ମଦ ପାଇଁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ, ଦୁଇ ଭାଇ ଆହତ

ରାୟଗଡ଼ା: ମଦବେପାରୀଙ୍କ ସମର୍ଥକ ଗୋଷ୍ଠୀ ଲୋକଙ୍କ ଆକ୍ରମଣରେ ଥେରୁବାଲି ପଞ୍ଚାୟତ ଅନ୍ତର୍ଗତ ଗୁନାଖାଲ ଗ୍ରାମର ଦୁଇ ଭାଇ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟଲୋକେ ଅାହତ ଦୁଇ ଭାଇଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ସୂଚନାଯୋଗ୍ୟ, ଥେରୁବାଲି ପଞ୍ଚାୟତ ଅନ୍ତର୍ଗତ ଗୁନାଖାଲ ନିବାସୀ ଆପିଆ କାଡ୍ରାକାଙ୍କ ଦୁଇପୁଅ ମୁନା କାଡ୍ରାକା (୨୫), ଟୁନା କାଡ୍ରାକା (୨୨) ଓ ତାଙ୍କ ସାଙ୍ଗ ଟୁନା ତାଡିଙ୍ଗି ମିଶି ଗତକାଲି ସନ୍ଧ୍ୟା ୬ଟାରେ ଥେରୁବାଲିସ୍ଥିତ ଡିପି କ୍ୟାମ୍ପରେ ଥିବା କମନା ମହାନନ୍ଦିଆଙ୍କ ମଦ ଦୋକାନକୁ ବିଦେଶୀ ମଦ ପିଇବା ପାଇଁ ଯାଇଥିଲେ। ବିଦେଶୀ ମଦର ଦାମ ଅଧିକ ହେବାରୁ ଦୁଇ ଭାଇ ପ୍ରଥମେ ୫୦୦ଟଙ୍କା କମନା ମହାନନ୍ଦିଆଙ୍କୁ ଦେଇ ବାକି ଟଙ୍କା ଏଟିଏମ୍‌ରୁ କାଢ଼ି ଆଣୁଛୁ ବୋଲି କହିଥିଲେ। ଯଦି ବିଶ୍ୱାସ ହେଉ ନି ତେବେ ଆମର ଫୋନ ରଖ, ଟଙ୍କା ଆଣିଲେ ଟଙ୍କା ଦେଇ ଫୋନ୍‌କୁ ନେଇଯିବେ ବୋଲି କହିଥିଲେ। ମଦବେପାରୀ ଏମାନଙ୍କ କଥା ଶୁଣି ନ ଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ପରେ ଦୁଇ ଭାଇ ଏବଂ ତାଙ୍କ ସାଙ୍ଗ ଟୁନା ତାଡିଙ୍ଗ ମିଶି ଚାଲିଚାଲି ଘରକୁ ଫେରୁଥିବା ବେଳେ ଥେରୁବାଲି ବ୍ରିଜ ଉପରେ ମଦ ବେପାରିର ପ୍ରାୟ ୨୦ଲୋକ ଆସି ଦୁଇ ଭାଇ ଓ ତାଙ୍କ ସାଙ୍ଗକୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଦୁଇ ଭାଇଙ୍କୁ ଗଭୀର ଆଘାତ ଲାଗିବାରୁ ଦୁଇ ଭାଇ ଅଚେତ ହୋଇ ପଡ଼ି ଯାଇଥିଲେ। ଅଚେତ ଦୁଇ ଭାଇଙ୍କୁ ଥେରୁବାଲି ବ୍ରିଜ ତଳେ କାଦୁଅରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ନିକଟରେ ଲୁଚି ରହିଥିବା ଦୁଇ ଭାଇଙ୍କ ସାଙ୍ଗ ଟୁନା ତାଡିଙ୍ଗି ଫୋନ୍‌ ଯୋଗେ ଗାଁ ଲୋକଙ୍କୁ ଖବର ଦେବାପରେ ଗାଁ ଲୋକେ ଦୁଇ ଭାଇଙ୍କୁ ଉଦ୍ଧାର କରି ରାତି ୯ଟା ସମୟରେ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧିତ ଖବର