‘ପୁରାତନ ଛାତ୍ରଛାତ୍ରୀଙ୍କୁ ସ୍କୁଲ ସହ ଜଡିତ କରିବା ମୋ’ ସ୍କୁଲ ଅଭିଯାନର ମୂଳ ଲକ୍ଷ୍ୟ’

ମତ ରଖିଲେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ଯୁଗ୍ମ ନିର୍ଦ୍ଦେଶକ

ଜୟପୁର: ଶିକ୍ଷା ବ୍ୟବସ୍ଥା ଏକ ତ୍ରିକୋଣୀୟ ବ୍ୟବସ୍ଥା । ଏହାର ଗୋଟିଏ ପାଶ୍ୱର୍ରେ ଛାତ୍ର, ଆଉ ଏକ ପାଶ୍ୱର୍ରେ ଶିକ୍ଷକ ଏବଂ ତୃତୀୟ ପାଶ୍ୱର୍ରେ ଅଭିଭାବକ, ଗୁରୁଜନ, ପୁରାତନ ଛାତ୍ରଛାତ୍ରୀମାନେ ରହିଥାନ୍ତି । ଏହି ତିନିଟି ସ୍ତମ୍ଭର ସମନ୍ୱୟରେ ହିଁ ଶିକ୍ଷା ବ୍ୟବସ୍ଥା ସଫଳ ହୋଇଥାଏ । ମୋ ସ୍କୁଲ ଅଭିଯାନର ଉଦ୍ଦେଶ୍ୟ କେବଳ ଅର୍ଥରାଶି ସଂଗ୍ରହ ନୁହେଁ, ଏହା ଖାଲି ଏକ ବାହାନା ମାତ୍ର । ଏହାର ମୂଳ ଲକ୍ଷ୍ୟ ହେଉଛି ପୁରାତନ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟବସ୍ଥା ସହ ଜଡିତ କରିବା। ଆଜି କୋରାପୁଟ ଜିଲ୍ଲା ଗସ୍ତରେ ଆସି ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି ରାଜ୍ୟସ୍ତରରେ ଜିଲ୍ଲା ଶିକ୍ଷାର ନୋଡାଲ ଅଧିକାରୀ ତଥା ଯୁଗ୍ମ ନିର୍ଦ୍ଦେଶକ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପ୍ରକାଶ କୁମାର ଯୋଶୀ ।

ପ୍ରଥମେ ବିଦ୍ୟାଳୟର ପୁରାତନ ଛାତ୍ର ମାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ପରେ ସରକାରୀ ଉଚ୍ଚବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ପୌରାଂଚଳର ସବୁ ହାଇସ୍କୁଲର ପ୍ରଧାନଶିକ୍ଷକ, ସାଧନକର୍ମୀଙ୍କ ସହ ମୋ ସ୍କୁଲ, ଗୁଣାତ୍ମକ ଶିକ୍ଷା, ମହାମାରୀ କୋଭିଡ୍ ସମୟରେ ପିଲାଙ୍କ କିଭଳି ପଦ୍ଧତିରେ ପାଠ ପଡ଼ା ଯିବ , କିଭଳି ୧୦ମରେ ଅଧିକା ପିଲା ପାସ୍ କରିବେ ଆଦି ଉପରେ ଆଲୋଚନା କରିଥିଲେ। ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ରକୁ ଯାଇ ସେଠାରେ ସିଆରସିସି ଓ ପ୍ରଶିକ୍ଷଣ କେନ୍ଦ୍ରର ପ୍ରଶିକ୍ଷକ ମାନଙ୍କ ସହ ଆୟୁଷ୍ମାନ ଭାରତ ଯୋଜନା ଉପରେ ଆଲୋଚନା କରିଥିଲେ।

ସେଭଳି ସିଟି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ମୋ ସ୍କୁଲ ଅଭିଯାନ ଦ୍ବାରା କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିଥିଲେ। ତାଙ୍କ ସହ ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ, ବିଇଓ ସୁରେନ୍ଦ୍ର ପଟ୍ଟନାୟକ, କୋରାପୁଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀକାନ୍ତ ଜାନୀ , ଶିକ୍ଷା ବିଜ୍ଞାନ ସଂଯୋଜକ ଚନ୍ଦ୍ରକଳା ବଗର୍ତ୍ତି ଭାଗ ନେଇଥିଲେ। ସରକାରୀ ଉଚ୍ଚବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯଜ୍ଞେଶ୍ବର ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଲକ୍ଷ୍ୟ ସଂପର୍କରେ ଓମପ୍ରକାଶ ମିଶ୍ର ଦେଇଥିବା ବେଳେ ଶେଷରେ ପ୍ରଭାତ କୁମାର ରଥ ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର