କାହା ସ୍ବାର୍ଥରେ ବାୟୁ ସ୍ବାସ୍ଥ୍ୟ ସେବା, ୨୨ରେ ଆସିବେ ଡାକ୍ତରୀ ଦଳ, କାହା ପାଖରେ ନାହିଁ ଖବର

ଦୀର୍ଘ ୪ ମାସ ପରେ ଆସୁଥିବାରୁ ପ୍ରଚାର ପ୍ରସାର ନାହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲାବାସୀଙ୍କ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କର ବିଜୁ ସ୍ବାସ୍ଥ୍ୟ ସେବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଜିଲ୍ଲାବାସୀ ମଧ୍ୟ ଏହି ସେବାକୁ ଅପେକ୍ଷା କରି ରହିଥିଲେ। ଗତ ୨୦୨୧ ଡିସେମ୍ବର ୨୦ ତାରିଖରେ ୬ ଜଣିଆ ଡାକ୍ତରୀ ଦଳ ମାଲକାନଗିରିରେ ପହଞ୍ଚି ଦୁଇ ଦିନ ରହି ଲୋକଙ୍କ ସେବା କରିଥିଲେ। ସେତେବଳେ ପ୍ରାୟ ୨୦୦ ଜଣ ରୋଗୀ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା। ସେତେବେଳେ ବି ଲୋକେ ଏହି ସେବା ଆରମ୍ଭ ହେଲା କି ନାହିଁ ଜାଣିପାରିନଥିଲେ।

ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଜିଲ୍ଲାରେ ସରକାରଙ୍କର ଏହି ସେବା ବେଶ ଲାଭଦାୟକ ହେବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ସଫଳ ହୋଇପାରୁନାହିଁ। ଲୋକେ ଏହି ସେବା ପାଇବା ପାଇଁ ଅନେଇ ବସିଥିଲେ ମଧ୍ୟ ଏହା କେବେ ଏବଂ କେଉଁ ଦିନ କରାଯାଉଛି ଜାଣି ପାରୁନାହାନ୍ତି। ଗତ ଚାରିମାସ ପରେ ଚଳିତ ମାସର ୨୨ ଓ ୨୩ ତାରିଖ ଦିନ ଏହି ସେବା ପୁଣି ଆରମ୍ଭ ହେବ ବୋଲି ଜଣାପଡିଛି। ତେବେ ମାଲକାନଗିରି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଏନେଇ କୌଣସି ପ୍ରଚାର ପ୍ରସାର କରାଯାଉ ନାହିଁ। ୬ ଜଣିଆ ଡାକ୍ତରୀ ଦଳକୁ ନେଇ ଏକ ଉଡାଜାହାଜ ମାଲକାନଗିରିରେ ୨୨ ତାରିଖରେ ପହଞ୍ଚିବ ବୋଲି ଜଣାପଡିଛି।

Sambad

ଏଥି ପୂର୍ବରୁ ୬ ଜଣିଆ ଏସଆର ଡାକ୍ତରୀ ଦଳ ମାଲକାନଗିରି ମେଡିକାଲରେ ପହଞ୍ଚି ସମସ୍ତ ବ୍ୟବସ୍ଥା ଠିକଠାକ କରିବେ। ଡାକ୍ତରୀ ଦଳ କେବେ ଆସୁଛନ୍ତି ସେନେଇ ଡାକ୍ତରଖାନାର କର୍ମଚାରୀ ଏବଂ ବିଭାଗୀୟ ଅଧିକାରୀମାନେ ମଧ୍ୟ କିଛି ଜାଣିପାରୁନଥିବା ଦେଖିବାକୁ ମିଳିଛି। ହଠାତ୍ କାର୍ଯ୍ୟକ୍ରମ କରାଯାଉଥିବାରୁ ଏହାର ଫାଇଦା ଲୋକେ ଉଠାଇ ପାରିବେ ନାହିଁ ବୋଲି ଅଭିଯୋଗ ହୋଇଛି। ଦୁର୍ଗମ ଅଂଚଳର ଲୋକେ କିପରି ଏହାର ସୁବିଧା ଉଠାଇବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲ୍ଲା ସଦର ମହକୁମାର ଲୋକେ ହିଁ ଏ ସଂପର୍କରେ ଅବଗତ ନଥିବା ବେଳେ କେବଳ ଔପଚାରିକତା ହିଁ କରାଯାଉଥିବା କୁହାଯାଉଛି। ୬ ଜଣ ବିଭିନ୍ନ ରୋଗର ବିଶେଷଜ୍ଞ ଡାକ୍ତର ମାଲକାନଗିରି ଭଳି ଉପାନ୍ତ ଅଂଚଳରେ ସେବା ଯୋଗାଇବାକୁ ଆସୁଥିବା ବେଳେ ଏହାର ସୁଯୋଗ ଲୋକେ ହାତ ଛଡା କରିବାକୁ ଚାହୁଁନାହାନ୍ତି।

