୩୦୦୦ରୁ ଊର୍ଦ୍ଧ୍ବ ସାନ୍ତାଳୀ ଶିକ୍ଷକ ଭୁବନେଶ୍ୱରକୁ ବିଶାଳ ପଦଯାତ୍ରାରେ ବାହାରିଲେ

ରାଇରଙ୍ଗପୁର: ସାନ୍ତାଳୀ ଶିକ୍ଷକମାନଙ୍କୁ ନିୟମିତ କରାଯିବା ଦାବି ନେଇ ବାରିପଦାସ୍ଥିତ ଜିଲ୍ଲା ପ୍ରକଳ୍ପ ଅଧିକାରୀ(ଡ଼ିପିସି)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅକ୍ଟୋବର ୧୨ ତାରିଖରୁ ଧାରଣାରେ ବସିଥିଲେ । ଇତି ମଧ୍ୟରେ ଏହି ଧାରଣାକୁ ମାସେ ପୂର୍ଣ୍ଣହୋଇଛି । ସାନ୍ତାଳୀ ଭାଷା ଶିକ୍ଷକମାନଙ୍କର ନିୟମିତ ନିମନ୍ତେ ପ୍ରଶାସନ ତରଫରୁ କିମ୍ବା ଶିକ୍ଷା ବିଭାଗ କର୍ଣ୍ଣପାତ ନକରିବାରୁ ଚେତାବନୀ ଦେଇଥିଲେ ଯେ ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରିବେ । ଆଜି ବିର୍ସା ମୁଣ୍ଡାଙ୍କର ଜୟନ୍ତୀ ଉପଲକ୍ଷେ ରାଇରଙ୍ଗପୁର ବ୍ଲକର ପୋଖରିଆ ଗ୍ରାମରୁ ସାନ୍ତାଳୀ ଭାଷା ଶିକ୍ଷକ ଓ ଅଂଚଳର ୩ ହଜାରରୁ ଊର୍ଦ୍ଧ୍ବ ଜନସାଧାରଣ ପଦଯାତ୍ରାରେ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି ।

ସେମାନଙ୍କର ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ ନଥିବାରୁ ସାନ୍ତାଳୀ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଳିଥିବା ନିଯୁକ୍ତି ପତ୍ର ଓ ଡ୍ରେସ୍ ନବୀନ ନିବାସରେ ପହଂଚି ଫେରାଇଦେବେ ବୋଲି କ୍ଷୋଭର ସହିତ ପ୍ରକାଶ କରିଛନ୍ତି । ଉକ୍ତ ପଦଯାତ୍ରାରେ ନିଖିଳ ଓଡ଼ିଶା ସାନ୍ତାଳୀ ଭାଷା ଶିକ୍ଷକ ସଂଘ,ଆଦିବାସୀ ଶିକ୍ଷକ ସଂଘ,ମାସା ଆର୍ମୀ,ଜେଏମଏମ ସମେତ ଅନ୍ୟ ସଂଘର ସହଯୋଗରେ ପଦଯାତ୍ରାରେ ବାହାରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ୨୦୦୭ ମସିହାରେ ରାଇରଙ୍ଗପୁର ନିକଟସ୍ଥ ପୋଖରିଆ ଗ୍ରାମକୁ ଏକ ସତନ୍ତ୍ର କାର୍ଯ୍ୟକ୍ରମରେ ଆସି ଆଦିବାସୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟମିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

କିନ୍ତୁ ୧୫ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କୁ ନିୟମିତ କରାଯାଇନଥିବାରୁ ସେହି ଗ୍ରାମରୁ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି । ତେବେ ସମଗ୍ର ଜିଲ୍ଲାରୁ ୫ ହଜାରରୁ ଊର୍ଦ୍ଧ୍ବ  ଶିକ୍ଷକଶିକ୍ଷୟିତ୍ରୀ ପଦଯାତ୍ରାରେ ସାମିଲ ହେବେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର