ରବି ୨୦୨୦-୨୧ ପାଇଁ କୃଷି କାର୍ଯ୍ୟକ୍ରମ କମିଟି ବୈଠକ 

ଖୋର୍ଦ୍ଧା: ୨୦୨୦-୨୧ ରବି ଋତୁ ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କୃଷି କାର୍ଯ୍ୟକ୍ରମ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଋତୁରେ ଅର୍ଥକାରୀ ଫସଲ ପାଇଁ ସମବାୟ ସମିତି ଜରିଆରେ ୭୨ହଜାର ୫୦୦ ଚାଷୀଙ୍କୁ ୩୦୦ କୋଟି ଟଙ୍କା ଋଣ ଯୋଗାଇଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗଣେଶ ପ୍ରସାଦ ଦାସ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଛନ୍ତିି ଯେ ଡାଲିଜାତୀୟ ଫସଲ, ତୈଳବୀଜ, ପନିପରିବା, ଆଖୁ, ମକା ଆଦି ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଏହା ସହ କୃଷି ଉତ୍ପାଦନ ବୃଦ୍ଧି, ଜୈବସାର ପ୍ରାୟୋଗ, ଜମିକୁ ଜଳସେଚନ, ମୃତ୍ତିକା ପରୀକ୍ଷା ଓ ସଂରକ୍ଷଣ, ଅଧିକ କୃଷିଋଣ ଯୋଗାଇ ଦେବା ପାଇଁ କାର୍ଯ୍ୟକ୍ରମମାନ କରାଯିବ। ଜିଲ୍ଲାରେ ୭୨ହଜାର ୫୦୦ ଜଣ ଚାଷୀଙ୍କୁ ସମବାୟ ବ୍ୟାଙ୍କ ଜରିଆରେ ୩୦୦ କୋଟି ଟଙ୍କା କୃଷି ଋଣ ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ଚାଷୀମାନଙ୍କୁ ରିହାତି ଦରରେ ଟ୍ରାକ୍ଟର, ପାୱାର ଟିଲର, ପାଣିପମ୍ପ ଆଦି କୃଷି ଉପକରଣ ଯୋଗାଇଦିଆଯାଉଛି, ବର୍ତମାନ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିକା ଓ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ବ୍ୟାପକ କରାଯିବ।

କୃଷି ଉପକରଣ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଦାସ କହିଛନ୍ତି ଯେ ୨୦୨୦-୨୧ ଡିସେମ୍ବର ସୁଦ୍ଧା ୪୮ଟି ଟ୍ରାକ୍ଟର, ୧୪୦ଟି ପାୱାର ଟିଲର, ୩୦ଟି ରିପର, ୨୩ଟି ଟ୍ରାନ୍‌ସପ୍ଲାଂଟର, ୨୪ଟି କମ୍ବାଇନ୍‌ ହାରଭେଷ୍ଟର, ୪୧ଟି ପାୱାର ମେସିନ୍‌, ୫୮ଟି ରିଟୋଭେଟର, ୧୩୨ଟି ପମ୍ପସେଟ୍‌, ୬୨ଟି ପାୱାର ଥ୍ରୋସର ଯୋଗାଇ ଦିଆଯାଇଛି। ୨୦୨୦-୨୧ ରବି ଋତୁରେ ୧୫୦ ହେକ୍ଟର ମକା, ୫୦,୧୦୦ ହେକ୍ଟର ଡାଲି ଜାତୀୟ ଫସଲ, ୨୨୫୦ ହେକ୍ଟର ତୈଳବୀଜ, ୭୫୦୦ ହେକ୍ଟର ପନିପରିବା, ୧୪୩୦ ହେକ୍ଟର ମସଲା, ୨୫୦ ହେକ୍ଟର ଆଖୁ, ୧୫୨୦ ହେକ୍ଟର ଜମିରେ ଧାନ ଚାଷ କରାଯିବ।

କୃଷକମାନଙ୍କୁ ସହଜ ପ୍ରକ୍ରିୟାରେ ଋଣ ଦେବା ସମ୍ପର୍କରେ ଲିଡ୍‌ ଜିଲ୍ଲା ବ୍ୟାଙ୍କ ପରିଚାଳକ ଦିଲୀପ କୁମାର ଭୂୟାଁ ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ବୈଠକର ଅଧ୍ୟକ୍ଷତା କରିଥିବା ବେଳେ ପିଡି ଡିଆରଡିଏ ଦିଗନ୍ତ ରାଉତରାୟ, ନାବାର୍ଡ ଡିଜିଏମ୍‌ଙ୍କ ସହ ବ୍ୟାଙ୍କ ଓ କୃଷି ଏବଂ ଉଦ୍ୟାନ ବିଭାଗର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର