ଲାଞ୍ଚ ମାମଲାରେ ସହକାରୀ କୃ‌ଷି ଅଧିକାରୀଙ୍କୁ ୨ବର୍ଷ ଜେଲ୍ 

ଜୟପୁର: ଜଣେ ସାର ବିତରକଙ୍କୁ ଲାଇସେନସ୍ ନବୀକରଣ କରିବା  ପାଇଁ ଲାଂଚ ମାମଲାର ବିଚାର କରି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା ଅଭିଯୁକ୍ତ ସହକାରୀ କୃଷି ଅଧିକାରୀଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ  ହେଲେ ଆଉ ୬ମାସ ସଶ୍ରମ କାରାଦଣ୍ଡ ନିମନ୍ତେ ରାୟରେ ଉଲ୍ଲେଖ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ୨୦୧୪ ମସିହା ମେ ୩୦ତାରିଖ ଦିନ ଉମରକୋଟ ଅଂଚଳର ସାର ବିତରକ ମୃଦୁଳ କାନ୍ତି ମଣ୍ଡଳ ସାର ବିକ୍ରୀ ଲାଇସେନସ୍ ନବୀକରଣ ପାଇଁ ସହକାରୀ କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ନାୟକଙ୍କ ନିକଟକୁ ଯାଇଥିଲେ। ସେ ଏଥି ପାଇଁ ୨ହଜାର ଟଙ୍କା ଲାଂଚ ମାଗିଥିଲେ। ଶ୍ରୀ ମଣ୍ଡଳ ଏ ନେଇ ଜୟପୁର ଭିଜିଲାନସ୍ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନସ୍ ପକ୍ଷରୁ ରଂଗବୋଲା ଟଙ୍କା ଶ୍ରୀ ମଣ୍ଡଳଙ୍କୁ ଦିଆଯାଇଥିଲା।  ମେ ୩୦ତାରିଖ ୨୦୧୪ମସିହା ଦିନ  ଏହି ରଂଗ ବୋଲା ଟଙ୍କା ସହକାରୀ କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ନାୟକନେଉଥିଲେ। ପୂର୍ବରୁ ଛପି ରହିଥିବା ଭିଜିଲାନସ ବିଭାଗର ତତ୍କାଳୀନ ଡିଏସପି ସତ୍ୟବାନ ମହାନନ୍ଦ ଓ ଦଳ ରଂଗବୋଲା ଟଙ୍କା ଶ୍ରୀନାୟକଙ୍କ ନିକଟରୁ ଉଦ୍ଧାର କରିଥିଲେ। ଭିଜିଲାନସ୍ ତାଙ୍କରେ  ଦଫା ୭ପିସି ଆକ୍ଟ ୧୯୮୮ର ୧୩(୧)(ଡି) ଓ  ୧୩(୨)ଆର/ଡବ୍ଲୁ ଅଫ  ରିଡ୍ ୱିଥ୍ ପିସି ଆକ୍ଟରେ ଗିରଫ କରି  କୋର୍ଟକୁ ଚାଳାଣ କରିଥିଲା। ଏହି ମାମଲାର ବିଚାର ଆଜି କରି ସହକାରୀ କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ନାୟକଙ୍କୁ ଦୁଇ ବର୍ଷ ସଶ୍ରମ କାରା ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ  ହେଲେ ଆଉ ୬ମାସ ସଶ୍ରମ କାରାଦଣ୍ଡ ରହିବାକୁ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର  ଶଶିଧର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ। ସଂପ୍ରତି ସହକାରୀ କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ନାୟକ ଜୟପୁର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରହିଛନ୍ତି। ତାଙ୍କୁ ଚାକିରୀରୁ ବହିଷ୍କାର କରିବା ପାଇଁ ରାଜ୍ୟ ଭିଜିଲାନସ୍ କମିଶନରଙ୍କ ପକ୍ଷରୁ ରାଜ୍ୟ କୃଷି ବିଭାଗକୁ ପ୍ରସ୍ତାବ ଦିଆଯିବ ବୋଲି ଭିଜିଲାନସ୍ ପକ୍ଷରୁ ସୂଚନା ମିଳିଛି।

 

 

ସମ୍ବନ୍ଧିତ ଖବର