ସମସ୍ତ କୋଟା ଫେରନ୍ତାଙ୍କ ନମୁନା ରିପୋର୍ଟ ନେଗେଟିଭ୍

ବାରିପଦା: ରାଜସ୍ଥାନର କୋଟା ଜିଲ୍ଲାରୁ ବାରିପଦା ଫେରିଥିବା ୧୭ଜଣ ଛାତ୍ରଛାତ୍ରୀଙ୍କ ସମେତ ୩ ଅଭିଭାବକଙ୍କର କରୋନା ପରୀକ୍ଷା ରିପୋର୍ଟ ପ୍ରଶାସନର ହସ୍ତଗତ ହୋଇଛି। ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ବାରିପଦାରୁ ଯାଇଥିବା ଏକ ଘରୋଇ ବସରେ ସମସ୍ତେ ମଙ୍ଗଳବାର ଦିନ ବାରିପଦାରେ ପହଞ୍ଚିଥିଲେ। ଏହି ଦଳରେ ୧୧ଜଣ ଛାତ୍ର, ୬ଜଣ ଛାତ୍ରୀଙ୍କ ସମେତ ୫ ଜଣ ଅଭିଭାବକ ଓ ୩ଜଣ ବସ୍ କର୍ମଚାରୀ ସାମିଲ ଥିଲେ। ସମସ୍ତଙ୍କୁ ସ୍ଥାନୀୟ ପ୍ରୟାସ୍ ହଲ୍ ପରିସରରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ଆଇସୋଲେସନରେ ରଖାଯାଇଥିଲା। ସମସ୍ତଙ୍କର କରୋନା ପରୀକ୍ଷା କରାଯାଇଥିଲା। ଯାହାକି ନେଗେଟିଭ୍ ଆସିଛି। ବର୍ତ୍ତମାନ ସମସ୍ତ କୋଟା ଫେରନ୍ତା ନିଜ ନିଜ ଘରକୁ ଫେରିପାରିବେ। ତେବେ ସେଠାରେ ସେମାନେ ହୋମ୍ କ୍ୱାରେଣ୍ଟାଇନରେ ରହିବେ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର