ଧାମରାରେ ହେବ ବିମାନ ବନ୍ଦର, ମିଳିଲା ରାଜ୍ୟ ସରକାରଙ୍କର ଅନୁମୋଦନ

ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ଵିତ କରିବାକୁ ନିର୍ଦ୍ଦେଶ, ବାସୁଦେବପୁରର ୩ ଗାଁରେ୨୭୪.୪୧ଏକର ଜମି ଚିହ୍ନଟ

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମରାଠାରେ ହେବ ବିମାନ ବନ୍ଦର। ଏଥିପାଇଁ ରାଜ୍ୟ ସରକାର ଦେଇଛନ୍ତି ଅନୁମୋଦନ। ଯଥା ଶୀଘ୍ର ଜମି ଅଧିଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭଦ୍ରକ ଜିଲ୍ଲାପାଳ ପ୍ରଶାସନକୁ ଦିଆଯାଇଛି ନିର୍ଦ୍ଦେଶ। ପ୍ରସ୍ତାବିତ ବିମାନ ବନ୍ଦର ପାଇଁ ବାସୁଦେବପୁର ତହସିଲ ଅନ୍ତର୍ଗତ ୩ଟି ଗାଁରେ ୨୭୪. ୪୧ ଏକର ଜମି ଚିହ୍ନଟ ହୋଇଛି। ଏଇ ଅଞ୍ଚଳରେ ଥିବା ସରକାରୀ ଓ ଘରୋଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ ବିମାନ ବନ୍ଦର କାମ ଆରମ୍ଭ କରାଯିବ ବୋଲି ରାଜ୍ୟ ସରକାର ସବୁଜ ସଙ୍କେତ ଦେଇଛନ୍ତି। ୨୦୨୦ ମସିହା ଶେଷ ସୁଦ୍ଧା ଧାମରାଠାରେ ବିମାନ ବନ୍ଦର ନିର୍ମାଣ କାମ ଆରମ୍ଭ କରାଯିବାକୁ ପ୍ରସ୍ତାବ ରହିଛି।

ମିଳିଥିବା ସୂଚନାରୁ ପ୍ରକାଶ ଯେ, ଭଦ୍ରକ ଜିଲ୍ଲାରେ ବନ୍ଦର ନଗରୀ ଭାବେ ଧାମରାକୁ ବିକାଶମୁଖୀ କରିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡିଥିବା ବେଳେ ଧାମରା ବନ୍ଦରର ବିକାଶ ଓ ବ୍ୟବସାୟିକ କାର୍ଯ୍ୟକଳାପକୁ ଲକ୍ଷ୍ୟ କରାଯାଇ ଏଠାରେ ଏକ ବିମାନ ବନ୍ଦର ପ୍ରତିଷ୍ଠା କରିବା ଲାଗି ୨୦୧୯ ମସିହାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ରାଜ୍ୟ ସରକାରଙ୍କ ଅନୁରୋଧରେ ଧାମରା ନିକଟବର୍ତ୍ତୀ ଅଞ୍ଚଳରେ ସ୍ଥାନ ଚୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶ ପାଇବା ପରେ ଭଦ୍ରକ ଜିଲ୍ଲାପାଳ ଚାନ୍ଦବାଲି ତହସିଲଦାର ଓ ବାସୁଦେବପୁର ତହସିଲଦାରଙ୍କୁ ଜମି ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଗତ ତା ୪/୬/୨୦୧୯ ରିଖରେ ଭଦ୍ରକ ଉପଜିଲ୍ଲାପାଳ ଧାମରା ବନ୍ଦର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଉଭୟ ଚାନ୍ଦବାଲି ଓ ବାସୁଦେବପୁର ତହସିଲର ଗାଁଗୁଡ଼ିକର କ୍ଷେତ୍ର ପରିଦର୍ଶନ ଆରମ୍ଭ କରିଥିଲେ। କ୍ଷେତ୍ର ପରିଦର୍ଶନ କାର୍ଯ୍ୟ ଶେଷ ହେବା ପରେ ବାସୁଦେବପୁର ତହସିଲର ଅଧିନସ୍ଥ ନାୟକାଣିଡିହି ଆରଆଇ ସର୍କଲ ଅନ୍ତର୍ଗତ ବାଲିମୁଣ୍ଡା ମେଜାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଜମି ଚିହ୍ନଟ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିଲେ। ଜିଲ୍ଲାପାଳ ଏହି ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ରିପୋର୍ଟ ମିଳିବା ପରେ ଏହାକୁ ନେଇ ଗତ ତା ୨୯/୬/୨୦୧୯ ରିଖରେ ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ବୈଠକ ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହି ପ୍ରସ୍ଥାବିତ ସ୍ଥାନରେ ବିମାନ ବନ୍ଦର ପ୍ରତିଷ୍ଠା କରିବା ପାଇଁ ସବୁଜ ସଙ୍କେତ ଦେଇଥିଲେ। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏଥିପାଇଁ ଗତ ତା ୨୭/୧୨/୨୦୧୯ରିଖ ଚିଠି ନମ୍ବର-୯୩୦୭ ମୂଳେ ରାଜ୍ୟ ସରକାରଙ୍କର ଅନୁମୋଦନ ଲାଭକରିଛି। ଏଇ ଚୂଡାନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଆବଶ୍ୟକ ସରକାରୀ ଓ ଘରୋଇ ଜମି ଅଧିଗ୍ରହଣ କରିବାକୁ ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଆସିଛି। ଜିଲ୍ଲାପାଳ ଏଇ ନିର୍ଦ୍ଦେଶ ପାଇବା ପରେ ଏବେ ବାସୁଦେବପୁର ତହସିଲର ବାଲିମୁଣ୍ଡା, ନନ୍ଦପାଟଣା ଓ ବଡହାବେଳିସାହି ମେଜାରେ ଜମି ଅଧିଗ୍ରହଣ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରିଛନ୍ତି।