ରାଜ୍ୟ ସରକାରଙ୍କର ଏହି ସେବାକୁ ଲୋକେ ଭୃୟସୀ ପ୍ରଶଂସା କରୁଥିଲେ ମଧ୍ୟ ଗତ ଚାରି ମାସ ଧରି ଏହା ସେବା ବନ୍ଦ ହୋଇଥିବାରୁ ଲୋକେ ଅସଂତୋଷ ପ୍ରକାଶ କରୁଥିଲେ। ଏବେ ପୁଣି ଏହି ସେବା ହଠାତ୍ ଆରମ୍ଭ ହେବାକୁ ଯାଉଥିବାରୁ ଏହାର ପ୍ରଚାର ଏବଂ ପ୍ରସାର କରାଯାଉ ବୋଲି ଦାବି କରାଯାଇଛି। ମାଲକାନଗିରି ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ସେତେ ସୁବିଧା ନଥିବା ଯୋଗୁଁ ଲୋକେ ଆନ୍ଧ୍ର ଏବଂ ରାଜ୍ୟର ବଡ ବଡ ସହରକୁ ସ୍ବାସ୍ଥ୍ୟ ସେବା ପାଇଁ ଯାଉଥିବା ଦେଖିବାକୁ ମିଳିଛି। ସେହି ସେବା ଏବେ ମାଲକାନଗିରି ମେଡିକାଲରେ ଦିଆଯାଉଥିବାରୁ ଦୁଇ ଦିନରେ କିପରି ଏତେ ସଂଖ୍ୟକ ଲୋକଙ୍କୁ ସେବା ଯୋଗାଇ ହେବ ତାହାକୁ ନେଇ ସନ୍ଦେହ ମଧ୍ୟ ସୃଷ୍ଟି ହୋଇଛି।

Sambad

ତେଣୁ ଏହାର ପ୍ରଚାର ପ୍ରସାର କରଯାଉନାହିଁ ବୋଲି ବୋଲି ସନ୍ଦେହ ସୃଷ୍ଟି ହେଉଛି। ଅନ୍ୟଦିଗରେ ବିରୋଧୀ ଦଳ ଏହାକୁ ନେଇ ନାନା ପ୍ରଶ୍ନ ଉଠାଉଛନ୍ତି। ଅନ୍ୟ କୌଣସି ସ୍ବାସ୍ଥ୍ୟ ସଂପର୍କୀତ ଦିବସ ହେଲେ ବଡ ବଡ ବ୍ୟାନର କରି ଏବଂ ସଚେତନତା ରଥ କରି ଜିଲ୍ଲାରେ ପ୍ରଚାର ପ୍ରସାର କରାଯାଉଥିବା ବେଳେ ରାଜ୍ୟ ସରକାରଙ୍କର ଏତେବଡ ସ୍ବାସ୍ଥ୍ୟ ସେବା ସଂପର୍କରେ କାହିଁକି ପ୍ରଚାର ପ୍ରସାର ହେଉନାହିଁ ବୋଲି ବିରୋଧୀ ଘେରିଛନ୍ତି। ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ଧୀରେ ଧୀରେ ବିପର୍ଯ୍ୟସ୍ତ ଆଡକୁ ଯାଉଥିବା ମଧ୍ୟ ଅଭିଯୋଗ କରାଯାଇଛି। ତେଣୁ ଆସନ୍ତା ୨୨ ଓ ୨୩ ଦୁଇ ଦିନ ଯେପରି ଜିଲ୍ଲାର ଦୁର୍ଗମରୁ ଅତି ଦୁର୍ଗମ ଅଂଚଳର ଲୋକେ ମାଲକାନଗିରି ମେଡିକାଲକୁ ଆସି ବିଶେଷଜ୍ଞ ଡାକ୍ତରୀ ଦଳଙ୍କୁ ତାଂକର ସ୍ବାସ୍ଥ୍ୟ ପରୀକ୍ଷା କରାଇ ନିଶ୍ଚିତ ହୋଇପାରିବେ ସେନେଇ ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ପଦକ୍ଷେପ ନେଉ ବୋଲି ଦାବି ହୋଇଛି।

ସମ୍ବନ୍ଧିତ ଖବର