ବ୍ରହ୍ମବରଦା : ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରହ୍ମବରଦା ଗ୍ରାମରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବ୍ରହ୍ମବରଦା ଫାଣ୍ଡି ପୁଲିସ ଶବ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।
ଅଭିଯୋଗ ଅନୁଯାୟୀ ବରୀ ରାମଚନ୍ଦ୍ରପୁର ଥାନା ବାଲିଆପାଳ ଗ୍ରାମର ନୃସିଂହ ପାତ୍ରଙ୍କ ବଡ଼ ଝିଅ ଜୟନ୍ତୀ ପାତ୍ର ୧୬ ବର୍ଷ ତଳେ ବ୍ରହ୍ମବରଦା ଫାଣ୍ତି ଅନ୍ତର୍ଗତ ବ୍ରହ୍ମବରଦା ଗ୍ରାମର କୈଳାସ ବେହେରାଙ୍କ ପୁତ୍ର ବିଜୟ କୁମାର ବେହେରାଙ୍କୁ ବିବାହ କରିଥିଲେ। ତେବେ ଗତ ୧୦ ବର୍ଷ ହେଲା ଜୟନ୍ତୀଙ୍କୁ ଶାଶୂଘର ଲୋକେ ମାନସିକ, ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଅନେକ ଥର ବୁଝାବୁଝି କରି ସମାଧାନ କରାଯାଇଥିଲା। ତେବେ ଗତକାଲି ତାଙ୍କ ଝିଅକୁ ଅତ୍ୟଧିକ ନିର୍ଯାତନା ଦେଇ ସ୍ବାମୀ ବିଜୟ ବେହେରା, ତାଙ୍କଭାଇ ଅଜୟ ବେହେରା, ଯାଆ ସଂଗୀତା ବେହେରା ମାରି ଦେଇ ପଙ୍ଖାରେ ଟାଙ୍ଗି ଦେଇଥିବା ନେଇ ବାପା ନୃସିଂହ ପାତ୍ର ବ୍ରହ୍ମବରଦା ଫାଣ୍ତିରେ ଅଭିଯୋଗ କରିଛନ୍ତି ।
ଏପଟେ ଶାଶୂଘର ଲୋକେ ଓ ସ୍ବାମୀ ବିଜୟ ବେହେରା କୁହନ୍ତି, ତାଙ୍କ ସ୍ତ୍ରୀ ଜୟନ୍ତୀ ବେହେରା ଗତ ୬ ବର୍ଷ ହେଲା ବିଭିନ୍ନ ରୋଗରେ ପୀଡ଼ିତ ଥିଲେ। ରୋଗ ଯନ୍ତ୍ରଣା ସହ୍ୟ ନ କରିପାରି ସେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ବ୍ରହ୍ମବରଦା ଫାଣ୍ତି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏନେଇ କେସ ନଂ ୦୨/୨୦୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ପୁଲିସ ଏ ନେଇ ପଚରାଉଚରା ଚଳାଇଛି, କାହାରିକୁ ଗିରଫ କରାଯାଇ ନଥିବା ପ୍ରକାଶ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/murder-add.jpg)