ଯାଜପୁରସଦର: ତାଇୱାନ ବିଶ୍ବବିଦ୍ୟାଳୟରେ କ୍ୟାନସର ଉପରେ ଅଧିକ ଗବେଷଣା କରିବି। ଗାଁ ମାଟି ଓ ଜିଲ୍ଲାର ନାଁ ରଖିବି। ଏପରି କିଛି ସ୍ବପ୍ନ ନେଇ ତାଇଓ୍ବାନକୁ ଯିବାକୁ ପ୍ରସ୍ତୁତ ହେଉଥିଲେ ବିଂଝାରପୁର ତାଉନ୍ତରା ଗାଁ ଧଳସାହିର ଏମ୍ଟେକ୍ ଛାତ୍ର ଅଜିତେଶ ଧଳ। ଦିନ କେଇଟା ପରେ ସେ ତାଇୱାନ ବିଶ୍ବବିଦ୍ୟାଳୟକୁ ଯାଇଥାନ୍ତେ। ଗତକାଲି ରାତିରେ ଘଟିଥିବା ଅଗ୍ନିକାଣ୍ଡ ଯେମିତି ତାଙ୍କର ସବୁ ସ୍ବପ୍ନରେ ପାଣି ପକାଇଦେଲା।
ଗୋଟିଏପଟେ ବିଦେଶ ଯିବାକୁ ସମସ୍ତ କାଗଜପତ୍ର ପ୍ରସ୍ତୁତ କରୁଥିବା ବେଳେ ନିଆଁ ଲାଗି ତାଙ୍କ ଘର ସହ ସାର୍ଟିଫିକେଟ ଆଦି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ସୌଭାଗ୍ୟବଶତଃ ଅଗ୍ନିକାଣ୍ଡର କିଛି ସମୟ ପୂର୍ବରୁ ଆବଶ୍ୟକ କାଗଜପତ୍ର ଧରି ଅଜିତେଶ ଜିଲ୍ଲାପାଳଙ୍କ ଅଫିସକୁ ଯାଇଥିଲେ। ଫେରିବା ପରେ ତାକୁ ସେ ହାତରେ ଧରିଥିଲେ। ତେଣୁ ତାହା ରକ୍ଷା ପାଇଯାଇଥିଲା, କିନ୍ତୁ ବିଦେଶ ଯାତ୍ରା ପାଇଁ ଜରୁରି ଥିବା ଏମ୍ଟେକ୍ ପାଠ୍ୟକ୍ରମର କିଛି ସାର୍ଟିଫିକେଟ ତାଙ୍କ ଆଖି ଆଗରେ ଜଳି ପାଉଁଶ ହୋଇଗଲା। ଏ ପରିସ୍ଥିତିରେ ଅଜିତେଶ ହତବାକ୍ ହୋଇଯାଇଥିଲେ। ତଥାପି ପରିବାରର ସ୍ଥିତିକୁ ଓ ମା’କୁ ଭରସା ଦେବାକୁ ଯାଇ ସେ ସବୁ ଦୁଃଖ ଓ କୋହକୁ ନିଜ ଭିତରେ ଚାପି ରଖିଥିଲେ। କିଛି କ୍ଷଣ ପାଇଁ ବିଦେଶ ଯାତ୍ରାର ସ୍ବପ୍ନକୁ ମଧ୍ୟ ଭୁଲିଯାଇଥିଲେ।
ଆଜି ସକାଳୁ ସଦିଚ୍ଛୁଙ୍କ ସମର୍ଥନରେ ସେ ପୁଣି ନିଜ ଲକ୍ଷ୍ୟପଥରେ ଆଗକୁ ବଢ଼ିବାକୁ ଉଦ୍ୟମ କରିଛନ୍ତି। ଅଗ୍ନିକାଣ୍ଡ ସଂପର୍କରେ ସେ ଏମଟେକ୍ ପଢ଼ୁଥିବା ଗୌହାଟି ବିଶ୍ବବିଦ୍ୟାଳୟର ବିଭାଗୀୟ ମୁଖ୍ୟଙ୍କୁ ଜଣାଇଛନ୍ତି। ପୋଡ଼ିଯାଇଥିବା ସାର୍ଟିଫିକେଟର ନକଲ ତୁରନ୍ତ ପ୍ରସ୍ତୁତ କରିଦିଆଯିବ ବୋଲି ବିଭାଗୀୟ ମୁଖ୍ୟ ତାଙ୍କୁ ଆଶ୍ବାସନା ଦେଇଛନ୍ତି। ଏଭଳି କିଛି ସମସ୍ୟା କାରଣରୁ ମାର୍ଚ୍ଚ ୩୦ରେ ବିଦେଶ ଯିବାର ପ୍ରସ୍ତୁତି ହୋଇଛି। ଏହାରି ଭିତରେ ସେଠାରେ ଶିକ୍ଷାଦାନ ଆରମ୍ଭ ହୋଇଯାଇଥିବାରୁ ସେ ଅନଲାଇନରେ ସେସବୁ ପଢ଼ୁଛନ୍ତି। ଏହା ବାଦ୍ ସେଠାକୁ ଯିବା ପରେ ତାଙ୍କୁ ୨୧ ଦିନିଆ କ୍ବାରାଣ୍ଟାଇନରେ ରହିବାକୁ ପଡ଼ିବ।
ପୂର୍ବରୁ ସହଯୋଗ ପାଇଁ ପ୍ରସ୍ତୁତ ଥିବା ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଗତକାଲିର ଅଗ୍ନିକାଣ୍ଡ ସଂପର୍କରେ ସୂଚନା ପାଇବା ପରେ ପ୍ରଶାସନ ଆବଶ୍ୟକ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆଜି ସକାଳୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିଂଝାରପୁର ତହସିଲଦାର, ଅତିରିକ୍ତ ତହସିଲଦାର, ଆରଆଇ ପ୍ରମୁଖ ପହଞ୍ଚି ଅଗ୍ନିକାଣ୍ଡ ସଂପର୍କରେ ବୁଝିବା ସହ ତୁରନ୍ତ ସମସ୍ତ ସହାୟତା କରାଯିବ ଏବଂ ଆବାସ ଯୋଜନାରେ ଘର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି କଠିନ ପରିସ୍ଥିତିରେ ଧୈର୍ଯ୍ୟ ଧରିବାକୁ ଅଜିତେଶଙ୍କୁ ଗାଁ ଲୋକେ ପରାମର୍ଶ ଦେଇଛନ୍ତି। ଦମ୍ଭର ସହ ସବୁ ପରିସ୍ଥିତିକୁ ସାମ୍ନା କରି ଆସନ୍ତା ୩୦ ତାରିଖରେ ସେ ତାଇୱାନ ଯିବାକୁ ମନସ୍ଥ କରିଥିବା ଅଜିତେଶ ’ସମ୍ବାଦ’କୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/photo-sambad-thumb19_thumb.jpg)