ଖୋର୍ଦ୍ଧା: ତୃଣମୂଳସ୍ତରରେ ମହିଳାଙ୍କ ଆର୍ଥିକ ଓ ସାମାଜିକ ବିକାଶ ନିମନ୍ତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିବାକୁ ପ୍ରୋତ୍ସାହିତ କରୁଛନ୍ତି। ଗାଁଗଣ୍ଡାରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡ଼ିକୁ ନେଇ ବ୍ଲକସ୍ତରରେ ଏକ ମହାସଂଘ ଗଠନ କରାଯାଇଛି। ବ୍ଲକର ବିଭିନ୍ନ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଏଭଳି ମହାସଂଘ ଗଠନ କରାଯାଇଥିବା ବେଳେ ଅନେକ ସ୍ଥାନରେ ଏଥିରେ ସରକାରଙ୍କ ଠାରୁ ମିଳୁଥିବା ବିଭିନ୍ନ ଯୋଜନା ଓ ଅନୁଦାନର ତୋଷାରପାତ ହେଉଛି। ଏଭଳି ଏକ ଅଭିଯୋଗ ବାଣପୁର ବ୍ଲକରୁ ଆସିଛି। ମହାସଂଘର ସଦସ୍ୟାମାନେ ମହାସଂଘରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଆଜି ପୂର୍ବାହ୍ନରେ ଲଗାଣ ବର୍ଷା ସତ୍ୱେ ବାଣପୁର ବ୍ଲକର ଜ୍ୟୋତି ମିଶନଶକ୍ତି ମହାସଂଘର ପ୍ରାୟ ୩୦ରୁ ଉର୍ଦ୍ଧ୍ବ ସଦସ୍ୟା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ଦେଇଥିଲେ। ଦାବିପତ୍ରରେ ଦର୍ଶାଯାଇଛି ଯେ ୨୦୧୮ ଜୁନ ୧୧ ତାରିଖରେ ବ୍ଲକସ୍ତରୀୟ ମିଶନଶକ୍ତି ମହାସଂଘ ଗଠନ ହୋଇଥିଲା। ପ୍ରତି ୨ ବର୍ଷରେ ଥରେ ଏହାର ସଭାପତି, ସମ୍ପାଦକ ଆଦି ପରିବର୍ତନ ହେବା କଥା, କିନ୍ତୁ ୨୦୧୮ରେ ନିର୍ବାଚନରେ ଜିତିଥିବା ସଭାପତି ଓ ସମ୍ପାଦକ ସଂଘର ପାଣ୍ଠୀ ଆଦିର ଦୁରୁପଯୋଗ କରିଥିଲେ।
ଏନେଇ ଅଭିଯୋଗ ହେବା ପରେ ଅଗଷ୍ଟ ୨୩, ୨୦୨୧ରେ ନୂତନ କର୍ମକର୍ତ୍ତା ଚୟନ ପାଇଁ ବିଜ୍ଞପ୍ତି ଦିଆଯାଇଥିଲା। କିନ୍ତୁ ଏହାର ଉଲ୍ଲଂଘନ କରି ପୂର୍ବ ସଭାପତି ଓ ସମ୍ପାଦକ ସ୍ଥାନୀୟ ପ୍ରକଳ୍ପ ସଂଯୋଜକଙ୍କ ସହ ମିଶି ଏକାଧିକ ଘଟଣାରେ ଲକ୍ଷାଧିକ ଟଙ୍କା ତୋଷାରପାତ କରିଛନ୍ତି। ଏନେଇ ବିଧିବଦ୍ଧ ତଦନ୍ତ କରି ପଦକ୍ଷେପ ନେବାକୁ ଦାବି କରିଛନ୍ତି। ସଦସ୍ୟା କଳ୍ପନା ସେନ, ଶାନ୍ତିଲତା ନାୟକ, କନକ ବରାଳ, ଲିଲି ସାମନ୍ତରାୟ, ଜାଗୃତି ଜେନା, ସ୍ନେହଲତା ସାହୁ, ରାଜଶ୍ରୀ ଜେନା, ବୀଣାପାଣି ପ୍ରଧାନ ପ୍ରମୁଖ ଏନେଇ କହିଛନ୍ତି ଯେ ସଦସ୍ୟାଙ୍କ ଗସ୍ତଖର୍ଚ୍ଚ ଟଙ୍କା ହଡ଼ପ, ଘରୋଇ ଟେଣ୍ଟ ହାଉସରୁ ଅଧିକ ମୂଲ୍ୟର ସାମଗ୍ରୀ ଆଣିବା, ମହାସଂଘର ପ୍ରସ୍ତାବରେ ଜାଲିଆତି ଆଦି ଅନେକ ଅନିୟମିତତା ହୋଇଛି। ଯଦି ପ୍ରଶାସନ ସେମାନଙ୍କ ଦାବି ନଶୁଣେ ତେବେ ବ୍ଲକର ଶତାଧିକ ସଦସ୍ୟା କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ଯାଏଁ ଧାରଣା ଦେବେ।