ହାଇସ୍କୁଲ ଲାଇବ୍ରେରୀ ପାଇଁ ବହି କିଣାରେ ଅନିୟମିତତା ଅଭିଯୋଗ, ଗୋଟିଏ ଦୋକାନରୁ ବହି ନେବାକୁ ମୌଖିକ ନିର୍ଦେଶ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ପ୍ରାଥମିକ ସ୍କୁଲ ଠାରୁ ଆରମ୍ଭ କରି ହାଇସ୍କୁଲ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ବିଭିନ୍ନ ଜିନିଷ କିଣିବା ପାଇଁ ଟଂକା ଆସୁଥିବା ବେଳେ ଏହି ଟଂକାରୁ ଦୁରୁପଯୋଗ କରାଯାଉଥିବା ଅଭିଯୋଗ ହୋଇଆସୁଛି।ଏହି କ୍ରମରେ ବର୍ତ୍ତମାନ ହାଇସ୍କୁଲଗୁଡିକକୁ ଲାଇବ୍ରେରୀ ପାଇଁ ୨୦- ହଜାର ଏବଂ ୨୫ ହଜାର ଟଂକା ପ୍ରଦାନ କରାଯାଇଛି। ସ୍କୁଲ କର୍ତ୍ତୃପକ୍ଷ ଏହି ଟଂକାରେ ସରକାରଙ୍କର ଧାର୍ଯ୍ୟ କରାଯାଇଥିବା ବହିକୁ ହିଁ ଖରିଦ କରିପାରିବେ।କିନ୍ତୁ କୌଣସି ଗୋଟିଏ ଦୋକାନରୁ ବହି କିଣିବା ନେଇ ନିର୍ଦେଶ ଦେଇ ନାହାନ୍ତି।କିନ୍ତୁ ମୌଖିକ ଭାବେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସେମାନଙ୍କୁ ଭୁବନେଶ୍ବରସ୍ଥିତ ଏକ ଦୋକାନ ଦ୍ବାରା ପ୍ରଦାନ କରାଯାଉଥିବା ବହିକୁ କିଣିବାକୁ କୁହାଯିବାରୁ ହାଇସ୍କୁଲ କର୍ତ୍ତୃପକ୍ଷ ବାଧ୍ୟ ହୋଇ ସେହି ଦୋକାନରୁ କିଣୁଥିବା ଦେଖିବାକୁ ମିଳିଛି।ତେବେ କାହିଁକି ଗୋଟିଏ ଦାନରୁ ଖରିଦ କରାଯାଉଛି ତାହା ତଦନ୍ତ ସାପେକ୍ଷ।ଏଥିସହ କିଏ ଏହି ବହି କିଣିବାକୁ ହାଇସ୍କୁଲ ପ୍ରଧାନ ଶିକ୍ଷକମାନଙ୍କୁ ବାଧ୍ୟ କରୁଛି ବୋଲି ପ୍ରଶ୍ନ କରାଯାଇଛି।

ସୂଚନାଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାରେ ମୋଟ ୧୧୨ଟି ହାଇସ୍କୁଲ ରହିଛି । ଏଥିରୁ ଯେଉଁ ହାଇସ୍କୁଲରେ ୨୦୦ରୁ ଉର୍ଦ୍ଧ୍ବ ପିଲା ରହିଛନ୍ତି ସେହି ସ୍କୁଲକୁ ୨୫ ହଜାର ଟଂକା ପ୍ରଦାନ କରାଯାଇଥିବା ବେଳେ ୨୦୦ରୁ କମ୍ ଥିବା ସ୍କୁଲଗୁଡିକକୁ ୨୦ ହଜାର ଟଂକା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ଜିଲ୍ଲାରେ ରହିଥିବା ୭ଟି ଆଦର୍ଶ ବିଦ୍ୟାଳୟକୁ ୨୫ ହଜାର ଲେଖାଏଁ ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ୪୮ଟି ହାଇସ୍କୁଲକୁ ମଧ୍ୟ ୨୫ ହଜାର ପ୍ରଦାନ କରାଯାଇଛି। ବଳକା ୫୭ଟି ହାଇସ୍କୁଲକୁ ୨୦ ହଜାର ପ୍ରଦାନ କରାଯାଇଛି । ତେବେ ଏହି ଟଂକାରେ ହାଇସ୍କୁଲ କର୍ତ୍ତୃପକ୍ଷ ସରକାରଙ୍କ ଦ୍ବାରା ନିର୍ଦେଶିତ ବହିଗୁଡିକ ହିଁ କିଣିପାରିବେ।