ଜେଏସ୍‌ଡବ୍ଲୁ ପ୍ରକଳ୍ପସ୍ଥଳରେ ପୁଲିସ ଲାଠିଚାଳନା ଘଟଣା: ସ୍ଥିତି ପରଖିବାକୁ ଢିଙ୍କିଆରେ ୧୩ ରାଜନୈତିକ ଦଳ ନେତା

କୁଜଙ୍ଗ: ଏରସମା ବ୍ଳକ୍‌ର ପ୍ରସ୍ତାବିତ ଜେଏସଡବ୍ଲୁ ପ୍ରକଳ୍ପ ଅଂଚଳ ଢିଙ୍କିଆକୁ ୧୩ ଟି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଗସ୍ତ କରିଥିଲେ। ସେଠାରେ ପୁଲିସ ଜୁଲମ୍‌, ପ୍ରଶାସନ ବଳପୂର୍ବକ ପାନବରଜ ଅଧିଗ୍ରହଣ କରିବା, ମାନବାଧିକାର ଉଲ୍ଲଂଘନ ନେଇ ହୋଇ ଆସୁଥିବା ଅଭିଯୋଗ ସମ୍ପର୍କରେ ସେମାନେ ଅଂଚଳବାସୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ।
ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ଢିଙ୍କିଆ ଗ୍ରାମରେ ପୁଲିସ-ଗ୍ରାମବାସୀଙ୍କ ମୁହାଁମୁହିଁ ପରିସ୍ଥିତି ପରେ ପୁଲିସ ପକ୍ଷରୁ ଲାଠିଚାଳନା କରାଯାଇଥିଲା। ଏହାକୁ ବିଭିନ୍ନ ରାଜନୈତିକ ଦଳ ମହଲରେ ନିନ୍ଦା କରାଯିବା ସହିତ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବାକୁ ଏହି ପ୍ରତିନିଧି ଦଳ ଆସିଥିବା କୁହାଯାଉଛି। ଏହି ଦଳ ଗ୍ରାମରେ ପହଞ୍ଚି ସେଦିନର ଘଟଣା ସମ୍ପର୍କରେ ଗ୍ରାମବାସୀମାନଙ୍କ ସହିତ ଆଲୋଚନା କରିବା ସହିତ ଆହତ ବ୍ୟକ୍ତିମାନଙ୍କ ସହ ଆଲୋଚନା କରିଥିଲେ। ଗ୍ରାମବାସୀମାନେ ଏହି ଟିମ୍‌କୁ ସେଦିନର ଘଟଣା ସମ୍ପର୍କରେ ବୟାନ ଦେଇଥିଲେ। ଗ୍ରାମର କେତେଜଣ ମହିଳା ନିଜ କୋହ ସମ୍ଭାଳି ନପାରି କାନ୍ଦି କାନ୍ଦି ନିଜର କ୍ଷତ ଦେଖାଇଥିଲେ। ଗ୍ରାମବାସୀମାନଙ୍କ ପ୍ରତି ପ୍ରଶାସନ, ପୁଲିସ ପକ୍ଷରୁ ହେଉଥିବା ଅତ୍ୟାଚାର ବଖାଣିଥିଲେ।

ଗ୍ରାମରେ ଦିନ-ରାତି ପୁଲିସ ପହରା ଯୋଗୁଁ ଭୟଭୀତ ହୋଇପଡିଥିବା ଗ୍ରାମବାସୀ ବାହାରକୁ ବାହାରି ପାରୁ ନଥିବା ବେଳେ ଆଜି ନେତାଙ୍କ ଆଗମନରେ ମନରେ ସାହାସ ବାନ୍ଧି ଦୁଖ ଓ ନିର୍ଯ୍ୟାତନା ବର୍ଣ୍ଣନା କରିଥିଲେ। ଗ୍ରାମର ଫୁଲଖାଇ ମନ୍ଦିର ପରିସର ମଧ୍ୟରେ ଶତାଧିକ ଗ୍ରାମବାସୀ ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ପ୍ରତିନିଧି ଦଳରେ ସିପିଏମ୍‌ ପକ୍ଷରୁ ଜନାର୍ଦ୍ଦନ ପତି, କଂଗ୍ରେସ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସିପିଆଇ(ଏମ୍‌ଏଲ୍‌) ପକ୍ଷରୁ ମହେନ୍ଦ୍ର ମହାନ୍ତି, ଶ୍ରୀକାନ୍ତ ମହାନ୍ତି, ସିପିଆଇ ପକ୍ଷରୁ ଆଶିଷ କାନୁନଗୋ, ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସୁରେଶ ପାଣିଗ୍ରାହୀ, ଶଶିଭୂଷଣ ସ୍ବାଇଁ, ଆର୍‌ଜେଡି ପକ୍ଷରୁ ହେମନ୍ତ କୁମାର, ଆମ୍‌ ଆଦ୍‌ମୀ ପାର୍ଟିର ଗଙ୍ଗାଚରଣ ପ୍ରଧାନ, ସମାଜବାଦୀ ପାର୍ଟିର ସୁଦର୍ଶନ ପ୍ରଧାନ ପ୍ରମୁଖ ରାଜନେତାମାନେ ସାମିଲ ଥିଲେ। ଏହି ପ୍ରତିନିଧି ଦଳ ସାଧାରଣ ଲୋକଙ୍କ ସହିତ ଆଲୋଚନା କରିବା ପରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହିତ ଘଟଣା ସମ୍ପର୍କରେ ଅଲୋଚନା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର