ଜୟପୁର: ଗତ ୬ବର୍ଷ ତଳେ କାର୍ଯ୍ୟକାରୀ କରାଯାଇଥିବା ଯୋଜନା ଫଳବତୀ ହେବାକୁ ଯାଉଛି। ଦେଢ଼ କୋଟି ଟଙ୍କାରେ ପ୍ରଥମ ଦୈନିକ ବଜାରର ପୁରୁଣା ଅମିଷ ବଜାରରେ ହେବ ଅତ୍ୟାଧୁନିକ ଶୀତତାପନିୟନ୍ତ୍ରିତ ଆମି‌ଷ ବଜାର। କୋଟିଏ ୧୭ଲକ୍ଷରେ ନିର୍ମାଣ ହେବ ୩୭ଟି ଷ୍ଟଲକୁ ନେଇ କେନ୍ଦ୍ରୀୟ ଶୀତତାପ ନିୟନ୍ତ୍ରିତ ବଜାର। ଏହାର ସମ୍ମୁଖ ଭାଗ ମହାରାଣୀପଟକୁ ରହିବ। ଏଠାରେ ଥିବା ୧୦ଟି ଷ୍ଟଲକୁ ଉଛେଦ କରି ଚାଉଲଟ୍ରୀ ପରିସରକୁ ସ୍ଥାନାନ୍ତର କରାଯିବ। ଏଥି ପାଇଁ ୨୫ଲକ୍ଷ ଖର୍ଚ୍ଚ କରାଯିବ।

Advertisment

ମିଳିଥିବା ସୂଚନା ମୁତାବକ, ଗତ ୬ବର୍ଷ ତଳେ ପ୍ରଥମ ଦୈନିକ ବଜାର ପରିସରରେ ଥିବା ଆମିଷ ବଜାରକୁ ଦ୍ବିତୀୟ ଦୈନିକ ବଜାରକୁ ସ୍ଥାନାନ୍ତର କରାଯାଇଥିଲା। ବିପଦସଂକୁଳ ଅବସ୍ଥା‌ରେ ଥିବା ସବୁ ଷ୍ଟଲକୁ ଭାଙ୍ଗି ଦିଆଯାଇଥିଲା। ତା ପର ଠାରୁ ଏଠାରେ ଅତ୍ୟାଧୁନିକ ୩ମହଲାର ଆମିଷ ବଜାର ପାଇଁ ଯୋଜନା ହୋଇଥିଲା। ପରବର୍ତ୍ତୀ ସମୟରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ନିକଟରେ ଏହି ପ୍ରସ୍ତାବ ରଖିବା ପରେ ବିଭାଗ କୋଟିଏ ୧୭ଲକ୍ଷ ଟଙ୍କାର ଅନୁଦାନ ଦେଇଛି। ତେବେ ୩ମହଲା ନିର୍ମାଣ ପାଇଁ ୫କୋଟି ଟଙ୍କାର ଆବଶ୍ୟକତା ରହିଛି। ସେଭଳି ସମ୍ମୁଖରେ ଥିବା ଷ୍ଟଲକୁ ଚାଉଲଟ୍ରୀ ମଧ୍ୟକୁ ସ୍ଥାନାନ୍ତର ପାଇଁ ୨୫ଲକ୍ଷ  ଟଙ୍କା ପୌରପାଳିକା ବିନିଯୋଗ କରି ନିର୍ମାଣ କରିବ। ସଂପ୍ରତି ଏହି କାମ ଏନବିସିସି ନେଇଥିବା ବେଳେ ବୈଷୟିକ ମଂଜୁରୀ ଆଦି ମିଳିସାରିଥିବା ବେଳେ ଅଳ୍ପ କିଛି ଦିନ ମଧ୍ୟରେ ଏହି କାମ ଆରମ୍ଭ କରିବ ବୋଲି ସୂଚନା ମିଳିଛି। ଯଦିଓ ଏହି କୋଠାଟି ଗୋଟିଏ ମହଲା ନିର୍ମାଣ ହେଲେ ହେଁ ଏହାର ନିଅ ୩ମହଲା ପାଇଁ ପକାଯିବ ବୋଲି ସୂଚନା ମିଳିଛି।

ଏହାକୁ ବଡ଼ ମଲ ଭଳି ସଂପ୍ରତି ନିର୍ମାଣ କରାଯିବ। ଏବେ ମିଳିଥିବା ଅନୁଦାନ ଅନୁଯାୟୀ ଗୋଟିଏ ମହଲା ନିର୍ମାଣ ହେବ। ୧୧ମାସ ମଧ୍ୟରେ ସାରିବା ଲକ୍ଷ୍ୟ ରଖି ଠିକା ନେଇଥିବା ସଂସ୍ଥାଟି କାମ ଆରମ୍ଭ କରିବ। ପ୍ରାରମ୍ଭିକ ଭାବେ ଗୋଟିଏ ମହଲାର ଅତ୍ୟାଧୁନିକ ବଜାର ନିର୍ମାଣ କରାଯିବ। ଏହା ଆଗାମୀ ଦିନରେ ପୁଣି ସରକାରଙ୍କ ନିକଟରୁ ଅନୁଦାନ ‌ଆସିବା ପରେ ବଳକା ୪ମହଲା ନିର୍ମାଣ  ହେବ ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ।  ସଂପ୍ରତି ମିଳିଥିବା ଅନୁଦାନରେ ଗୋଟିଏ ମହଲା ନିର୍ମାଣ ହେବ। କିନ୍ତୁ ୩ମହଲା ପାଇଁ ନିଅ ପକାଯିବ। କେନ୍ଦ୍ରୀୟ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ସହ ବ୍ୟାପକ ଭାବେ ଏକଜିଟ୍ ଫ୍ୟାନ୍, ସ୍ବେରେଜ୍ ବ୍ୟବସ୍ଥା ଓ ବର୍ଜବସ୍ତୁ ପରିଚାଳନାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ। ଅତ୍ୟାଧୁନିକ ବ୍ୟବସ୍ଥାରେ ଏହି ପରିସରକୁ ସଫା ସୁତରା କରି ରଖାଯିବା ଯୋଜନା ରହିଛି ବୋଲି କହିଛନ୍ତି ପୌରନିର୍ବାହୀ ଅଧିକାରୀ।