ରାଉରକେଲା: ଗୋଟିଏ ମାସରେ ସର୍ବାଧିକସଂଖ୍ୟକ ମାରାଥନ ଦୌଡ଼ି ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡରେ ନାମ ଲିପିବଦ୍ଧ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏ ମାଟିର ଉଦୀୟମାନ ଅଲ୍‌ଟ୍ରାରନର୍‌ ସୁମିତ ସିଂହ। ସୁମିତ ମଙ୍ଗଳବାରଠାରୁ ସ୍ଥାନୀୟ ଉଦିତନଗର ପଡ଼ିଆରେ ମାରାଥନ ଆରମ୍ଭ କରିବେ। ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ମାରାଥାନ ଅନୁଷ୍ଠିତ ହେବ। ସେ ପ୍ରତିଦିନ ଏହି ପଡ଼ିଆରେ ୪୨.୨ କିଲୋମିଟର ମାରାଥନ କରିବେ। ମୋଟ୍‌ ୩୦ ଦିନରେ ୩୩ ଥର ମାରାଥନ ଦୌଡ଼ି ଏହି ରେକର୍ଡ ନିଜ ନାଁରେ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Advertisment

ଅର୍ଥାତ୍‌, ସୁମିତ ୩୦ ଦିନରେ ମୋଟ୍‌ ୧୩୯୨.୬ କିଲୋମିଟର ଦୌଡ଼ିବେ। ଉଲ୍ଲେଖଯୋଗ୍ୟ, ସଂପୂର୍ଣ୍ଣ ମାରଥାନ ହେଉଛି ୪୨.୨ କିଲୋମିଟର ବିଶିଷ୍ଟ। ଏବେ ଯେଉଁ ‌କ୍ରୀଡ଼ାବିତ୍‌ଙ୍କ ନାଁରେ ଗିନିଜ୍‌ ୱାର୍ଲଡ ରେକର୍ଡ ରହିଛି, ସେ ୩୦ ଦିନରେ ଲଗାତାର ୩୧ ଥର ମାରଥାନ ଦୌଡ଼ିଥିଲେ। ଏହି ରେକର୍ଡକୁ ଭାଙ୍ଗିବାସହ ନିଜ ରେକର୍ଡକୁ ଅଭଙ୍ଗା ରଖିବା ଉଦ୍ଦେଶ୍ୟରେ ୩୩ଥର ମାରାଥନ ଦୌଡ଼ିବାକୁ ସ୍ଥିର କରିଛନ୍ତି। ସୁନ୍ଦର ସ୍ବାସ୍ଥ୍ୟ ପ୍ରତି ଜନସଚେତନତା ସୃଷ୍ଟି କରିବାକୁ ଏହି ମାରାଥନ୍‌ ଦୌଡ଼ୁଥିବା ସୁମିତ ପ୍ରତ୍ରିକ୍ରିୟାରେ କହିଛନ୍ତି। ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁମିତଙ୍କ ବାପା ସଞ୍ଜୟ ସିଂହ, ମାମୁଁ ଅଜୟ କୁମାର ଉପସ୍ଥିତ ଥିଲେ। ସୁମିତ ବିଗତ ଦିନରେ ଏକାଧିକ ମାରାଥନରେ ଭାଗନେଇ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି।