ଖଇରା: ଆହାର କେନ୍ଦ୍ର ନିର୍ମାଣ ପାଇଁ ଯେତିକି ଆବଶ୍ୟକ ନୁହେଁ, ତା’ଠାରୁ ଢେର ଅଧିକ ସରକାରୀ ସ୍କୁଲ୍ ଜମି ନେଇଗଲା ପ୍ରଶାସନ। ସେହିପରି ଉକ୍ତ ଜମିରେ ଆହାର କେନ୍ଦ୍ର ସହ ମିସନ୍ ଶକ୍ତି କାଫେ ଓ ଜିମ୍ ପ୍ରତିଷ୍ଠା ଭଳି ଅନାବଶ୍ୟକ କାମ କରାଯାଉଛି। ଯାହାକୁ ଲୋକେ ବିରୋଧ କରିଥିବା ବେଳେ ପରିଚାଳନା କମିଟି କୋର୍ଟର ଦ୍ବାରସ୍ଥ ହୋଇଛି। ଏପରି ଏକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ।
ସୂଚନା ଅନୁସାରେ; ଖଇରା ସରକାରୀ ହାଇସ୍କୁଲ୍ ୧୯୪୫ ମସିହାରେ ପ୍ରତିଷ୍ଠା ହୋଇଥିଲା। ସ୍କୁଲ୍ର ବିକାଶ ପାଇଁ ମୁକୁନ୍ଦ ପ୍ରସାଦ ଦାସ, ଚନ୍ଦ୍ରଶେଖର ଦାସ ମହାପାତ୍ର, ଭାଗବତ ପଣ୍ତା, କୃଷ୍ଣଚନ୍ଦ୍ର ପାତ୍ର, ଭୋଳାନାଥ ଦାସ, ଭାଗିରଥୀ ସାହୁ ପ୍ରମୁଖ ମୋଟ ୩.୭୫ ଏକର ଜମି ଦାନ କରିଥିଲେ। ଯେଉଁ ଜମି ପରେ ଜବରଦଖଲ ହେବାରେ ଲାଗିଲା। ତେବେ ବର୍ତ୍ତମାନ ସ୍କୁଲ୍ ନାମରେ ୩ ଏକରରୁ କମ୍ ଜମି ରହିଥିବା ବେଳେ ସେଥିରୁ ପ୍ରାୟ ୫ କୋଟି ଟଙ୍କା ମୂଲ୍ୟର ୫୫ ଡେସିମିଲ୍ ଜମି ଖଇରା ଡାକ୍ତରଖାନା ସମ୍ପ୍ରସାରଣ ପାଇଁ ପ୍ରଦାନ କରାଯାଇଛି। ଯେଉଁଠି ଅନେକ ଗଛ କାଟି ଆହାର କେନ୍ଦ୍ର ସହ ମିସନ ଶକ୍ତି କାଫେ ଓ ଜିମ୍ ନିର୍ମାଣ କାମ ଆରମ୍ଭ ହୋଇଛି। ତେବେ ଜମି ହସ୍ତାନ୍ତର ନେଇ ତହସିଲଦାର, ଗୋଷ୍ଠୀ ଶିକ୍ଷାଧିକାରୀ, ରାଜସ୍ବ ନିରୀକ୍ଷକ, ଭାରପ୍ରାପ୍ତ ଚିକିତ୍ସାଧିକାରୀଙ୍କ ଦ୍ବାରା ଗତ ଜୁଲାଇ ୧୩ ତାରିଖରେ ପ୍ରସ୍ତୁତ ରିପୋର୍ଟ ସର୍ବସାଧାରଣ ହେବା ପରଠାରୁ ଲୋକେ ତାତିଛନ୍ତି। ମନମୁଖି ଭାବେ ସ୍କୁଲ୍ର ଜମିକୁ ଡାକ୍ତରଖାନା ନାମରେ କରିବା ଅନ୍ୟାୟ ବୋଲି ସେମାନେ କହିଛନ୍ତି। ଏପରି ହେଲେ ସ୍କୁଲ୍ର ବିକାଶରେ ଡୋରି ବନ୍ଧା ହୋଇଯିବ ବୋଲି ଅଭିଯୋଗ ଆସିଛି। ଆହାର କେନ୍ଦ୍ର ପାଇଁ ୪ କି ୫ ଡେସିମିଲ୍ ଜମିର ଆବଶ୍ୟକତା ଥିବା ବେଳେ ମିସନ ଶକ୍ତି କାଫେ ଓ ଜିମ୍ ପରି ଅନାବଶ୍ୟକ କାର୍ଯ୍ୟ ପାଇଁ ୫୫ ଡେସିମିଲ୍ ଜମି କାହିଁକି ନିଆଗଲା ବୋଲି ସ୍କୁଲ୍ ଆଲୁମ୍ନିର ମୁକ୍ତିକାନ୍ତ ଶତପଥୀ ପ୍ରଶ୍ନ କରିଛନ୍ତି। ଏପରି ସମୟରେ ଜମିର ସୀମା ନିର୍ଦ୍ଧାରଣ କରାଯାଇ ସ୍କୁଲ୍କୁ ଫେରାଇ ଦେବାକୁ କମିଟି ସଭାପତି ସଞ୍ଜୟ ସାହୁ କହିଥିବା ବେଳେ ବିଜେପି ରାଜ୍ୟ ପ୍ରବକ୍ତା ଠାକୁର ରଞ୍ଜିତ ଦାସ ଲୋକଙ୍କ ମତାମତ ଗ୍ରହଣ କରି ଜିଲ୍ଲାପାଳ ବ୍ଲକ୍ କିମ୍ବା କେନାଲ୍ ଅଫିସ୍ ପରିସରକୁ ଆହାର କେନ୍ଦ୍ର ସ୍ଥାନାନ୍ତର କରନ୍ତୁ ବୋଲି ଦାବି ଉଠାଇଛନ୍ତି। ଅନ୍ୟପଟେ ନ୍ୟାୟ ପାଇଁ ସ୍କୁଲ୍ ପରିଚାଳନା କମିଟି ହାଇକୋର୍ଟର ଦ୍ବାରସ୍ଥ ହୋଇଥିବା ମଧ୍ୟ ଜଣାପଡ଼ିଛି। ଏନେଇ ତହସିଲଦାର ପ୍ରଶାନ୍ତ କୁମାର ମହାରଣାଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ ସାଧାରଣ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଡାକ୍ତରଖାନାକୁ ସ୍କୁଲ୍ ଜମି ଦିଆଯାଇଥିବା କହିଛନ୍ତି। ଏପରି ସମୟରେ ସ୍କୁଲ୍ ଜମି ବିବାଦର ସମାଧାନ କେମିତି ହେଉଛି, ତା’ ଉପରେ ରହିଛି ସମସ୍ତଙ୍କ ନଜର।
Advertisment
Sambad is now on WhatsApp
Join and get latest news updates delivered to you via WhatsApp