ତେବେ ନିଜର ମନମୁତାବକ ଦୋକାନରୁ ଖରିଦ କରିପାରିବେ। କିନ୍ତୁ ମାଲକାନଗିରିରେ କଟକସ୍ଥିତ ‘କାହାଣୀ’ ନାମକ ଏକ ବହି ବିତରକଙ୍କ ଠାରୁ ଖରିଦ କରିବାକୁ ଶିକ୍ଷା ବିଭାଗର କେହି ଜଣେ ବ୍ୟକ୍ତି ପ୍ରତ୍ୟେକ ସ୍କୁଲକୁ ନିର୍ଦେଶ ଦେଇଥିବାରୁ ସ୍କୁଲ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଏହି ‘କାହାଣୀ’ ପାଖରୁ ବହି କିଣୁଛନ୍ତି । ତେବେ ମୋଟ ୧୬୯ଟି ବହି ପ୍ରଦାନ କରାଯାଉଛି। ତେବେ ମାଲକାନଗିରି ଜିଲ୍ଲାର ମାଲକାନଗିରି,କାଲିମେଳା ଏବଂ ମାଥିଲି ଠାରେ ଏହି ବିତରକଙ୍କ ଗୋଦାମ ରହିଥିବା ଜଣାପଡିଛି। ସେହି ଗୋଦାମରୁ ହାଇସ୍କୁଲ କର୍ତ୍ତୃପକ୍ଷ ୨୦ ହଜାର ଏବଂ ୨୫ ହଜାର ଚେକ ଦେଇ ବହିଗୁଡିକ ନେଉଥିବା ଦେଖିବାକୁ ମିଳିଛି। କିଛି ହାଇସ୍କୁଲ ପ୍ରଧାନ ଶିକ୍ଷକ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି ଯେ ଗୋଟିଏ ସ୍ଥାନରୁ ହିଁ ବହି କିଣିବାକୁ ତାଂକୁ ବାଧ୍ୟ କରାଯାଇଛି।ତେବେ ସେ କିଏ ତାଂକୁ ଏହି ନିର୍ଦେଶ ଦେଇଥିବା ପଚରାଯିବାରୁ ସେମାନେ କିଛି ଉତ୍ତର ଦେଇନାହାନ୍ତି।ତେବେ ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ ଜିଲ୍ଲା ଶିକ୍ଷା ବିଭାଗର କେହି ଜଣେ ଉଚ୍ଚ ପଦାଧିକାରୀ ହିଁ ଏଭଳି ନିର୍ଦେଶ ଦେଇଥିବାରୁ ହାଇସ୍କୁଲ କର୍ତ୍ତୃପକ୍ଷ ‘କାହାଣୀ’ଠାରୁ କିଣିବାକୁ ବାଧ୍ୟ ହୋଇଛନ୍ତି ।

ଅନ୍ୟ ଦିଗରେ କଟକସ୍ଥିତ ‘କାହାଣୀ’ ନାମକ ଡିଷ୍ଟୁବୁଷ୍ଟର ଯେଉଁ ବିଲ ସ୍କୁଲଗୁଡିକକୁ ପ୍ରଦାନ କରିଛି ତାହାରି ଜିଏସଟି ନମ୍ବର ଥାଇ ଯେଉଁ ବିଲ ପ୍ରଦାନ କରାଯାଇଛି ତାହା ଠିକ ନା ଭୁଲ ତାହା ଏବେ ତଦନ୍ତ ସାପେକ୍ଷ। କାରଣ ଏଥିରେ କିଛି ମିଥ୍ୟା ତଥ୍ୟ ରହଥିବା ଆଶଂକା କରିଛନ୍ତି କିଛି ସ୍କୁଲ କର୍ତ୍ତୃପକ୍ଷ। ଯଦି ଜିଏସଟି ବିଲ ନମ୍ବର ଭୁଲ ଥାଏ ତେବେ ଏହାକୁ ତୁରନ୍ତ ରଦ୍ଦ କରିବାକୁ ଦାବି କରାଯାଇଛି। ତେବେ ଏନେଇ ଜିଲ୍ଲା ଶିକ୍ଷାଧିକାରୀ ମାନସ ଜେନାଙ୍କୁ ପଚାରିବାରୁ ସେ ବର୍ତ୍ତମାନ ଜିଲ୍ଲାରେ ଦାୟିତ୍ବ ନେଇଥିବା ସରକାରଙ୍କ ଦ୍ବାରା ଅନୁମୋଦିତ ହୋଇଥିବା କିଛି ନିର୍ଦ୍ଧିଷ୍ଟ ବହି କିଣିବାକୁ ନିର୍ଦେଶ ରହିଥିବା ବେଳେ କୌଣସି ଦୋକାନରୁ ବହି କିଣିବା ନେଇ କୌଣସି ନିର୍ଦେଶ ନଥିବା କହିଥିଲେ।ତେବେ ଶ୍ରୀ ଜେନା ଆସିବା ପୂର୍ବରୁ ଏହା ଡିଲ ହୋଇଥିବା ଜଣାପଡିଛି।ଏହାର ଉଚିତ ତଦନ୍ତ ହେଲେ ସବୁ ସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଦାବି ହୋଇଛି।ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ବହି କିଣା ଦୁର୍ନୀତିର ପର୍ଦାଫାସ କରିବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର