ବାରିପଦା: ଶାମାଖୁଣ୍ଟା ବ୍ଲକସ୍ଥିତ ମୟୂରଭଞ୍ଜ -୧ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ବ୍ଲକର ଗୁଣ୍ଡିହୁଡ଼ି ଗ୍ରାମରେ କୃଷି ଶିକ୍ଷା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ସଂଘମିତ୍ରା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷି ଶିକ୍ଷା ଦିବସ ପାଳନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ। ସେହିପରି କେନ୍ଦ୍ରର ଗୃହ ବିଜ୍ଞାନୀ ଝୁନିଲତା ଭୂୟାଁ କୃଷି ଶିକ୍ଷାର ପ୍ରକାର ଏବଂ କେଉଁ ଶିକ୍ଷା ମଣିଷର ବ୍ୟବହାର, ଆଚରଣ, ଉଚ୍ଚାରଣକୁ ଉତ୍ତମ ଦିଗରେ ନେଇ ଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରିବା ସହ ଆଜିର ଯୁଗରେ ସମସ୍ୟାକୁ ଦେଖି କୃଷି ଧନ୍ଦାମୂଳକ ଶିକ୍ଷା ସମ୍ପର୍କରେ ଅବଗତ କରାଇଥିଲେ ।

Advertisment

publive-image

ବ୍ଲକର ସମନ୍ୱିତ ଶିଶୁ ବିକାଶ ଯୋଜନାର ମହିଳା ପରିଦର୍ଶୀକା ବିତୁ ଟୁଡ଼ୁ କୃଷି ଓ ଆନୁସଙ୍ଗିକ କୃଷି ସମ୍ବନ୍ଧରେ ଆଲୋଚନା କରିଥିଲେ । ସର୍ବଶେଷରେ ସମନ୍ୱିତ ମହିଳା ଶିଶୁ ବିକାଶ ଯୋଜନା ଅଧିକାରୀ ଉର୍ମିଳା ବେହେରା ଶିକ୍ଷା ଆମ ସମାଜରେ କିପରି ଭାବେ ଶିଷ୍ଟାଚାର ଆଣିପାରିବ ସେ ସମ୍ପର୍କରେ ମତପୋଷଣ କରିବା ସହ ବାଲ୍ୟ ବିବାହକୁ ଦୃଢ଼ ଭାବେ ନିନ୍ଦା କରି କିଶୋରୀମାନେ ବାଲ୍ୟ ବିବାହକୁ ବିରୋଧ କରିବା ନିମନ୍ତେ ଆଗେଇ ଆସିବାକୁ ଶପଥ ପାଠ କରାଇଥିଲେ । ଏହି ଅବସରରେ ୫୦ରୁ ଅଧିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଙ୍ଗନବାଡ଼ିକର୍ମୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ କୃଷି ପାଣିପାଗ ବିଜ୍ଞାନୀ ଜ୍ୟୋତି ପ୍ରକାଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।