ମାଲକାନଗିରି: ସ୍ଥାନୀୟ ସରକାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଏଡସ୍ ଦିବସ ପାଳିତ ହୋଇଯାଇଛି।ଏଡସ୍ ମହାମାରୀର ମୁକାବିଲା ଲାଗି ଓ ଯୁବ ଗୋଷ୍ଠୀ ମଧ୍ୟରେ ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତ୍ୟେକବର୍ଷ ଡିସେମ୍ବର ମାସ ୧ ତାରିଖ ଦିନକୁ ବିଶ୍ଵ ଏଡସ୍ ଦିବସ ଭାବରେ ପାଳନ କରାଯାଏ। ଜାତୀୟ ଏଡସ୍ ନିୟନ୍ତ୍ରଣ ସଂସ୍ଥା ଓ ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସଂସ୍ଥା ଦ୍ୱାରା ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ରେଡ ରିବନ କ୍ଲବମାନ ସ୍ଥାପନ କରଯାଇଛି। ଉକ୍ତ କ୍ଲବ ମାଧ୍ୟମରେ ଅନୁଷ୍ଠାନର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଏଡସ୍ ସମ୍ପର୍କିତ ସଚେତନତା ସୃଷ୍ଟି ଲାଗି ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥାଏ। ଏଡସ୍ ଦିବସ ପାଳନ ଲାଗି ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, କୁଇଜ୍, ରଙ୍ଗୋଲି ଏବଂ ନୃତ୍ୟ ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା। ସଚେତନତା ସୃଷ୍ଟି ଲାଗି ଆୟୋଜିତ କାର୍ଯ୍ୟକ୍ରମରେ ଯକ୍ଷ୍ମା ରୋଗ ନିୟନ୍ତ୍ରଣ ଲାଗି ଜିଲ୍ଲା ପ୍ରକଳ୍ପ ସଂଯୋଜକ ବାବୁଜୀ ମାଢୀ ଯୋଗଦାନ କରି ଏଡସ୍ ସମ୍ପର୍କରେ ଉପାଦେୟ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଶ୍ରୀଚନ୍ଦନ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଆୟୋଜିତ ପ୍ରତିଯୋଗିତାର ୧୫ ଜଣ ବିଜେତାଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡ଼ଃ. କ୍ଷୀରୋଦ ଚନ୍ଦ୍ର ନାୟକ, ରତ୍ନାକର ମିଶ୍ର, ଡଃ. ନେଶ ଶବର, ଭାସ୍କର ସାହୁ, ଜ୍ଞାନେନ୍ଦ୍ର ତ୍ରିପାଠୀ, ରାଜେଶ ଜେନା ଓ ଦୀପକ ପାତ୍ର ବିଚାରକ ଭାବେ ସହଯୋଗ କରିଥିବା ବେଳେ ସମୀର ଡାକୁଆ ଓ ଦଶରଥ ପୂଜାରୀ ଅନ୍ୟାନ୍ୟ ଆୟୋଜନରେ ସହଯୋଗ କରିଥିଲେ।ବିଦ୍ୟାଳୟର ରେଡ ରିବନ୍ କ୍ଲବ ଅଧିକାରୀ ଡି. ଆଶିଷ ରାଠୋର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।
ସେହିପରି ମାଲକାନଗିରି ମହାବିଦ୍ୟାଳୟରେ ରେଡ ରିବନ ପକ୍ଷରୁ ବଶ୍ବ ଏଡସ୍ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ ଯୋଗ ଦେଇଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ ଅଧ୍ୟକ୍ଷତା କରିଥିଲେ। ଆଗାମୀ ୨୦୩୦ ସୁଦ୍ଧା ଏଡସ୍କୁ ମୁଳତ୍ପାଟନ କରିବା ନେଇ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ରେଡ ରିବନ ଅଧିକାରୀ ଡଃ. ରଞ୍ଜନ କୁମାର ସ୍ବାଇଁ ପରିଚାଳନା କରିଥିଲେ।
ମୁଖ୍ୟବକ୍ତା ଭାବେ ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଉପସ୍ଥିତ ରହି ଏଡସ୍ ବ୍ୟାପିବାର ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଏହି ଅବସରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନମିତା ଦଣ୍ଡସେନା, ଗୌତମ ନାୟକ, ସୁଶାନ୍ତ କୁମାର ମାଝୀ ସମେ ସମସ୍ତ ଅଧାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ। ସେହିପରି ସ୍ଥାନୀୟ ସତ୍ୟନାରାୟଣ ନର୍ସିଂ ମହାବିଦ୍ୟାଳୟରେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଆଇନ ସେବା ପ୍ରାଧିକରଣ ତରଫରୁ ଆୟୋଜନ କରାଯାଇଥିଲା।
ଏହି ଅବସରରେ ଆଇନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ମହାବିଦ୍ୟାଳୟର ନିର୍ଦେଶକ ସଞ୍ଜୟ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଆଇନସେବା ପ୍ରାଧିକରଣ ସଚିବ ରାକେଶ କୁମାର ମୁଦୁଲି ଯୋଗ ଦେଇଥିଲେ।ସମ୍ମାନୀତ ଅତିଥ ଭାବେ ଶିଶୁ ମଙ୍ଗଳ କମିଶନର ଅଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ। ସମସ୍ତ ଅତିଥି ଏଡସର ଭୟାବହତା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ। ରୋଗରି ବର୍ତ୍ତିବା ପାଇଁ କଣ କଣ ଉପାୟ ରହିଛି ଏବଂ ରୋଗୀ ଏବଂ ତାଙ୍କ ପରିବାର ପ୍ରତି ହେଉଥିବା ଘୃଣ୍ୟ ଭାବକୁ ଦୁର ରକିବା ନେଇ ମଧ୍ୟ ବୁଝାଯାଇଥିଲା।ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୯୫ ଜଣ ଏଡସ୍ ରୋଗୀ ଚିହ୍ନଟ ହୋଇଥିବା କୁହାଯାଇଛି। ପରେ ବିଭିନ୍ନ ଆଇନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଯାଇଥିଲା।