୟରେ ଚଷୀଙ୍କ ସମସ୍ୟା ନଦେଖିବେ ତା ହେଲେ ଝାରସୁଗୁଡ଼ାର ଚାଷୀ ନାହିଁନଥିବା କ୍ଷତିର ସମ୍ମୁଖୀନ ହେବେ ବୋଲି ଅଭିଯୋଗ ହୋଇଛି।