ଜୟପୁର: ୨୦୧୭ମସିହାରେ ଆକାଶ ମହୁରିଆଙ୍କୁ ହତ୍ୟା କରି ବାଇକ୍ ଦୁର୍ଘଟଣାର ରୁପ ଦେବା ଏବଂ ତାଙ୍କ ଭାଇ ଜିତ୍ ମହୁରିଆଙ୍କୁ ବେଆଇନ୍ ଭାବେ ରଖିବା ଅଭିଯୋଗରେ କ୍ରାଇମ୍ ବ୍ରାଂଚ ୪ପୁଲିସ ଅଧିକାରୀଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛି। ଏମାନେ ହେଲେ ତତ୍କାଳୀନ ଜୟପୁର ଟାଉନ ଥାନା ଆଇଆଇସି ତପନ ନାରାୟଣ ରଥ, ସବଇନିସପେକ୍ଟର ଶିବଶଙ୍କର ସାହୁ, ରାଜେଶ ବଳିୟାରସିଂ, ଓ ଏସଡିପିଓ ରାଜେନ୍ଦ୍ର କୁମାର ସେନାପତି। କ୍ରାଇମ୍ ବ୍ରାଂଚ ପକ୍ଷରୁ ଏଏସପି ରାମଚନ୍ଦ୍ର ଥମ୍ବଏହି ମାମଲାର ତଦନ୍ତ ଆରମ୍ଭ କରିବେ ବୋଲି ସୂଚନା ମିଳିଛି।
ସୂଚନା ଯୋଗ୍ୟ, ଗତ ୨୦୧୭ମସିହାରେ ଆକାଶ ମହୁରିଆଙ୍କୁ ହତ୍ୟା କରି ବାଇକ୍ ଦୁର୍ଘଟଣାର ରୁପ ଦେବା ଏବଂ ତାଙ୍କ ଭାଇ ଜିତ୍ ମହୁରିଆଙ୍କୁ ବେଆଇନ୍ ଭାବେ ଜୟପୁର ଟାଉନଥାନାରେ ୫ଦିନ ଅଟକ ରଖିଥିବାକୁ ନେଇ ତାଙ୍କ ପରିବାରବର୍ଗ ପକ୍ଷରୁ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ନେଇ ମା’ ପ୍ରବିଣା ମହୁରିଆ ରାଜ୍ୟ ମାନବିକ ଅଧିକାର କମିଶନର ଦ୍ବାରସ୍ଥ ହୋଇଥିଲେ। କମିଶନର ଜଣେ ଡିଏସପି ଏହାର ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲେ। ପରେ କମିଶନ ଏହାର ଶୁଣାଣୀ କରି ଜିତ୍ ମହୁରିଆଙ୍କୁ ବେଆଇନଭାବେ ଥାନାରେ ୫ଦିନ ଅଟକ ରଖିଥିବାରୁ କ୍ଷତିପୁରଣ ବାବଦକୁ ୩୦ହଜାର ଟଙ୍କା ଦେବାକୁ ନିର୍ଦେଶ ଦେଇଥିଲେ।
ଏହି ଜୋରିମାନା ଟଙ୍କା ତତ୍କାଳୀନ ଟାଉନଥାନା ଆଇଆଇସି ଶ୍ରୀ ରଥ , ସବଇନିସପେକ୍ଟର ଶ୍ରୀ ସାହୁ ମିଳିତ ଭାବେ ରାଜ୍ୟ ସରକାରଙ୍କ ନିକଟରେ ଜମା କରିବେ ବୋଲି ନିର୍ଦେଶ ଦେଇଥିଲେ। ଜୋରିମାନା ଟଙ୍କା ଜମା ନ କରିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦେଶ ଦିଆଯାଇଥିଲା। ତା ସହ ଆକାଶ ମହୁରିଆ ହତ୍ୟା ଅଭିଯୋଗ ମାମଲାର ପୁନଃର୍ବାର କ୍ରାଇମବ୍ରାଂଚର ଅତିରିକ୍ତ ଏସପି ପାହ୍ୟାର ଅଧିକାରୀ ପୁନଃ ତଦନ୍ତ କରି ନଭେମ୍ବର ୧୫ତାରିଖ ସୁଦ୍ଧା ରାଜ୍ୟ ମାନବିକ ଅଧିକାର କମିଶନ ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଥିଲା। ଏହାକୁ କାର୍ଯ୍ୟାନ୍ବୟନ କରିବାକୁ ଗୃହ ବିଭାଗ ସଚିବଙ୍କୁ ରାଜ୍ୟ ମାନବିକ ଅଧିକାର କମିଶନ ନିର୍ଦେଶ ଦେଇଥିଲେ। ତାହା ଏବେ କାର୍ଯ୍ୟକାରୀ ହୋଇଛି। ଉପରୋକ୍ତ ୪ଜଣ ପୁଲିସ ଅଧିକାରୀଙ୍କ ନାଁରେ ଦଫା ୩୦୨ରେ ମାମଲା ରୁଜୁ କରିଛି କ୍ରାଇମ୍ ବ୍ରାଂଚ।
ଜଣେ ଯଦି ଅଭିଯୁକ୍ତ ତେବେ ପୁଲିସ ତାକୁ ଧରି ଉପଯୁକ୍ତ ସାକ୍ଷ୍ୟ ,ପ୍ରମାଣ ସହ କୋର୍ଟରେ ହାଜିର କରାଇବା କାମ। କୋର୍ଟ ବିଚାର କରିବା ପରେ ସେ ଅପରାଧିକି ନିରପରାଧି ତା ପରେ ସ୍ପଷ୍ଟ ହେବ। ତେବେ କିଛି ବୁଝି ନ ବିଚାରି ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିବା କେତେ ଦୁର ଯୁକ୍ତିଯୁକ୍ତ। ଏବଂ ବିନା ମାମଲାରେ ଜଣକୁ ଥାନାକୁ ଆଣି ୫ଦିନ ରଖି ଶାରିରୀକ ମାନସିକ ଯନ୍ତ୍ରଣା ଦେବା କେତେ ଦୁର ନ୍ୟୟ ସଂଗତ ବୋଲି ତାଙ୍କ ମାଁ ପ୍ରବୀଣା ମହୁରିଆ, ଭଉଣୀ ମୀନାକ୍ଷୀ ମହୁରିଆ ଓ ମାନସୀ ମହୁରିଆ, ମାଉସୀ ପୁଅ ଭାଇ କର୍ଣ୍ଣେଲ ବାଘ, ଆଇନଜୀବୀ ଗୋକୁଳ ସୂର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି। ପୁଲିସ ପୂର୍ବରୁ ଦେଇଥିବା ଧମକ ଅନୁଯାୟୀ ହିଁ ଆକାଶକୁ ହତ୍ୟା କରିଥିଲା। ଏବଂ ଆମେ କରିଥିବା ମାମଲା ଗୁଡ଼ିକୁ ପ୍ରତ୍ୟାହାର କରାଇବା ପାଇଁ ଚାପ ପ୍ରୟୋଗ କରି ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ।
୪ବର୍ଷ ପରେ ମାନବିକ ଅଧିକାର କମିଶନର ନିର୍ଦେଶରେ କ୍ରାଇମ୍ ବ୍ରାଂଚ ଏହି ମାମଲାର ତଦନ୍ତ କରିବ। ତେବେ ମାମଲାରେ ସଂପୁର୍ଣ୍ଣ ସ୍ବଚ୍ଛତା , ଧର୍ମ ଓ ନ୍ୟାୟକୁ ଦେଖି ତଦନ୍ତ କରି ଆମ ପରିବାରକୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି କହିଛନ୍ତି ମା , ଭାଇ ଓ ଭଉଣୀ । କ୍ରାଇମ୍ ବ୍ରାଂଚ ଯଦି ହତ୍ୟା ମାମଲା ରୁଜୁ କରିଛି , ତେବେ ଅନ୍ୟ ସାଧାରଣ ଲୋକଙ୍କ ପାଇଁ ଯେଭଳି ହତ୍ୟା ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ସେଭଳି ଏହି ୪ ପୁଲିସ ଅଧିକାରୀ ମାନଙ୍କ ବିରୋଧରେ କ୍ରାଇମ୍ ବ୍ରାଂଚ ସେଭଳି ପଦକ୍ଷେପ ନେବ ତ ବୋଲି ତାଙ୍କ ମା ଓ ଅନ୍ୟ ମାନେ ପ୍ରଶ୍ନ କରିଛନ୍ତି। ଆଗାମୀ ଦିନରେ କ୍ରାଇମ୍ ବ୍ରାଂଚ ଏହି ମାମଲାରେ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/Presentation1.jpg)