ଖୋର୍ଦ୍ଧା: ପ୍ରତିବର୍ଷ ଭଳି ଓଡ଼ିଶାର ଅଗ୍ରଣୀ ଓଡ଼ିଆ ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ ପକ୍ଷରୁ ରବିବାର ବ୍ଲକ ଓ ପୌରାଞ୍ଚଳସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ସରକାରୀ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା ଖୋର୍ଦ୍ଧା ବ୍ଲକ ଓ ପୌରାଞ୍ଚଳସ୍ତରୀୟ ପ୍ରତିଯୋଗିତାରେ ୨୩ଟି ବିଦ୍ୟାଳୟର ୧୦୨ ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି। ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁସାରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇ ଶେଷ ହୋଇଥିଲା। ଅପରାହ୍ନରେ ଜିଲ୍ଲା ‘ସମ୍ବାଦ’ କାର୍ଯ୍ୟାଳୟରେ ପୁରସ୍କାର ବିତରଣ କରାଯାଇଥିଲା। ବିଜେବି ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଚିତ୍ରାଙ୍କନରେ ୪୨ଜଣ, ହସ୍ତାକ୍ଷରରେ ୩୭ ଓ
ଭାଷାଜ୍ଞାନ-ପ୍ରବନ୍ଧରେ ୨୩ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ କରଡ଼ଗାଡ଼ିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୫ମ ଶ୍ରେଣୀ ଛାତ୍ରୀ ଜାଗୃତୀ ରାଉତ, କୋହେନ୍ ଇଣ୍ଟରନ୍ୟାସନାଲ୍ ସ୍କୁଲର ୪ର୍ଥ ଶ୍ରେଣୀ ଛାତ୍ର ଆଦିତ୍ୟପ୍ରକାଶ କର, ଏସ୍ଡିଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ର ସଞ୍ଜୀତ ମାଝି ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ହୋଇଥିଲେ। ହସ୍ତାକ୍ଷର ପ୍ରତିଯୋଗିତାରେ ଆର୍ଯ୍ୟାବ୍ରତ ଆନ୍ସିଏଣ୍ଟ ଏକାଡେମୀର ୮ମ ଶ୍ରେଣୀ ଛାତ୍ରୀ ଶରଣ୍ୟା ବଳିଆରସିଂହ ପ୍ରଥମ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀ ଛାତ୍ରୀ ମଧୁସ୍ମିତା ବେହେରା ଦ୍ବିତୀୟ ଓ ଖୋର୍ଦ୍ଧା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୮ମ ଶ୍ରେଣୀ ଛାତ୍ରୀ କାଜଲ ଭଗତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ସେହିଭଳି ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୯ମ ଶ୍ରେଣୀ ଛାତ୍ରୀ ଶର୍ମିଷ୍ଠା ପଣ୍ଡା, ୧୦ମଶ୍ରେଣୀ ଛାତ୍ର ସୁବ୍ରତ ବେହେରା, ୯ମ ଶ୍ରେଣୀ ଛାତ୍ର ରିକେଶ ପ୍ରଧାନ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏଥିରେ ଜେମାଦେଈର ଜୟୀ ରାଜଗୁରୁ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ବିଶ୍ବାଳ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବ୍ରଜବନ୍ଧୁ ଛୋଟରାୟ, ବସନ୍ତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର
ପ୍ରଧାନଶିକ୍ଷକ ବଦ୍ରିନାରାୟଣ ରଥ, କୁମ୍ଭିଲୋ ସ୍ବପ୍ନେଶ୍ବର ଦେବ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶରତଚନ୍ଦ୍ର ରାଉତ, ହଳଦିପଦା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ବାସୁଦେବ ସାହୁ ଓ ଶିକ୍ଷକ ପ୍ରଫୁଲ୍ଲ କୁମାର ବେହେରା ପରୀକ୍ଷକ ଭାବେ ଯୋଗ ଦେଇ ଉତ୍ତର ଖାତା ଗୁଡ଼ିକର ମୂଲ୍ୟାୟନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ବିଜେବି ଉଚ୍ଚ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ବିଭୂ ପ୍ରସାଦ ସେନାପତି, ଓଷ୍ଟାର ଜିଲ୍ଲା ସମ୍ପାଦକ ସୁଧାକର ମହାପାତ୍ର, ‘ସମ୍ବାଦ’ର ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ଲମ୍ବୋଦର ପ୍ରସାଦ ଦାଶ ପରିଚାଳନା କରଥିବା ବେଳେ ଉଚ୍ଚ ବିଦ୍ୟାଳୟର କର୍ମଚାରୀ ଅଶୋକ ମଲ୍ଲିକ ସହାୟତା କରିଥିଲେ।