ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ବଣିଆଟାଙ୍ଗୀର ଗାଁ ରାସ୍ତାକୁ ଅବରୋଧ କରି କେତେକ ବ୍ୟକ୍ତି ପାଚେରୀ ନିର୍ମାଣ କରୁଥିବା ନେଇ ସ୍ଥାନୀୟ ସରପଂଚ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଆସନ୍ତାକାଲି ତହସିଲଦାରଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳ ଯାଂଚ କରିବେ ବୋଲି ଜଣାଯାଇଛି ।
ବଣିଆଟାଙ୍ଗୀ ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ୧୯୯୮-୯୯ ବନେ୍ଦାବସ୍ତର ଖାତା ନଂ ୪୬୪ ପ୍ଲଟ ନଂ ୧୩୦ର ପତିତ ଜମିକୁ ରାସ୍ତା ରୂପେ ଦର୍ଶାଯାଇଛି । ଏହି ରାସ୍ତାକୁ ଗାଁ ଲୋକ ଏହା ପୂର୍ବରୁ ଗାଁ ରାସ୍ତା ଭାବେ ନିୟମିତ ବ୍ୟବହାର କରିଆସୁଥିଲେ । କିନ୍ତୁ ୨୦୫/୨୦୬ ମାମଲାରେ ଦେୱାନୀ ଅଦାଲତ ସିନିୟର ଡିଭିଜନ ପ୍ଲଟ ନଂ ୧୨୨, ୧୨୩ ଓ ୧୪୩ ସହ ୧୩୦ ନମ୍ବର ପ୍ଲକର କେତେକ ଅଂଶ ବିକ୍ରି କରିବାକୁ ଆଦେଶ ଦେଇଥିଲେ । ପରର୍ବର୍ତୀ ସମୟରେ ୧୩୨୯/୨୦୨୦ରେ ଖୋର୍ଦ୍ଧା ତହସିଲଦାରଙ୍କ କୋର୍ଟରେ ଉକ୍ତ ପ୍ଲଟର ବଳକା ଅଂଶକୁ ବିଚିତ୍ର କୁମାର ବଡ଼ଜେନାଙ୍କ ନାମରେ ରେକର୍ଡ କରାଯାଇଛି । ବର୍ତମାନ ଏହି ରାସ୍ତାକୁ ଅବରୋଧ କରି କେତେକ ବ୍ୟକ୍ତି ଖୋଳିବା ସହ ପାଚେରୀ ନିର୍ମାଣ କରିଛନ୍ତି । ଏନେଇ ଅପ୍ରିଲ୍ ମାସରେ ଜିଲ୍ଲାପାଳଙ୍କୁ ଗାଁ ଲୋକ ଅଭିଯୋଗ କରିଥିଲେ ।
ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ଆରଆଇ ମଧ୍ୟ ୨୦ ମଇରେ ଏନେଇ ଯାଂଚ କରି ଉକ୍ତ ପ୍ଲଟ ଗାଁ ଲୋକଙ୍କ ଦ୍ୱାରା ନିୟମିତ ରାସ୍ତାରୂପେ ବ୍ୟବହୃତ ହୋଇଥିବା ଦର୍ଶାଇଥିଲେ । ଏହାପରେ କିଛି ଦିନ କାମ ବନ୍ଦ ରହିଥିବା ବେଳେ ବର୍ତମାନ ପୁଣି କେତେକ ବ୍ୟକ୍ତି ସେଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ବୋଲି ସ୍ଥାନୀୟ ସରପଂଚ କେଦାରେଶ୍ୱର ପୃଷ୍ଟି ଅଭିଯୋଗ କରିଛନ୍ତି । ଏନେଇ ତହସିଲଦାର ବିଭାସ ପାଣିଗ୍ରାହୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏନେଇ ଅଭିଯୋଗ ହସ୍ତଗତ ହୋଇଛି । ଗତକାଲି ଉଭୟ ପକ୍ଷ ତାଙ୍କୁ ଭେଟି ନିଜ ନିଜର ମତ ରଖିଥିଲେ । ଆସନ୍ତାକାଲି (୨ ଜୁନ୍)ରେ ସେ ଘଟଣାସ୍ଥଳ ପରିଦର୍ଶନ କରିବେ ।