ସୁନ୍ଦରଗଡ଼/ହେମଗିର: ବିଦ୍ୟାଳୟରେ ପଢ଼ାଇବାକୁ ଆବଶ୍ୟକ ଶିକ୍ଷକ ନଥିଲେ ଶିକ୍ଷା ବିଭାଗ ଶିକ୍ଷକ ନିଯୁକ୍ତି କରିବା କଥା। କିନ୍ତୁ ଶିକ୍ଷକ ନଥିବା ଦର୍ଶାଇ ପ୍ରଧାନଶିକ୍ଷକ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଦେଇ ବିଦା କରି ଦେଇଛନ୍ତି। ବିସ୍ମୟକର କଥା ହେଲା, ଏଥିପାଇଁ ବିଦ୍ୟାଳୟ ପରିଚାଳନା କମିଟି କି ଅଭିଭାବକଙ୍କ ପରାମର୍ଶ ନିଆଯାଇ ନାହିଁ। ଅଭାବନୀୟ ଅଭିଯୋଗଟି ଆସିଛି ହେମଗିର ବ୍ଲକ୍ ମୁଣ୍ଡରକ୍ଷେତରୁ। ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଯାଏଁ ଶିକ୍ଷାଦାନ ଚାଲିଛି। ୫ ବର୍ଷ ତଳେ ଏଠାରେ ୨ ଶହରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିଲେ। କିନ୍ତୁ ଶିକ୍ଷାଦାନରେ ଅବହେଳା କାରଣରୁ ଧିରେ ଧିରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଛି। ଚଳିତ ବର୍ଷ ୬୫ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। କିନ୍ତୁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ପାଠପଢ଼ା ଗୁରୁତର ପ୍ରଭାବିତ ହୋଇଛି।
ଏସ୍ଥିତିରେ ଗାଁ ଲୋକେ ଓ ପରିଚାଳନା କମିଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟି ଆବଶ୍ୟକ ଶିକ୍ଷକ ଯୋଗାଇଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ଶିକ୍ଷା ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରି ନଥିବା ବେଳେ କିଛି ଦିନ ତଳେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅଷ୍ଟମ ଶ୍ରେଣୀ ପାଇଁ ଶିକ୍ଷକ ନଥିବା ଦର୍ଶାଇ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଦେଇ ବିଦା କରିଛନ୍ତି। ଏ ସମ୍ପର୍କରେ ବିଦ୍ୟାଳୟ ଓ ଗାଁ କମିଟି ଜାଣିବା ପରେ ସରପଞ୍ଚ ସନ୍ୟାସୀ ବାଗଙ୍କ ସହ ପ୍ରଧାନଶିକ୍ଷକଙ୍କୁ ଭେଟି ପଚାରିଥିଲେ। ପ୍ରଧାନଶିକ୍ଷକ ଅଭିଯୋଗକୁ ସ୍ବୀକାର କରିଥିବା ବେଳେ ଗୋଷ୍ଠୀ ସାଧନକେନ୍ଦ୍ର ସଂଯୋଜକ (ସିଆରସିସି) ମଧ୍ୟ ଅଷ୍ଟମ ପିଲାଙ୍କୁ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ଦେଇ ଅନ୍ୟ ବିଦ୍ୟାଳୟକୁ ପଠାଯାଇଛି ବୋଲି କହିଥିଲେ।
ଗାଁ ଲୋକେ ଓ ବିଦ୍ୟାଳୟ କମିଟି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଭେଟି ଏଥିପାଇଁ ତୀବ୍ର ଅସନ୍ତୋଷ ପ୍ରକାଶ କରି ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି କରି ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ଦାବି କରିଛନ୍ତି। ସେହିପରି ମନମାନୀ କରିଥିବା ପ୍ରଧାନଶିକ୍ଷକ ଅଭିନ୍ନ ପଧାନ ଓ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ପଧାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଅନ୍ୟତ୍ର ବଦଳି କରିବାକୁ ସରପଞ୍ଚଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚନ୍ଦ୍ରମଣି ପଧାନ, ଗ୍ରାମ୍ୟ କମିଟି ସଭାପତି କାର୍ତ୍ତିକ ଗୌଡ଼, ୱାର୍ଡସଭ୍ୟ ପଞ୍ଚାନନ କୋସନି, ଦିବାକର ସା, ଶୁକଦେବ ପଧାନ, ନିତ୍ୟାନନ୍ଦ ଖମାରୀ, ବୀର ସେଟ୍, ସମିତିସଭ୍ୟ ମାଧବ ବାରିକ ପ୍ରମୁଖ ଦାବି ଜଣାଇଥିଲେ।