ପ୍ରସ୍ତାବିତ ବିମାନ ବନ୍ଦର ପାଇଁ ବାସୁଦେବପୁର ତହସିଲର ୩ଟି ଗାଁରେ ମୋଟ ୨୭୪.୪୧ ଏକର ସରକାରୀ ଓ ଘରୋଇ ଜମି ଅଧିଗ୍ରହଣ କରାଯିବ। ଏଥିପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଥିବା ବେଳେ କେବଳ ଅଧିଗ୍ରହଣ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଅଧିଗ୍ରହଣ ହେବାକୁ ଥିବା ଜମି ମଧ୍ୟରେ ରହିଛି ୨୪୦.୩ ହେକ୍ଟର ଜମି ସରକାରୀ। ଏଇ ସରକାରୀ ଜମିକୁ ଲିଜ୍‌ ସୂତ୍ରରେ ବିମାନ ବନ୍ଦର ପାଇଁ ଅଧିଗ୍ରହଣ କରାଯିବ ବୋଲି ପ୍ରଶାସନ ଚୂଡାନ୍ତ ନିଷ୍ପତ୍ତି ନେଇଛି। ସେହିପରି ୩ ଟି ରାଜସ୍ୱ ଗ୍ରାମରେ ୨୨. ୩୬ ଏକର ଘରୋଇ ଜମି ରହିଛି। ଏଇ ଜମି ଘରୋଇ ଜମି ମାଲିକଙ୍କଠାରୁ ଅଧିଗ୍ରହଣ କରାଯିବ। ଏଥିପାଇଁ ଖୁବ୍‌ ଶୀଘ୍ର ଘରୋଇ ମାଲିକାନାରେ ଥିବା ଜମି ମାଲିକମାନଙ୍କୁ ନୋଟିସ୍‌ ପ୍ରଦାନ କରାଯିବ।

ସେହିପରି ଏଇ ସବୁ ଅଞ୍ଚଳରେ ମୋଟ ୭.୪୪ ଏକର ଜମିର କିସମ ଜଳାଶୟ, ଜୋର, ପାଣିନାଳ, ବନ୍ଧ ଓ ରାସ୍ତା ରହିଛି। ଏହି ସବୁ ଜମିର କିସମ ମଧ୍ୟ ପରିବର୍ତ୍ତନ କରାଯିବ। କିସମ ପରିବର୍ତ୍ତନ କରାଯାଇ ଏହାକୁ ଅଧିଗ୍ରହଣ କରାଯିବ। ଚିହ୍ନ ହୋଇଥିବା ଏଇ ସବୁ ଜମି ମଧ୍ୟରେ ବଡହାବେଳିସାହି ମୌଜାର ୨.୭୪ ଏକର ଘରୋଇ ଜମି ରହିଛି। ସେହିପରି ୯୩.୯୩ ଏକର ସରକାରୀ ଜମି ରହିଛି। ୧.୨୮ ଏକର ନାଳ, ୦.୭ ଏକର ଜଳାଶୟ କିସମର ଜମି ରହିଥିବା ବେଳେ ୭.୪୪ ଏକର ଗୋଚର କିସମ ଜମି ରହିଛି। ଏଇସବୁ ଜମିର କିସମ ପରିବର୍ତ୍ତନ କରି ଏହାକୁ ତୁରନ୍ତ ଅଧିଗ୍ରହଣ କରିବାକୁ ପ୍ରସ୍ତାବ ଦିଆଯାଇଛି।

ବାଲିମୁଣ୍ଡା ରାଜସ୍ୱ ମୌଜାରେ ୧୧୨.୬୧ ଏକର ସରକାରୀ ଜମି ରହିଥିବା ବେଳେ ୫ ଏକର ପାଣିନାଳ ରହିଛି। ୪ ଏକର ପରିମିତ ଜମିରେ ରାସ୍ତା ରହିଛି। ନନ୍ଦପାଟଣା ରାଜସ୍ୱ ମୌଜାରେ ୧୯. ୬୪ ଏକର ବେସରକାରୀ ଜମି ରହିଥିବା ବେଳେ ୪୮ ଏକର ଜମି ଜୋର କିସମ ରହିଛି। ୧.୬୨ ଏକର ବନ୍ଧ ଓ ୨୧ ଏକର ରାସ୍ତା କିସମର ଜମି ଅଧିଗ୍ରହଣ କରାଯିବ। ଏହି ସବୁ ଜମି ଅଧିଗ୍ରହଣ କରାଯିବା ପରେ ଜିଲ୍ଲାପାଳ ଏହା ଉପରେ ଚୂଡାନ୍ତ ମୋହରମାରିବା ପରେ ରିପୋର୍ଟ ବାଣିଜ୍ୟ ଓ ପରିବହନ ବିଭାଗକୁ ଯିବ। ରାଜ୍ୟ ସରକାର ଏହି ଜମି ଉପରେ ମୋହର ମାରିବା ପରେ ବନ୍ଦର କମ୍ପାନି ପକ୍ଷରୁ ବିମାନ ବନ୍ଦର କାମ ଆରମ୍ଭ କରାଯିବ। ଜମି ଅଧିଗ୍ରହଣ ପ୍ରକ୍ରିୟା ଯେତେଶୀଘ୍ର ଶେଷ ହେବ ୨୦୨୦ ମସିହା ଶେଷସୁଦ୍ଧା ବିମାନ ବନ୍ଦର ନିର୍ମାଣ କାମ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର