ଖୋର୍ଦ୍ଧା: ଓଡ଼ିଶାର ଧାର୍ମିକ ସଂସ୍କୃତି ସହ କୃଷି ଓ କୃଷକର ଜୀବନର ସମ୍ପର୍କ ଅତିନିବିଡ଼। ଆଜି ବୈଶାଖ ଶୁକ୍ଲ ତୃତୀୟା ଠାରୁ କୃଷିକାର୍ଯ୍ୟର ପ୍ରଥମ ପର୍ବ ଅକ୍ଷୟ ତୃତୀୟା ଭାବେ ଆରମ୍ଭ ହୋଇଛି। ଖୋର୍ଦ୍ଧା ଓ ଆଖପାଖ ଅଂଚଳରେ ଚାଷୀ ଧନଧାନ୍ୟର ଦେବୀ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରି ନିଜ କ୍ଷେତରେ ଅକ୍ଷିମୁଠି ଧାନ ଅନୁକୂଳ କରିଛି। ଖୋର୍ଦ୍ଧା ବ୍ଲକର ବରସାହି ଠାରେ ବ୍ଲକସ୍ତରୀୟ ଅକ୍ଷିମୁଠି ଧାନ ଅନୁକୂଳ କାର୍ଯ୍ୟକ୍ରମରେ ଆତ୍ମାର ଅଧ୍ୟକ୍ଷ ରୁଦ୍ରଭାନୁ ନରେନ୍ଦ୍ରସିଂହ, ବ୍ଲକ ଅଧ୍ୟକ୍ଷା ଶ୍ରୀମୟୀ ପ୍ରିୟଦର୍ଶିନୀ ପାତ୍ର, ସରପଂଚ ଶରତ ଚନ୍ଦ୍ର ବେହେରା, ସମିତି ସଭ୍ୟ ରାମଚନ୍ଦ୍ର ସାମନ୍ତରାୟ ଓ ଗ୍ରାମର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଚାଷ ଜମିରେ ପୂଜାର୍ଚ୍ଚନା କରି ଧାନ ବୁଣା ଅନୁକୂଳ କରିଥିଲେ। ସେହିଭଳି ଖୋର୍ଦ୍ଧା ବ୍ଲକର ଟାଙ୍ଗିଆପଡ଼ ପଂଚାୟତର ୱିଲ୍କିନ୍ସନ ନଗର, ଟାଙ୍ଗିଆପଡ଼ା, କୁମାରବସ୍ତ, ପାଇକତିଗିରିଆ, ଅରାଙ୍ଗ, ମହୁଲ, ହଳଦିଆ, ମୁକ୍ତାପୁର, କେରଙ୍ଗ, ବାଜପୁର, ନରଣଗଡ଼, କାଇପଦର, ବଙ୍ଗିଦା, ଓରବରସିଂହ, ତାପଙ୍ଗ ଆଦି ସ୍ଥାନରେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁସାରେ ଚାଷୀ ଭୋରରୁ ପୂଜାର୍ଚ୍ଚନା କରି ନିଜ ନିଜ ଜମିରେ ଅକ୍ଷିମୁଖି ଧାନ ଅନୁକୂଳ କରିଛି। ପାଗ ଭଲ ଥିବାରୁ ଚଳିତବର୍ଷ ଧାନଚାଷ ଭଲ ହେବ ବୋଲି ଚାଷୀମାନେ ମତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/Maa-Laxminku-abahan-kari-akhimuthi-dhan-bunile-chashi-Khordha-2.jpeg)