କରୋନା ମୃତକଙ୍କ ଶେଷକୃତ୍ୟ ସଂପନ୍ନ କରୁଥିବା ହେମନ୍ତ ଗୁରୁତର: ସହଯୋଗର ହାତ ବଢ଼ାଇବାକୁ ନିବେଦନ 

ଜୟପୁର: କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିବା ପରେ ନିଜ ଆତ୍ମୀୟ ସ୍ବଜନ କିମ୍ବା ପରିବାରର ଲୋକେ ଶେଷକୃତ୍ୟ ସଂପନ୍ନ କରିବାକୁ ବି ଆସୁ ନାହାନ୍ତି। ପ୍ରଥମ ଓ ଦ୍ବିତୀୟ ଲହରରେ ୫ଜଣ ଯୁବକ ହିଁ ମୃତକଙ୍କ ଶେଷକୃତ୍ୟ ସଂପନ୍ନ କରି ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ହେମନ୍ତ ବେହେରା ଜଣେ। ଗତ କିଛି ଦିନ ହେବ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ପେଟରେ ତାଙ୍କର ଭୀଷଣ ବ୍ୟଥା ହେଉଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କୁ ଦେଖାଇବା ପରେ ଅଲଟ୍ରାସ୍କାନ କରିବାକୁ କୁହାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ଏସଏଲଏନ୍ ମେଡିକାଲ କଲେଜରେ ପୁରୁଷ ମାନଙ୍କର ଅଲଟ୍ରାସ୍କାନ ହେଉନଥିବାରୁ ଜଣେ ଡାକ୍ତରଙ୍କ ଘରୋଇ କ୍ଲିନିକରେ ୭୦୦ଟଙ୍କା ଦେଇ ସେ ଅଲଟ୍ରାସାଉଣ୍ଡ କରିଥିଲେ। ଏଥିରେ ତାଙ୍କର ଗୋଟିଏ ଲିଭର ଖରାଫ ହୋଇଥିବା ଜଣା ପଡ଼ିଥିଲା।

ସଂପ୍ରତି ସେ କୋରାପୁଟ ଏସଏଲଏନ୍ ମେଡିକାଲ କଲେଜରେ ଚିକିତ୍ସାଧୀନ ରହିଛନ୍ତି। ପୂର୍ବରୁ ହେମନ୍ତ ଫାଷ୍ଟଫୁଡ୍ ଦୋକାନ କରି  ପତ୍ନୀ, ୨ଝିଅ ଆଦି ପରିବାରକୁ ନେଇ କେଲ୍ଲାନଗରରେ  ରହୁଥିଲେ। କରୋନା ସଂକ୍ରମଣ ଭୟରେ ସରକାରଙ୍କ ନିର୍ଦେଶରେ ସେ ଫାଷ୍ଟଫୁଡ୍ ଦୋକାନକୁ ବନ୍ଦ କରି ଦେଇଥିଲେ। ଏହା ପରେ ଖାଲିରେ ଘରେ ବସି ରହିବା ସମୟରେ କୋରନା ସଂକ୍ରମଣରେ ମୃତକଙ୍କ ଶେଷକୃତ୍ୟ କାମରେ ନିଜକୁ ନିୟୋଜିତ କରିଥିଲେ। ପ୍ରଶାସନ ପକ୍ଷରୁ ଏହି କାମ ପାଇଁ ଦିଆଯାଉଥିବା ଟଙ୍କାରେ ପରିବାରର ପ୍ରତିପୋଷଣ କରି ଆସୁଥିଲେ। ତେବେ ଗତ କିଛି ଦିନ ହେବ ସେ ଅସୁସ୍ଥ ହେବା ଏବଂ ତାଙ୍କର ଲିଭର ଖରାଫ ହେବା ଜାଣିବା ପରେ ହେମନ୍ତ ମାନସିକସ୍ତରରେ ଭାଙ୍ଗି ପଡ଼ିଛନ୍ତି। ଯାହା କିଛି ଅର୍ଥ ସଂଚିତ କରି ରଖିଥିଲେ ଏହି ସମୟରେ ସବୁ ଖର୍ଚ୍ଚ ହୋଇ ଯାଇଛି। ଏବେ ତାଙ୍କର ଉତ୍ତମ ଚିକିତ୍ସା ପାଇଁ ବାହାରକୁ ଯିବାକୁ ତାଙ୍କର ଆର୍ଥିକ ସମ୍ବଳ ନାହିଁ। ପ୍ରଶାସନ ଓ ବଦାନ୍ୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କରିଛନ୍ତି ହେମନ୍ତ ।

ସମ୍ବନ୍ଧିତ ଖବର