ଅମ୍ବାଦଳାରେ ମାଓ ପୋଷ୍ଟର, ଏସଓଜି-ସିଆରପିଏଫ୍ ଯବାନଙ୍କ ପକ୍ଷରୁ କମ୍ବିଂ ଜୋରଦାର୍

ରାୟଗଡ଼ା/ଅମ୍ବାଦଳା: ୧୨ ଦିନ ତଳେ ଗ୍ରାମରକ୍ଷୀକୁ ହତ୍ୟା କରିଥିଲେ। ପୁଲିସକୁ ସହଯୋଗ କଲେ ମୃତ୍ୟୁଦଣ୍ଡ ଦେବାକୁ ଚେତାବନୀ ଦେଇଥିଲେ। ଆଜି ବ୍ୟାନର ମାରି ସିଆରପିଏଫ୍ କ୍ୟାମ୍ପ ପ୍ରତିଷ୍ଠା ଓ କଟକି ଡଙ୍ଗରରୁ ବକ୍ସାଇଟ୍ ଖନନକୁ ବିରୋଧ କରିଛନ୍ତି ମାଓବାଦୀ। ସିପିଆଇ ମାଓବାଦୀ ବଂଶଧାରା-ଘୁମୁସର-ନାଗାବଳୀ (ବାଘୁନା) ଡିଭିଜନ୍ ପକ୍ଷରୁ ଲାଗିଥିବା ବ୍ୟାନରରେ ମାଓବାଦୀ ବିପ୍ଲବ ଏବଂ ଜନ ଆନ୍ଦୋଳନକୁ ଚପାଇ ଦେବାକୁ ପୁଲିସ୍, ପ୍ରଶାସନ ଉଦ୍ୟମ କରୁଥିବା ମାଓ ସଂଗଠନ ଅଭିଯୋଗ କରିଛି। ରବିବାର ବିଳମ୍ବିତ ରାତିରେ ଅମ୍ବାଦଳା ଥାନାର ଶରଧାପୁର-ଥୁଆପାଡ଼ି ରାସ୍ତାରେ ମାଓବାଦୀ ବ୍ୟାନର ଲଗାଇଛନ୍ତି।

ସକାଳୁ ଉକ୍ତ ରାସ୍ତାରେ ଯାତାୟାତ କରୁଥିବା ଲୋକ ମାଓ ବ୍ୟାନର ଦେଖି ଭୟଭୀତ ହୋଇ ପଡ଼ିଥିଲେ। ଖବର ପାଇ କମ୍ବିଂ ଅପରେସନରେ ନିୟୋଜିତ ଏସଓଜି-ସିଆରପିଏଫ୍ ଯବାନ ବ୍ୟାନରକୁ ଜବତ କରି ମାଓବାଦୀଙ୍କ ଗତିବିଧି ଉପରେ ତୀକ୍ଷଣ୍ ନଜର ରଖିଛନ୍ତି। ପୋଷ୍ଟରରେ ନିୟମଗିରିର କଟକିଡଙ୍ଗରରେ ଥିବା ବକ୍ସାଇଟ୍ ପର୍ବତକୁ ସରକାର କମ୍ପାନି ହାତରେ ଟେକି ଦେବାକୁ ଚକ୍ରାନ୍ତ କରୁଥିବା ମାଓବାଦୀ ଉଲ୍ଲେଖ କରିଛନ୍ତି। ବ୍ୟାନର ଲାଗିଥିବା ଶରଧାପୁର ରାସ୍ତା କଟକିଡଙ୍ଗରକୁ ସଂଯୋଗ ହୋଇଥିବାରୁ ମାଓବାଦୀ ଏହି ରାସ୍ତା ନିର୍ମାଣ କାମକୁ ମଧ୍ୟ ବିରୋଧ କରି ଆସୁଛନ୍ତି। ୨ ବର୍ଷ ତଳେ ରାସ୍ତା ନିର୍ମାଣରେ ନିୟୋଜିତ ୨ଟି ଜେସିବି, ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ହିଟାଚି ମେସିନକୁ ମାଓବାଦୀ ପୋଡ଼ି ଦେଇଥିଲେ। ଅଘଟଣ ପରେ ରାସ୍ତା ନିର୍ମାଣ ଅସଂପୂର୍ଣ୍ଣ ରହିଛି।

ଅନ୍ୟପକ୍ଷରେ ଜଗଦଲପୁର ପୁଲିସ୍ ଫାଣ୍ଡି ନିକଟରେ ଥିବା କ୍ଲଷ୍ଟର ହାଉସରେ ସିଆରପିଏଫ୍ ପକ୍ଷରୁ ନୂତନ କ୍ୟାମ୍ପ ପ୍ରତିଷ୍ଠା ପାଇଁ ପ୍ରୟାସ ଚାଲିଥିବାରୁ ମାଓବାଦୀ ଏହାର ବିରୋଧ କରିଛନ୍ତି। ଫାଣ୍ଡି ଇଲାକା ମାଓ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ କଟକି ଡଙ୍ଗର ଦେଇ ମାଓବାଦୀ କନ୍ଧମାଳ-ରାୟଗଡ଼ା-କଳାହାଣ୍ଡିକୁ ଯାତାୟାତ କରୁଛନ୍ତି। କ୍ୟାମ୍ପ ପ୍ରତିଷ୍ଠା ହେଲେ କମ୍ବିଂ, ସର୍ଚ୍ଚ ଅପରେସନ୍ ବୃଦ୍ଧି ପାଇବା ସହ ମାଓବାଦୀ-ଯବାନ ମୁହାଁମୁହିଁ ହେବାର ଆଶଙ୍କା କରି ଶରଧାପୁର ଫାଣ୍ଡି ନିକଟରୁ ଅଢ଼େଇ କିମି ଦୂର ରାସ୍ତାରେ ବ୍ୟାନର ଲଗାଇ ପୁଲିସକୁ ଚେତାବନୀ ଦେଇଛନ୍ତି। କିଛି ଦିନର ନିରବତା ପରେ ଅମ୍ବାଦଳା ଥାନା ଅଞ୍ଚଳରେ ବାଘୁନା ଡିଭିଜନ୍ ପୁଣି ସକ୍ରିୟ ହେବାରେ ଲାଗିଛି। ଅଗଷ୍ଟ ୩୧ ରାତିରେ ମାଓବାଦୀ ପୁଲିସ୍ ଇନଫର୍ମର ସନ୍ଦେହରେ ଡିମିରିଗୁଡାର ଗ୍ରାମରକ୍ଷୀ ସନ୍ତୋଷ ଦଣ୍ଡସେନାକୁ ଘରୁ ଡାକି ଆଣି ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ପଡିଥିବା ବେଳେ ଏସଓଜି ଯବାନ-ସିଆରପିଏଫ୍ ପକ୍ଷରୁ କମ୍ବିଂ, ସର୍ଚ୍ଚ ଅପରେସନକୁ ଜୋରଦାର୍ କରାଯାଇଛି।

ସମ୍ବନ୍ଧିତ ଖବର