ଖୋର୍ଦ୍ଧା ଗ୍ରାମାଂଚଳରୁ ଅହିଂସା ରଥକୁ ବିଦାୟ

ଖୋର୍ଦ୍ଧା: ଗତ ୪ ଦିନ ଧରି ଖୋର୍ଦ୍ଧା ଗ୍ରାମାଂଚଳର ବିଭିନ୍ନ ବ୍ଲକ, ସ୍ୱାଧୀନତା ସଂଗ୍ରାମ ସମୟରେ ଗାନ୍ଧୀଜୀ ଗସ୍ତ କରିଥିବା ବିଭିନ୍ନ ସ୍ଥାନ ପରିଭ୍ରମଣ କରି ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସା ବାର୍ତା ବାଂଟିଥିବା ଅହିଂସା ରଥକୁ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ଜନସାଧାରଣଙ୍କ ପକ୍ଷରୁ ଆଡ଼ମ୍ବରପୂର୍ଣ୍ଣ ବିଦାୟ ଦିଆଯାଇଛି ।
ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଥ ପ୍ରଥମେ ଖୋର୍ଦ୍ଧା ବ୍ଲକର ପୁବୁସାହି ଓ ନିଜିଗଡ଼ ତାପଙ୍ଗରେ ପହଂଚିଥିଲା । ସେଠାରେ ବିଡିଓ କ୍ଷୀରାବ୍ଧୀ ତନୟା ସାହୁ, ବ୍ଲକ ଅଧ୍ୟକ୍ଷା ଶ୍ରୀମୟୀ ପ୍ରିୟଦର୍ଶିନୀଙ୍କ ସମେତ ପଂଚାୟତ ପ୍ରତିନିଧି, ଆଶ, ଅଙ୍ଗନବାଡ଼ି କର୍ମୀ, ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ । ପରେ ଅପରାହ୍ଣରେ ଖୋର୍ଦ୍ଧା ସହର ପହଂଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଖୋର୍ଦ୍ଧା ସହର ପରିକ୍ରମା କରିଥିଲା । ପାଇକ, ବାଘନାଚ, ଓଡ଼ିଶୀ ନୃତ୍ୟ ଓ ଅନ୍ୟ ପାରମ୍ପରିକ ନୃତ୍ୟ, ଏନ୍ସିସି, ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀମାନେ ରଥକୁ ବିଜେବି ସରକାରୀ ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆକୁ ପାଛୋଟି ନିଆଯାଇଥିଲା । ସେଠାରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ତହସିଲଦାର ଇପସିତ ସାହୁ, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇ, ବ୍ଲକ ଶିକ୍ଷାଧିକାରୀ ସଂଧ୍ୟାରାଣୀ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ପରେ ରଥକୁ ଶୋଭାଯାତ୍ରାରେ ମୁକୁନ୍ଦପ୍ରସାଦ ନିକଟରେ ବିଦାୟ ଦିଆଯାଇଥିଲା ।

ସମ୍ବନ୍ଧିତ ଖବର