ରାଉରକେଲାରେ ପହଞ୍ଚିଲା ‘ଅହିଂସା ରଥ’: ବିଶ୍ରା, କୋଇଡ଼ା, ଲହୁଣୀପଡ଼ାରେ ବି ବୁଲିଲା

ରାଉରକେଲା: ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ମହାତ୍ମା ଗାନ୍ଧିଙ୍କ ଅହିଂସା ନୀତି ଓ ଜନସାଧାରଣଙ୍କ ଭିତରେ ଦେଶପ୍ରେମ ସୃଷ୍ଟି ପାଇଁ ପରିକ୍ରମା କରୁଥିବା ‘ଅହିଂସା ରଥ’ ଆଜି ରାଉରକେଲା ସହର ସମେତ ଲହୁଣୀପଡ଼ା, କୋଇଡ଼ା, ବିଶ୍ରା ବ୍ଲକର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗତ ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ରଥ ରାଉରକେଲାରେ ଆଜି ପହଞ୍ଚିବାପରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅହିଂସା ରଥ ସ୍ଥାନୀୟ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ, ଛେଣ୍ଡସ୍ଥ ବୀର ସୁରେନ୍ଦ୍ର ସାଏ ମାର୍କେଟ କମ୍ପ୍ଲେକ୍ସ, କୋଏଲ ନଗର ଏନଏସି ମାର୍କେଟ ଆଦି ପରିକ୍ରମ କରିଥିଲା।

ଲୋକନୃତ୍ୟ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ରଥକୁ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ‘ସମ୍ପର୍କ’ ଅନୁଷ୍ଠାନର କଳାକାରମାନେ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରି ସ୍ୱାଧୀନତା ସଂଗ୍ରାମ, ଗାନ୍ଧିଜୀଙ୍କ ଅହିଂସା ନୀତି ଓ ପରିବେଶକୁ ସ୍ୱଚ୍ଛ ରଖିବାକୁ ସଚେତନ କରିଥିଲେ। କାର୍ଯ୍ୟକ୍ରମରେ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ବଂଶୀଧର ଦ୍ୱିବେଦୀଙ୍କ ପତ୍ନୀ ଦମୟନ୍ତୀ ଦ୍ୱିବେଦୀ ଓ ପୁଅଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) କମିସନର ଡା. ଶୁଭଙ୍କର ମହାପାତ୍ର, ଡେପୁଟି କମିସନର ସୁଧାଂଶୁ ଭୋଇ, ସୀତାଦେବୀ ମାଝି, ଡା. ଗୌରବମୟ ପ୍ରଧାନ, ରୋନିତ କୁମାର, ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ, ଆର୍‌ଏମ୍‌ସି ଆସିଷ୍ଟାଣ୍ଟ କମିସନର ସୁଶାନ୍ତ ବେଉରା, ଆସିଷ୍ଟାଣ୍ଟ କମିଶନର ନରେନ୍ଦ୍ର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ।

ଏହାପରେ ‘ଅହିଂସା ରଥ’ ବିଶ୍ରା, ଲହୁଣୀପଡ଼ା, କୋଇଡ଼ା ଆଦି ବ୍ଲକ ପରିକ୍ରମା କରିଥିଲା। ଅହିଂସା ରଥ ବିଶ୍ରା ବ୍ଲକ ଅନ୍ତର୍ଗତ ଉଡୁସୁ ଗ୍ରାମପଞ୍ଚାୟତ, ବିଶ୍ରା ବ୍ଲକ କାର୍ଯ୍ୟାଳୟ ପରିସରକୁ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଶ୍ରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଫୁଲମଣି କେର୍କେଟା, ଉପାଧ୍ୟକ୍ଷା ତରନୁମ ସବା, ବିଶ୍ରା ବିଡିଓ ଜନ୍ମେଜୟ ବେହେରା, ଉଡୁସୁ ସରପଞ୍ଚ ଦୁଲାରୀ ଖାଖା, ବିଶ୍ରା ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଲହୁଣୀପଡ଼ା ବ୍ଲକର ଖୁଣ୍ଟଗାଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ଖୁଣ୍ଟଗାଁ ସରକାରୀ ହାଇସ୍କୁଲ, ପୋଇଗାଁ ପ୍ରାଥମିକ ବିଦ୍ୟାଳୟ, ଖୁଣ୍ଟଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବ୍ଲକ କାର୍ଯ୍ୟାଳୟ ଆଦି ପରିକ୍ରମା କରିଥିଲା। ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଣ୍ଡିତ ଚରଣ ମୁଣ୍ଡା, ଜିଲ୍ଲାପରିଷଦ ସଦସ୍ୟ ଜୁଲିଆନି କାଣ୍ଡିର, ସୁଶିଳା ନାଏକ, ଲହୁଣୀପଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ଧନାଇ ଚରଣ ଟୁଡୁ, ଖୁଣ୍ଟଗାଁ ସରପଞ୍ଚ ସୁମିତ୍ରା ଚରଡିଆଙ୍କ ସମେତ କୁର୍ଡା, କୁଳିପୋଷ, ହଳଦୀକୁଦର, ଫୁଲଝର, ଲହୁଣୀପଡ଼ା, ରାଜାମୁଣ୍ଡା,କଳେଇପୋଷ, ଭୁତୁଡା ଗ୍ରାମପଞ୍ଚାୟତର ସରପଞ୍ଚମାନେ ଉପସ୍ଥିତ ଥିଲେ। ପରେ ରଥ କୋଇଡ଼ା ବ୍ଲକ କାର୍ଯ୍ୟାଳୟ, ଟେନସା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ‌ରେ ପହଞ୍ଚିଥିଲା। ଏଠାରେ ସ୍ୱାଧୀନତା ସଂଗ୍ରାମୀ ମାନଚନ୍ଦ୍ର ପାତ୍ରଙ୍କ ପୁଅ ଗୋବିନ୍ଦ ଚନ୍ଦ୍ର ପାତ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁରେଶ ନାଏକ, ଗୋଷ୍ଠି ଉନ୍ନୟନ ଅଧିକାରୀ ପଲ୍ଲବୀରାଣୀ ରାଜ, କୋଇଡ଼ା ସରପଞ୍ଚ ହୃଷିକେଶ ଦେହୁରୀ, ଜିଲ୍ଲାପରିଷଦ ସଦସ୍ୟ ଅଶୋକ ନାଏକ, ଅତିରିକ୍ତ ତହସିଲଦାର ଆଶିଷ ରାଉତ, ସାଂସଦ ପ୍ରତିନିଧି ଚୈତନ୍ୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର