ବନ ଅଧିକାରୀଙ୍କ ବିଚିତ୍ର କାର୍ଯ୍ୟାନୁଷ୍ଠାନ: ୩୩ ଗଛ କାଟିଲେ ନିଲମ୍ବନ, ୯୩ ଗଛ କାଟିଲେ…

ସୁନ୍ଦରଗଡ଼: ଅଭିଯୋଗ ସମାନ, କିନ୍ତୁ କାର୍ଯ୍ୟାନୁଷ୍ଠାନ ଅଲଗା। ଭିନ୍ନ ଭିନ୍ନ ଜଙ୍ଗଲରୁ ଗଛ ଚୋରି ହେଲା, ବନ କର୍ମଚାରୀଙ୍କ ଦାୟିତ୍ବରେ ଅବହେଳା କଥା ଉଠିଲା। ତେବେ ଗୋଟିଏ ଅଭିଯୋଗରେ ବନ ବିଭାଗ ୨ କର୍ମଚାରୀଙ୍କୁ ନିଲମ୍ବିତ କରିଥିବା ବେଳେ ଅନ୍ୟ ଅଭିଯୋଗରେ ବିସ୍ମୟକର ଭାବେ ନିରବ ରହିଛି। ବଡ଼ କଥା ହେଲା, ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ କ୍ଷେତ୍ରରେ ୩୩ ଗଛ କଟାଯାଇ ଚୋରାଚାଲାଣ ଉଦ୍ୟମ ହୋଇଥିଲା ଏବଂ ଅନ୍ୟ କ୍ଷେତ୍ରରେ ୯୩ ଗଛ କଟାଯାଇଥିବା ଜଣାପଡ଼ିଥିଲା। ୩୩ ଗଛ କାଟିଲେ ଦଣ୍ଡ ଓ ୯୩ ଗଛ କାଟିଲେ ମାଫ୍। ସୁନ୍ଦରଗଡ଼ ବନବିଭାଗର ଏ ପ୍ରକାର ବିଚିତ୍ର କାର୍ଯ୍ୟାନୁଷ୍ଠାନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାଟି ଘଟିଛି ସୁନ୍ଦରଗଡ଼ ସଦର ବନାଞ୍ଚଳ ଅଧୀନସ୍ଥ ସାତପର୍ଲିଆ ସଂରକ୍ଷିତ ଜଙ୍ଗଲରେ। ଜଙ୍ଗଲଟି ସୁନ୍ଦରଗଡ଼ ସଦର, ସାଲେପାଲି ଓ ସବଡେଗା ସେକ୍ସନରେ ରହିଛି।

କିଛି ଦିନ ତଳେ ସେହି ଜଙ୍ଗଲରୁ କାଠ ଚୋରମାନେ ଗଛ କାଟି ଗଦା କରିଥିବା ଖବର ମିଳିଥିଲା। ତାକୁ ବନ ବିଭାଗ ଜବତ କରିଥିଲା। ଘଟଣାରେ ବନ କର୍ମଚାରୀଙ୍କ ଦାୟିତ୍ବରେ ଅବହେଳା ଅଭିଯୋଗ ହୋଇଥିଲା। ଏହା ପରେ ସହକାରୀ ବନ ସଂରକ୍ଷକ ମୋହନ ହେମ୍ରମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଗଛଗୁଡ଼ିକ ସାଲେପାଲି ଓ ସୁନ୍ଦରଗଡ଼ ସେକ୍ସନ ଅଧୀନରେ ଥିବା ଜଙ୍ଗଲରୁ କଟିଥିବା ଜଣାପଡ଼ିଥିଲା। ସାଲେପାଲି ସେକ୍ସନର ସଲଙ୍ଗାବୁଡ଼ ବିଟରୁ ୩୩ଟି ଗଛ ଓ ସୁନ୍ଦରଗଡ଼ ସେକ୍ସନର ବଳଦମାଲ ବିଟରୁ ୯୩ଟି ଗଛ କଟାଯାଇଥିଲା। ଏ ସମ୍ପର୍କରେ ସହକାରୀ ବନ ସଂରକ୍ଷକ ଶ୍ରୀ ହେମ୍ରମ ରିପୋର୍ଟ ଦେଇଥିଲେ। ତେବେ କାର୍ଯ୍ୟାନୁଷ୍ଠାନ ହେଲା ୩୩ଟି ଗଛ କଟିଥିବା ସାଲେପାଲି ସେକ୍ସନର ବନପାଳ ସୁବାସିନୀ ତନ୍ତୀ ଓ ସଲଙ୍ଗାବୁଡ଼ ବନରକ୍ଷୀ ଜୁଲି ପଟେଲଙ୍କ ବିରୋଧରେ। ସେମାନଙ୍କୁ ବନଖଣ୍ଡ ଅଧିକାରୀ ନିଲମ୍ବିତ କରିଥିଲେ। ହେଲେ ୯୩ଟି ଗଛ କଟିଥିବା ସୁନ୍ଦରଗଡ଼ ସେକ୍ସନ ବନପାଳ ଓ ବଳଦମାଲ ବିଟ୍ ବନରକ୍ଷୀଙ୍କ ବିରୋଧରେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ବନ ବିଭାଗ କାର୍ଯ୍ୟାନୁଷ୍ଠାନରେ ପକ୍ଷପାତିତା ପ୍ରଦର୍ଶନ ପୂର୍ବକ ଜଣକୁ ଦଣ୍ଡ, ଅନ୍ୟ ଜଣଙ୍କୁ ଅନୁକମ୍ପା ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ଯାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର