ସ୍ୱର୍ଗତ ଅଜୟ ଦାଶଙ୍କ ସ୍ମୃତି ସଭା ଓ ପ୍ରତିଭା ସମ୍ମାନ

ବାରିପଦା: ମୟୂରଭଞ୍ଜ ମାଟିର ସ୍ୱାଭିମାନୀ ପୁରୁଷ, ସାଲିସ ବିହୀନ ରାଜନେତା ସ୍ବର୍ଗତଃ ଅଜୟ ଦାଶଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାରିପଦା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅବନୀ ମହାନ୍ତଙ୍କ ପୌରୋହିତ୍ୟ ଓ ସମାଜକର୍ମୀ ଆଶିଷ କୁମାର ବଶାଙ୍କ ସଂଯୋଜନାରେ ସ୍ଥାନୀୟ ବେଲଗଡ଼ିଆସ୍ଥିତ ବୀଣାପାଣି କଲ୍ୟାଣ ମଣ୍ଡପ ଠାରେ ‘ଅଜୟ ଦାଶଙ୍କ ସ୍ମୃତି ସଭା ଓ ପ୍ରତିଭା ସମ୍ମାନ-୨୦୨୦ ସମାରୋହ ଅନୁଷ୍ଠିତ ହୋଇଯାଇଛି ।

କୋଭିଡ଼ କଟକଣାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୟୂରଭଞ୍ଜ ଜିଲାପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ସମ୍ମାନୀତ ଅତିଥି ଭାବେ ପୂବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ଦାଶଙ୍କ ମୟୂରଭଞ୍ଜ ପ୍ରତି ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ କୃଷ୍ଣଚନ୍ଦ୍ର ଦାସ ଓ ପ୍ରବୀର କୁମାର ବସା ଉପସ୍ଥିତ ଥିଲେ। ଅତିଥିମାନେ ଜିଲାର ସଫଳ ଗୀତିକାର ନିମାଁଇ ମହାନ୍ତି ଓ ରାଜନୈତିଜ୍ଞ ତଥା ସମାଜସେବୀ ଅରବିନ୍ଦ ଦାସ(ଗାନ୍ଧୀବାବୁ)ଙ୍କୁ ସମିତି ପକ୍ଷରୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ନ୍ଧିତ କରାଯାଇଥିଲା।

ସେହିପରି ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି କୃତିତ୍ୱ ହାସଲ କରିଥିବା ୩ଜଣ ଛାତ୍ରଙ୍କୁ ବୃତ୍ତି ଏବଂ ଓ ପିତାମାତାଙ୍କୁ ହରାଇ ପାଠପଢ଼ୁଥିବା ଡ଼ିପ୍ଲୋମା ଛାତ୍ରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଶେଷରେ ଦିବଂଗତ ଅଜୟ ଦାଶଙ୍କ ପରିବାର ପକ୍ଷରୁ ମୁଖ୍ୟଅତିଥିଙ୍କୁ ସ୍ମୃତି ଉପହାର ପ୍ରଦାନ କରିବା ଉପରାନ୍ତେ ଆଇନଜୀବୀ ମନୋରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧିତ ଖବର