ରାୟଗଡ଼ା: ପିଲାଟି ଦିନରୁ ବାପା, ମା’ ଛେଉଣ୍ଡ। ପିନ୍ଧିବା ପାଇଁ ଭଲ କପଡ଼ା ତ ଦୂରର କଥା ପେଟକୁ ଦି ଓଳି ଦାନା ଯୋଗାଡ଼ କରିବାରେ ଅକ୍ଷମ ଥିଲେ। ଦୁର୍ଦ୍ଦିନ ଭିତରେ ଦିନ କଟିବା ପରେ ଦିନ ମଜୁରିଆ ଭାବେ କାମ କରିବାକୁ ଛତିଶଗଡ଼ ଚାଲି ଯାଇଥିଲେ। ହେଲେ ନିଜ ଅଧ୍ୟବସାୟ ବଳରେ ଦିନ ମଜୁରିଆରୁ ମିଷ୍ଟର୍ ଛତିଶଗଡ଼ ସହ ଫ୍ୟାଶନ୍ ଡିଜାଇନରେ ପରିଣତ ହୋଇଛନ୍ତି ବିଷମକଟକ ବ୍ଲକ୍ ନିୟମଗିରି ପାଦଦେଶରେ ଥିବା ଚାଟିକଣା ଗାଁର ଅଜୟ ସୁନା। ଅଖ୍ୟାତ ପଲ୍ଲୀର ବଣମଲ୍ଲୀ ଛତିଶଗଡ଼ରେ ବାସିବା ପରେ ଏହାର ବାସ୍ନା ଏବେ ଓଡ଼ିଶା ସମେତ ବିଭିନ୍ନ ମହଲରେ ପହଞ୍ଚିଛି। ଫ୍ୟାଶନ୍ ଡିଜାଇନିଂ ଓ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀତାରେ କ୍ୟାରିଅର୍ କରିବାକୁ ଚାହୁଁଥିବା ବହୁ ଯୁବପିଢ଼ିଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ଅଜୟ। ଏପରିକି ଛତିଶଗଡ଼ ସମେତ ବାହାର ରାଜ୍ୟର ପ୍ରମୁଖ ଫ୍ୟାଶନ୍ ଡିଜାଇନିଂ ସୋ’ରେ ବିଚାରପତି ଭାବେ ଯୋଗ ଦେଉଛନ୍ତି ଅଜୟ। ଯାହା ଓଡ଼ିଶା ତଥା ରାୟଗଡ଼ା ମାଟିକୁ ଗର୍ବିତ କରିଛି। ପିଲାଦିନ ଅତି ଦୁଃଖରେ କଟି ଥିବାରୁ କୌଣସି ପରିସ୍ଥିତିରେ ଭାଙ୍ଗି ନ ପଡି ଉଦ୍ୟମ ଜାରି ରଖିବାକୁ ଆଗାମୀ ପିଢ଼ିଙ୍କୁ ପରାମର୍ଶ ଦେଉଛନ୍ତି ଅଜୟ।

Advertisment

୨୦୨୦ରେ ମିଷ୍ଟର ଛତିଶଗଡ଼ ଭାବେ ବିବେଚିତ ହୋଇ ଚର୍ଚ୍ଚାକୁ ଆସିଥିଲେ ଅଜୟ। ଏହାପରେ ଖୁବ ପରିଚିତ ହୋଇ ଫ୍ୟାଶନ୍ ଡିଜାଇନିଂରେ ମନ ନିବେଶ କରି ସଫଳତା ହାସଲ କରିଛନ୍ତି। ନିଜ ଦକ୍ଷତା ଯୋଗୁ ଫ୍ୟାଶନ୍ ଡିଜାଇନିଂ ଅଜୟଙ୍କର ଭାଗ୍ୟ ବଦଳାଇ ଦେଇଛି। ୨୦୨୧ ଫ୍ୟାଶନ୍ ହଣ୍ଟ ସୋ’ରେ ବିଚାରପତି ଭାବେ ନିଜ ଦକ୍ଷତା ପ୍ରତିପାଦିତ କରି ଜୟ ସୋନି ନାମରେ ପରିଚିତ ହୋଇଛନ୍ତି। ଦିନ ମଜୁରିଆରୁ ଜୟ ସୋନି ନାଁରେ ପରିଚିତ ଅଜୟଙ୍କ ଜୀବନ ଯାତ୍ରା ଏତେଟା ସହଜ ନଥିଲା। ଏଥିପାଇଁ ବହୁ କଷ୍ଟ ସ୍ବୀକାର କରିବାକୁ ପଡିଥିବା କହିଛନ୍ତି ଅଜୟ। ଆଗାମୀ ଦିନରେ ସୁଯୋଗ ମିଳିଲେ ଓଡ଼ିଶାରେ କାମ କରି ବହୁ ଯୁବପିଢ଼ିଙ୍କ ଭାଗ୍ୟ ବଦଳାଇବାରେ ସହାୟକ ହେବେ ବୋଲି ଅଜୟ କହିଛନ୍ତି। ରାଜ୍ୟ ସରକାର, ରାୟଗଡ଼ା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଅଜୟଙ୍କୁ ସୁଯୋଗ ଦେଲେ ରାୟଗଡ଼ାର ଅଖ୍ୟାତପଲ୍ଲୀରେ ଲୁଚିଥିବା ଏଭଳି ଅନେକ ବଣମଲ୍ଲୀ ଦେଶର କୋଣ ଅନୁକୋଣରେ ମହକିଥାନ୍ତେ।