ରାଉରକେଲା: ନୂଆଗାଁ ବିଡିଓ ଜମି କିଣି ଫାର୍ମହାଉସ୍ ନିର୍ମାଣ କରୁଥିବା ଅଭିଯୋଗର ସୁନ୍ଦରଗଡ଼ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଅଭିଯୋଗର ତଦନ୍ତ କରାଯାଉ ନଥିଲା। ଏ ସମ୍ପର୍କିତ ଖବର‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ତତ୍ପରତା ଦେଖାଇଥିଲେ।
ପାନପୋଷ ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ। ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ସୁନ୍ଦରଗଡ଼ର ପ୍ରଶାସନିକ ଅଧିକାରୀ ବିଭୂତି ରାଉଳ, ପାନପୋଷ ଅତିରିକ୍ତ ଉପଜିଲ୍ଲାପାଳ ଅର୍ପିତା ମହାନ୍ତି ଏବଂ ବୀରମିତ୍ରପୁର ତହସିଲଦାର ଗୌରୀ ନାୟକ ନୂଆଗାଁ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ।
ବୀରମିତ୍ରପୁର ଆର୍ଆଇ ସୁପରଭାଇଜର ଦିଲୀପ ସାହୁଙ୍କ ସହ ନୂଆଗାଁରେ ବିଡିଓଙ୍କ ଜମିଥିବା ସ୍ଥାନରେ ପହଞ୍ଚି ତଦନ୍ତ କରିଥିଲେ। ସେଠାରୁ ତଦନ୍ତ ସାରି ଫେରିବା ପରେ ନୂଆଗାଁ ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗକାରୀ ଓ ତାଙ୍କ ସହଯୋଗୀଙ୍କୁ ବିଡିଓଙ୍କ କାର୍ଯ୍ୟକଳାପ ସଂକ୍ରାନ୍ତରେ ପଚାରିଥିଲେ।
ତଦନ୍ତ ରିପୋର୍ଟ ଆସନ୍ତା ତିନିଦିନ ମଧ୍ୟରେ ପାନପୋଷ ଉପଜିଲ୍ଲାପାଳଙ୍କ ଜରିଆରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ତଦନ୍ତ ରିପୋର୍ଟ ପାଇବା ପରେ ସୁନ୍ଦରଗଡ଼ ଜିଲ୍ଲାପାଳ ବିବାଦୀୟ ବିଡିଓଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତାହା ଜାଣିବାକୁ ନୂଆଗାଁବାସୀ ଚାହିଁ ରହିଛନ୍ତି। ସୂଚନାଯୋଗ୍ୟ, ଗତ ଡିସେମ୍ବର ୨ରେ ନୂଆଗାଁ ବ୍ଲକ୍ରେ ଜିଲ୍ଲାପାଳଙ୍କ ଯୁଗ୍ମଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା।
ସ୍ଥାନୀୟ ଅଞ୍ଚଳର ରାଜେନ୍ଦ୍ର ତ୍ରିପାଠୀ, ଆକ୍ବର ଅନ୍ସାରୀ, ସାଗର ସାହୁ, ଛକନ ସାହୁ, ରାଜା ସାହୁଙ୍କ ସମେତ ଅନ୍ୟମାନେ ନୂଆଗାଁ ବିଡିଓଙ୍କ କାର୍ଯ୍ୟକଳାପ ସଂପର୍କରେ ଅଭିଯୋଗ କରିଥିଲେ। ସେମାନେ ତାଙ୍କ ଲିଖିତ ଅଭିଯୋଗରେ ଦର୍ଶାଇଥିଲେ, ବିଡିଓ ନିଜ ସମ୍ପର୍କୀୟଙ୍କ ନାଁରେ ଜମି କିଣୁଛନ୍ତି। ସେଠାରେ ଫାର୍ମହାଉସ ନିର୍ମାଣ କରୁଛନ୍ତି। ବ୍ଲକର କନିଷ୍ଠଯନ୍ତ୍ରୀଙ୍କୁ ତାଙ୍କ ବେସରକାରୀ କାମରେ ଲଗାଉଛନ୍ତି।
ଅଧିକ ପଢ଼ନ୍ତୁ: ବେଆଇନ କୋଇଲା ଡିପୋରେ ଚଢ଼ଉ: ୬୫ ଟନ କୋଇଲା ଜବତ
ଅଭିଯୋଗର ସତ୍ୟାସତ୍ୟ ଜାଣିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ୍ ତଦନ୍ତ ପାଇଁ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ଓ ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉପଜିଲ୍ଲାପାଳ ଉପଜିଲ୍ଲାପାଳ ଅଭିଯୋଗର ତଦନ୍ତ କରିବାକୁ ଉପଜିଲ୍ଲାପାଳ ଅର୍ପିତା ମହାନ୍ତି, ଜିଲ୍ଲା ପରିଷଦର ସହକାରୀ ନିର୍ବାହୀ ଅଧିକାରୀ ଓ ବୀରମିତ୍ରପୁର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ତିନି ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଥିଲା। ତିନିଦିନ ତ ଦୂରର କଥା ମାସେ ବିତିଯାଇଥିଲେ ହେଁ ଅଭିଯୋଗର ତଦନ୍ତ ହୋଇନଥିଲା।